ଓଡ଼ିଶାଲାଇଭ୍ ବ୍ୟୁରୋ

  • ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ
  • ସୁସ୍ଥ ହେବା ପରେ ସମ୍‌ର ଡାକ୍ତରୀ ଟିମ୍ ପ୍ରତି କୃତଜ୍ଞତା ଜଣାଇଲେ
  • ସମ୍‌ର ଚିକିତ୍ସା ସେବାକୁ ପ୍ରଶଂସା କଲେ ପୁଅ

ସାରା ବିଶ୍ୱରେ ଜାରି ରହିଥିବା କୋଭିଡ-୧୯ ମହାମାରୀ ସହ ଲଢ଼ି ଏହାକୁ ପରାଜିତ କରିଛନ୍ତି ୯୬ ବର୍ଷୀୟ ସ୍ୱାଧୀନତା ସଂଗ୍ରାମୀ। ସମ୍ କୋଭିଡ୍ ହସ୍ପିଟାଲରେ ସଫଳ ଚିକିତ୍ସା ପାଇବା ପରେ ଏହି ବର୍ଷୀୟାନ୍ ବ୍ୟକ୍ତି ବୁଧବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।

ଭୁବନେଶ୍ୱରର ଲୋକନାଥ ନାୟକ ଗତ ସେପ୍ଟେମ୍ବର ୨୯ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେହି ଦିନ ହିଁ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତାଙ୍କୁ ଜ୍ୱର ହୋଇଥିବା ବେଳେ ସେ ଖୁବ୍ ଦୁର୍ବଳ ହୋଇପଡ଼ିଥିଲେ ଏବଂ ନିଶ୍ୱାସପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିଲେ।ସମ୍ କୋଭିଡ୍ ଟିମ୍ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ତାଙ୍କ ଶରୀରରେ ଜଟିଳ କିଡ୍‌ନୀ ରୋଗ, ଡାଇବେଟିସ୍ ଭଳି ସମସ୍ୟା ମଧ୍ୟ ରହିଥିଲା। ଶ୍ରୀ ନାୟକଙ୍କୁ ଆଣ୍ଟି ଭାଇରାଲ୍ ଚିକିତ୍ସା ପ୍ରଦାନ କରାଯିବା ସହିତ ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଏହି ବୟୋଜ୍ୟେଷ୍ଠଙ୍କୁ ସୁସ୍ଥ କରିବା ପାଇଁ ସମ୍‌ କୋଭିଡ୍ ଟିମ୍ ଅତି ନିଷ୍ଠା ଓ ଯତ୍ନର ସହିତ ତାଙ୍କର ଚିକିତ୍ସା କରିଥିଲେ।

ସୁସ୍ଥ ହେବା ପରେ ଶ୍ରୀ ନାୟକ କହିଛନ୍ତି ମୋତେ ଯେଉଁ ଭଳି ଚିକିତ୍ସା କରାଗଲା ତାହା ମୋର ଆଶାତୀତ। ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନେ ନିଷ୍ଠା ଓ ଯତ୍ନର ସହ ମୋର ଚିକିତ୍ସା କରିଛନ୍ତି। ମୁଁ ସେମାନଙ୍କ ପାଖରେ କୃତଜ୍ଞ ବୋଲି ସେ କହିଛନ୍ତି।ଶ୍ରୀ ନାୟକଙ୍କ ପୁଅ ମନୋରଞ୍ଜନ ନାୟକ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ବାପା ସୁସ୍ଥ ହୋଇ ଘରକୁ ଫେରିଥିବାରୁ ସେ ସମ୍ କୋଭିଡ୍ ହସ୍ପିଟାଲର ଚିକିତ୍ସା ସେବାକୁ ଉଚ୍ଚ ପ୍ରଶଂସା କରିଛନ୍ତି।

Comment