ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳାମାନେ ଯେ ସମାଜରେ ପକ୍ଷପାତିତାର ଶିକାର ହୁଅନ୍ତି, ଏହି ପୁରୁଣା କାଳିଆ ଚିନ୍ତାଧାରାକୁ ପଛରେ ପକାଇ ସେମାନେ ନିଜ ଅଧିକାର ସାବ୍ୟସ୍ତ କରିବା ଉଚିତ। ଏଥିପାଇଁ ମହିଳାମାନେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବା ସହ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ଆବଶ୍ୟକ। ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଓ ଅବ୍‌ଜର୍ଭନାଓ ମିଡିଆର ମିଳିତ ସହଭାଗିତାରେ ଆୟୋଜିତ ଭର୍ଚୁଆଲ୍ ମହିଳା ନେତୃତ୍ୱ ସମ୍ମିଳନୀରେ ଯୋଗ ଦେଇ ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀ ଏହା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମହିଳାମାନେ ସମାଜର ଆକ୍ରୋଶର ଶିକାର ହେଉଛନ୍ତି ବୋଲି ଭାବିବା ବନ୍ଦ କରିବା ଜରୁରୀ। ମହିଳାମାନେ ଖୁବ୍ ରଚନାତ୍ମକ ଏବଂ ବହୁ କାର୍ଯ୍ୟ ଏକାସାଙ୍ଗେ କରିବାରେ ସେମାନଙ୍କର କ୍ଷମତା ଅଦ୍ଭୁତପୂର୍ବ ବୋଲି ସେ କହିଛନ୍ତି।

ଏହି ସମ୍ମିଳନୀରେ ସୋଆର ରିସର୍ଚ୍ଚ ଓ ଡେଭଲପ୍‌ମେଣ୍ଟ ଡିନ୍ ପ୍ରଫେସର ପି.କେ. ନନ୍ଦ ବିଶ୍ୱବିଦ୍ୟାଳୟର ସଫଳତା ସମ୍ପର୍କରେ ଆଲୋକପାତ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ପ୍ରାୟ ୧,୨୦୦ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଥିବା ବେଳେ ୧,୨୪୩ ଜଣ ଅଧ୍ୟାପକ ଶିକ୍ଷା ଓ ଗବେଷଣା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ବୋଲି ପ୍ରଫେସର ନନ୍ଦ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ସୋଆ ଏକ ମହିଳାକୈନ୍ଦ୍ରିକ ବିଶ୍ୱବିଦ୍ୟାଳୟ, ଯେଉଁଠାରେ କି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୪୭ ପ୍ରତିଶତ ହେଉଛନ୍ତି ମହିଳା। ସେମାନେ ବିଭିନ୍ନ ବିଭାଗରେ ଶିକ୍ଷା ଗ୍ରହଣ କରୁଛନ୍ତି। ସେହିପରି ଅଧ୍ୟାପକମାନଙ୍କ ମଧ୍ୟରୁ ୩୫ ପ୍ରତିଶତ ମହିଳା ଅଛନ୍ତି। ସମାଜର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କୁ ସାମିଲ କରାଇବା ସୋଆର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଫେସର ନନ୍ଦ କହିଛନ୍ତି।ଏହି ସମ୍ମିଳନୀ ଅବସରରେ ମାନବସମ୍ବଳ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅବଦାନ ଥିବା ଆଗଧାଡ଼ିର କେତେକ ମହିଳା ମାନବସମ୍ବଳ ଅଧିକାରୀମାନଙ୍କୁ ସମ୍ମାନିତ କରାଯାଇଛି। ସମ୍ମାନିତ ହୋଇଥିବା ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ଅଛନ୍ତି ଫିଲିପ୍ସର ମାନବସମ୍ବଳ ମୁଖ୍ୟ ବିସ୍‌ପଲା ରେଡ୍ଡୀ, ସାପ୍ ଇଣ୍ଡିଆର ସିଏଚ୍‌ଆର୍‌ଓ ଶ୍ରଦ୍ଧାଞ୍ଜଳି ରାଓ, ଫ୍ୟୁଚର ଜେନେରାଲିର ସିଏଚ୍‌ଆର୍‌ଓ ରୁଚିରା ଭରଦ୍ୱାଜ, ଜି୪ଏସ୍‌ର ଉପସଭାପତି ଓ ଏଚ୍‌ଆର୍ ମୁଖ୍ୟ ରିଷୁ ଗର୍ଗ, କୁଇକ୍ ହିଲ୍‌ର ସିଏଚ୍‌ଆର୍‌ଓ ରିତୁ ରୈନା, ବ୍ରଡ୍‌ରିଜ୍‌ର ଏଚ୍‌ଆର୍ ମୁଖ୍ୟ ରଜିତା ସିଂ, ସିଗ୍‌ନେକ୍ସର ବରିଷ୍ଠ ଉପସଭାପତି (ମାନବସମ୍ବଳ) ଅଙ୍କିତା ସିହ୍ନା, ସିଲ୍‌ର ଏଚ୍‌ଆର୍‌ ମୁଖ୍ୟ ଶାସ୍ୱତି ସିହ୍ନା, ନେଟ୍‌ଫ୍ଲିକ୍ସର ମାନବସମ୍ବଳ ନିର୍ଦ୍ଦେଶିକା ଶ୍ୱାତୀ ଶୁକ୍ଳା, ଡାଟାମେଟିକ୍ସର ସିଏଚ୍‌ଆର୍‌ଓ ଡକ୍ଟର ରିମା ଚୌଧୁରୀ, ଏଆର୍ ଭିସ୍ତାରାର ଭିଏଚ୍‌ଆର୍‌ଓ ଦୀପା ଚଢ଼ା, ଓଏଲ୍‌ଏକ୍ସର ଏଚ୍‌ଆର୍ ମୁଖ୍ୟ ପୁଜା କପୁର ଓ ଏଜନ୍ ଲାଇଫ୍‌ର ଚିଫ୍ ପିପୁଲ ଅଫିସର୍ ସୁନୀତା ରଥ।

Comment