ଓଡ଼ିଶାଲାଇଭ୍ ବ୍ୟୁରୋ

ନାରୀଟିଏ ପାଇଁ ମାତୃତ୍ୱ ସୌଭାଗ୍ୟର ବିଷୟ। ନିଜ ପୁଅଝିଅଙ୍କ ମୁହଁ ଚାହିଁ ମାଆଟିଏ ନିଜ ଜୀବନ କାଟିଦେବାକୁ ଆଶା ରଖିଥାଏ। ହେଲେ ସୁଚିସ୍ମିତାଙ୍କ ଏହି ଆଶା ପାଇଁ ଏବେ ବାଧକ ସାଜିଛି ଅର୍ଥ।

ବାଙ୍କୀ ଡମପଡ଼ା ଗାଁର ସୁଚିସ୍ମିତା ମହାନ୍ତି ମାତୃତ୍ୱ ଲାଭ କରିବା ପରଦିନଠାରୁ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି। ଜୟପୁରର ପାମ୍ପୁଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ସୁଚିସ୍ମିତା। ତାଙ୍କ ସ୍ୱାମୀ ମଧ୍ୟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଜଣେ ଚୁକ୍ତି ଭିତ୍ତିକ ଡାଟାଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଛନ୍ତି।

ଗତ ଦୁଇ ବର୍ଷ ତଳେ ଦୁହେଁ ବିବାହ କରିଥିବାବେଳେ ଗତ ଅଢେ଼ଇ ମାସ ସୁଚିସ୍ମିତା ମା’ ହୋଇଥିଲେ। ହେଲେ ମା’ ହେବା ପରଦିନଠାରୁ ହଠାତ୍ ତାଙ୍କର ପରିଶ୍ରା ବନ୍ଦ ହୋଇଯାଇଥିଲା। ଏହାପରେ ସେ ବିଶାଖାପାଟଣା ଯାଇ ପରୀକ୍ଷା କରିବାରୁ ତାଙ୍କର ଦୁଇଟି ଯାକ କିଡିନ୍ ୮୦ ଭାଗ ନଷ୍ଟ ହୋଇଯାଇଥିବା ଜାଣିବାକୁ ପାଇଥିଲେ।

ବିଶାଖାପାଟଣାଠାରେ ପ୍ରାୟ ୨୦ ଦିନ କାଳ ରହି ସେମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। ହେଲେ ପରବର୍ତ୍ତୀ ଚିକିତ୍ସା ପାଇଁ ବାଧକ ସାଜିଥିଲା ଅର୍ଥ। ଶେଷରେ ବାଧ୍ୟ ହୋଇ ସେ ବିଶାଖାପାଟଣାରୁ ନିଜ ଗାଁକୁ ଫେରିଥିଲେ। ଏବେ ପ୍ରତିଦିନ ତାଙ୍କର ଡାଇଲିସିସ ଚାଲିଥିବା ବେଳେ ଋଣବୋଝ ତାଙ୍କ ଉପରେ ଲଦି ହୋଇ ପଡ଼ିଲାଣି। ତେଣୁ ଅପରେସନ କରି ସୁଚିସ୍ମିତାଙ୍କ ଜୀବନ ବଞ୍ଚାଇବା ପରିବାର ପକ୍ଷେ ଅସମ୍ଭବ।


ସୁଚିସ୍ମିତାଙ୍କ ମା’ ତାଙ୍କର ଗୋଟିଏ କିଡନୀ ଦେବାକୁ ଇଚ୍ଛା ରଖିଥିଲେ ମଧ୍ୟ ଅର୍ଥ କାରଣରୁ ଅସ୍ତ୍ରୋପୋଚାର କରାଇ ପାରୁନାହାଁନ୍ତି। ଶେଷରେ ତାଙ୍କର ପରିବାରଲୋକେ ଏବେ ଚାରିଆଡୁ ସାହାଯ୍ୟର ଭିକ୍ଷା ମାଗିବା ଆରମ୍ଭ କରିଛନ୍ତି। ଡାକ୍ତର କହିବା ମୁତାବକ ଅପରେସନ ପାଇଁ ୧୨ରୁ ୧୫ ଲକ୍ଷ ଟଙ୍କା ଆବଶ୍ୟକ। ତେଣୁ ଏହି ଟଙ୍କା ଯୋଗାଡ଼ କରିବାକୁ ତାଙ୍କ ପରିବାର ଲୋକେ ଏବେ ଚାରିଆଡ଼େ ଆକୁଳ ନିବେଦନ କରୁଛନ୍ତି।

ଆପଣ ଯଦି ସୁଚିସ୍ମିତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ୮୮୯୫୩୭୮୩୪୫ରେ ଗୁଗୁଲ ପେ’ କରିପାରିବେ। ଏଥିସହିତ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଯୋଗେ ମଧ୍ୟ ସହଯୋଗ କରିପାରିବେ। ବ୍ୟାଙ୍କ ଆକାଉଣ୍ଟ ନମ୍ବର- 20105118427 (IFSC – SBIN 0012095)

Comment