ଓଡ଼ିଶାଲାଇଭ୍ ବ୍ୟୁରୋ

ଉଚ୍ଚତା ୪ଫୁଟ୍। ଛୋଟିଆ ମୁଖା। ଏଥର ଦଶହରାରେ ଦଶଭୂଜା ମା’ ଦୁର୍ଗାଙ୍କ ରୂପ ଦିଶିବ ବେଶ୍ ଆକର୍ଷଣୀୟ। ସତେ ଯେମିତି କୁମାରୀ ବେଶରେ ସଜେଇ ହେବେ ମା’। ବର୍ଷ ବର୍ଷ ଚଳିଆସୁଥିବା ବିଭିନ୍ନ ମଣ୍ଡପରେ ମା’ଙ୍କ ମୁଖାରେ ଏଥର ବିଶେଷ ପରିବର୍ତ୍ତନ ଦେଖାଯିବ। ତା’ସାଙ୍ଗକୁ ଓରିଏଣ୍ଟାଲ୍ ମୂର୍ତ୍ତି ନିର୍ମାଣ ଶୈଳୀ ଦଶହରାକୁ ସ୍ୱତନ୍ତ୍ର କରିବ।

କରୋନା କଟକଣାକୁ ନେଇ ଏଥର ଦୁର୍ଗାପୂଜାରେ ୪ଫୁଟ୍‌ର ମୃଣ୍ମୟ ମୂର୍ତ୍ତି ତିଆରି କରାଯିବ। ଯାହାଫଳରେ ସାଜସଜ୍ଜା ଏବଂ ମେଢ, ଅଳଙ୍କାର ପରିଧାନ ନେଇ ସମସ୍ୟାର ସମ୍ମୁଖିନ ହେବେ ପୂଜା କମିଟି। ଯାହାଫଳରେ ଅନେକ କମିଟି ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କରୁଥିବାର ଦେଖିବାକୁ ମିଳିଛି। ଚାନ୍ଦି, ଜରି ମେଢ ସାଙ୍ଗକୁ ଅଳଙ୍କାର ଭୂଷିତା ମା’ ଦୁର୍ଗା ଦଶହରାରେ ବେଶ୍ ଆକର୍ଷଣୀୟ ଲାଗନ୍ତି। ଏହା ପଛରେ ମୂର୍ତ୍ତି କାରିଗରଙ୍କ ନିଖୁଣ କାମ ବେଶ୍ ପ୍ରଶଂସାଯୋଗ୍ୟ। ବାଉଶ ଓ ନଡ଼ାକୁ ମାଟିର ଲେପ ଦେଇ କାରିଗର ମାନେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ତିଆରି କରିଥାନ୍ତି। ପରେ ରଙ୍ଗ ଦେବା ପରେ ମୂର୍ତ୍ତି କାରିଗରଙ୍କ କାମ ପ୍ରାୟ ଶେଷ ହୋଇଯାଇଥାଏ।ପରେ ଦେବୀ ଦୁର୍ଗାଙ୍କୁ ଅଳଙ୍କାରରେ ସଜା ଯାଇଥାଏ। ଏମିତିକି ଦେବାଦେବୀଙ୍କ ପାଇଁ ସ୍ୱତନ୍ତ୍ର ଚୁଟି ମଧ୍ୟ ବ୍ୟବହାର କରାଯାଇଥାଏ। ସେହିପରି ଦେବୀ ଦୁର୍ଗା, ସରସ୍ୱତୀ, ଲକ୍ଷ୍ମୀ, ଗଣେଶଙ୍କ ପାଇଁ ସ୍ୱତନ୍ତ୍ର ଶାଢୀ କିଣାଯାଇ ଅଣାଯାଏ। ମାନସିକଧାରୀମାନେ ମଧ୍ୟ ନିଜ ଆଡ଼ୁ ଶାଢୀ ଉପହାର କରିଥାନ୍ତି। ତେବେ ଚଳିତବର୍ଷ ଛୋଟ ମୂର୍ତ୍ତି ପାଇଁ ସମସ୍ୟା ଉପୁଜିଛି। ଦେବୀଙ୍କ ମୃଣ୍ମୟ ମୂର୍ତ୍ତି କାୟା ଛୋଟ ଥିବାରୁ ସାଜସଜ୍ଜା ଓ ଅଳଙ୍କାର ଫିଟିଂ କରିବା କାଠିକର ପାଠ। ଯଦି ଜବରଦସ୍ତ କରାଯାଏ ତେବେ ସେଥିରେ ତାରକସି ଅଳଙ୍କାରଗୁଡ଼ିକ ଭାଙ୍ଗିଯିବାର ଆଶଙ୍କା ରହିଛି।

ତେଣୁ ଅନେକ ପୂଜା କମିଟି ଓରିଏଣ୍ଟାଲ୍ ମୂର୍ତ୍ତି ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏଥିରେ ସମ୍ପୂର୍ଣ୍ଣ ମୂର୍ତ୍ତି ମାଟିର ତିଆରି ହେବ। ଦେବୀଙ୍କ ଶରୀର, ଶାଢୀ, ଅଳଙ୍କାର, ମୁକୁଟ ଆଦି ସବୁ କିଛି ମାଟିରେ ନିର୍ମାଣ କରାଯିବ। କେବଳ ସେତିକି ନୁହେଁ ମୁଖାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ। ଏନେଇ ଯୁକ୍ତି ବାଢିଛନ୍ତି ଖୋଦ୍ ବିଶ୍ୱକର୍ମା। ୧୯୮୪ମସିହାରୁ ବିଶ୍ୱକର୍ମା ଦାୟିତ୍ୱ ତୁଲାଇ ଆସୁଛନ୍ତି ସାଲେପୁର ବ୍ଲକ୍ ମୋହନାପୁର ଗ୍ରାମର କୁନୁ ବେହେରା। ସେ ରାଣୀହାଟ ଚାନ୍ଦୀନୀଚୌକ, ମାନସିଂହପାଟଣା ଓ ରାଣୀହାଟ ମାଳିସାହିର ପ୍ରତିମା ନିର୍ମାଣ କରନ୍ତି।“ଖଡମା ଠାରୁ ମୂର୍ତ୍ତି ୬ରୁ ୭ଫୁଟ ପର୍ଯ୍ୟନ୍ତ ହୋଇଥାଏ। ହେଲେ ସରକାରଙ୍କ କଟକଣା ପାଇଁ ଏଥର ମୂର୍ତ୍ତି ଛୋଟ ଆକାରର କରାଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ପୂର୍ବରୁ ମାଙ୍କ ମୁଖ ଯେଉଁଭଳି ଆକର୍ଷଣୀୟ କରାଯାଉଥିଲା ତାହା ଏବର୍ଷ ସମ୍ଭବପର ହୋଇପାରିନାହିଁ। ଖାସ୍ କରି ଚାନ୍ଦିନୀଚୌକ ଦୁର୍ଗା ମଣ୍ଡପରେ ଏକ ନିଜସ୍ୱ ପରମ୍ପରା ରହିଛି। ଏଠାରେ ମାଙ୍କ ମୂଖ ତିଆରି କରିବା ପାଇଁ ଏକ ସ୍ୱତନ୍ତ୍ର ମୂଖା ବ୍ୟବହାର କରାଯାଏ। ଯାହାକୁ ରାଜାଘର ମୂଖା କୁହାଯାଏ। ଯାହା ଶେଖବଜାରର ଜଣେ ବ୍ୟକ୍ତିଙ୍କ ଘରେ ଏହି ମୂଖା ପୂଜା ପାଇଥାଏ । ପ୍ରତ୍ୟେକ ବର୍ଷ ଦଶହରା ସମୟରେ ଉକ୍ତ ମୂଖାକୁ ଆଣି ମା’ଙ୍କ ମୂଖା ତିଆରି କରାଯାଇଥାଏ। ରାଜାରାଜୁଡା ଅମଳରୁ ଏହି ମୂଖା ବ୍ୟବହାର କରାଯାଉଛି ବୋଲି ଲୋକକଥା ରହିଛି। ହେଲେ ଏ ବର୍ଷ ଏହି ପରମ୍ପରାରେ ପରିବର୍ତ୍ତନ ଆସିଛି । ପ୍ରଥମଥର ପାଇଁ ମୂର୍ତ୍ତି ବିନା ରାଜାଘର ମୁଖାର ବ୍ୟବହାରରେ ତିଆରି କରାଯାଇଛି। ଛୋଟ ମୂର୍ତ୍ତି ବୋଲି ଏକ ଛୋଟ ମୁଖା ତିଆରି କରାଯାଇ ମୂର୍ତ୍ତି ତିଆରି ହୋଇଛି। କିନ୍ତୁ ତାହା ପୂର୍ବଭଳି ଚମକପ୍ରଦ ହେବ କି ନାହିଁ ତାହା କହିବା ମୁସ୍କିଲ”, କହିଛନ୍ତି ବିଶ୍ୱକର୍ମା ଦାୟିତ୍ୱରେ ଥିବା କାରିଗର କୁନୁ ବେହେରା।

Comment