ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ସବୁଠାରୁ ଅଧିକ ଶକ୍ତିଶାଳୀ ଗଣତନ୍ତ୍ରର ମୁଖ୍ୟ କିଏ ହେବ, ସେଥିପାଇଁ ଗଣନା ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ଫଳାଫଳ ଆସିବା ଆରମ୍ଭ ହୋଇଛି। ତଥାପି ତୁରନ୍ତ ଚୂଡ଼ାନ୍ତ ଫଳାଫଳ ମିଳିବାର ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞ ଓ ସରକାରୀ ଅଧିକାରୀମାନେ କହିଛନ୍ତି। ଚଳିତ ବର୍ଷ କରୋନା ମହାମାରୀ ପାଇଁ ଢେର୍ ଅଧିକ ପୋଷ୍ଟାଲ ଓ ଇମେଲ ଭୋଟିଂ ହୋଇଥିବାରୁ ଚୂଡ଼ାନ୍ତ ଫଳାଫଳ ଆସିବାକୁ ଏକାଧିକ ସପ୍ତାହ ଲାଗିବାର ସମ୍ଭାବନା ରହିଛି।

ତେବେ ପ୍ରାରମ୍ଭିକ ଫଳାଫଳ ଅନୁସାରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ଓ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପୂରା ଟକ୍କର ଦେଖିବାକୁ ମିଳିଛି। ଫ୍ଲୋରିଡା ଭଳି ରାଜ୍ୟଗୁଡ଼ିକରେ ଟ୍ରମ୍ପ ଆଗୁଆ ଥିବା ବେଳେ ଜର୍ଜିଆ, ପେନସିଲଭାନିଆ, ୱିସକନସିନ, ମିଚିଗାନ, ନର୍ଥ କରୋଲିନା ଭଳି ରାଜ୍ୟରେ ବିଡେନ ଆଗୁଆ ଅଛନ୍ତି। ତେବେ ଏ ସବୁ ରାଜ୍ୟରେ ଫଳାଫଳ ବଦଳିବାର ସମ୍ଭାବନା ମଧ୍ୟ ରହିଛି।ଫକ୍ସ ନ୍ୟୁଜର ଆକଳନ ଅନୁସାରେ ଜୋ ବାଇଡେନ ଆରିଜୋନା ରାଜ୍ୟରେ ସର୍ବାଧିକ ଭୋଟ ପାଇ ଜିତିପାରନ୍ତି। ଜର୍ଜିଆ ଓ ନର୍ଥ କରୋଲିନାରେ ଭୋଟ ଫଳାଫଳ ଏପଟସେପଟ ହୋଇପାରେ। ବିବିସି ରିପୋର୍ଟ ଅନୁସାରେ ଟ୍ରମ୍ପ ଆଲାବାମା, ମିସିସିପି, ଓୱୋମିଙ୍ଗ୍, ସାଉଥ କରୋଲିନା, ନେବ୍ରାସ୍କା, ଉଟାହ, ଲୋଉସିଆନା, ଇଣ୍ଡିଆନା, ନର୍ଥ ଡକୋଟା, ସାଉଥ ଡକୋଟା, କେଣ୍ଟୁସ୍କି, ଟେନିସି, ଓକ୍ଲାହୋମା, ଆର୍କାନସାନ, ଓ ୱେଷ୍ଟ ଭର୍ଜିନିଆରେ ଅଗ୍ରଣୀ ରହିବେ। ବିଡେନ ନିଜର ରାଜ୍ୟ ଡେଲାୱାରେ ସମେତ କାର୍ଲିଫନିଆ, ନ୍ୟୁୟର୍କ, ଓରେଗନ, ୱାସିଂଟନ, ଇଲିନୋଇସ, ନ୍ୟୁହାମ୍ପସାୟାର, କନେକ୍ଟିକଟ, କଲୋରାଡୋ, ଭେରମଣ୍ଟ, ମ୍ୟାରିଲାଣ୍ଡ, ମ୍ୟାସାଚ୍ୟୁସେଟ୍ସ, ନ୍ୟୁଜର୍ସି, ୱାସିଟନ ଡିସିରେ ଅଗ୍ରଣୀ ରହିବେ।

ଯିଏ ନିର୍ବାଚକମଣ୍ଡଳୀର ୨୭୦ ସଦସ୍ୟଙ୍କ ଭୋଟ ହାସଲ କରିବେ, ସିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି। ମୋଟ ୫୩୮ ନିର୍ବାଚକମଣ୍ଡଳୀ ସଦସ୍ୟ ଥିବା ବେଳେ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ବ୍ୟକ୍ତି ରାଷ୍ଟ୍ରପତି ନିର୍ବାଚିତ ହେବେ। ନ୍ୟାସନାଲ ଭୋଟିଂରେ ଅଧିକ ଭୋଟ ପାଇଥିଲେ ମଧ୍ୟ ଏହି ଇଲେକ୍ଟୋରାଲ କଲେଜ ସଦସ୍ୟଙ୍କ ଭୋଟିଂ ହି ସ୍ଥିର କରିବ ଯେ ପରବର୍ତ୍ତୀ ୪ ବର୍ଷ କାହା ନେତୃତ୍ୱରେ ରହିବ ଆମେରିକା। ଡେମୋକ୍ରାଟ ନା ରିପବ୍ଲିକ ସରକାର ରହିବ ଆମେରିକାରେ। ଯଦି ଏ ଭୋଟିଂରୁ ସ୍ଥିର ହୋଇ ନ ପାରିବ ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସିନେଟରମାନଙ୍କ ଭୋଟିଂକୁ ବିଚାରକୁ ନିଆଯିବ।

Comment