ଓଡ଼ିଶାଲାଇଭ୍‌ ବ୍ୟୁରୋ

 କେଉଁ ସବୁ ଖ୍ୟାତନାମା ସେଲିବ୍ରିଟି ଦୁନିଆକୁ ଅଲବିଦା କହିଲେ, ଜାଣନ୍ତୁ ଓଡ଼ିଶାଲାଇଭ୍ ଫ୍ଲାସବ୍ୟାକ୍ ୨୦୨୦ର ଏହି ରିପୋର୍ଟରେ।

ଆଉ କିଛି ଦିନ ପରେ କ୍ୟାଲେଣ୍ଡରେ ଯୋଡି ହୋଇଯିବ ୨୦୨୧। ପୁରୁଣାବର୍ଷର ଦୁଃଖ କଷ୍ଟକୁ ଭୁଲି ଲୋକମାନେ ଆନନ୍ଦ ଉଲ୍ଲାସର ସହ ନୂଆବର୍ଷକୁ ସ୍ୱାଗତ କରିବେ। ତଥାପି ଏହି ୨୦୨୦ରେ ଲୋକେ ହରାଇଥିବା ସେମାନଙ୍କ ପ୍ରିୟ ସେଲିବ୍ରିଟିଙ୍କୁ କେବେ ଭୁଲିପାରିବେ ନାହିଁ।

୨୦୨୦ ବର୍ଷଟି ହିନ୍ଦୀ ସିନେ ଜଗତ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ଅନେକ ନାମୀଦାମୀ ବଲିଉଡ କଳାକାର ୠଷି କପୁର, ଇରଫାନ୍ ଖାନ୍, ୱାଜିଦ୍ ଖାନ୍, ସୁଶାନ୍ତ ସିଂ ରାଜପୁତଙ୍କ ପରି କଳାକାରମାନଙ୍କ ବିୟୋଗରେ ବଲିଉଡ ଜଗତ ଭାଙ୍ଗି ପଡ଼ିଛି।

ୠଷି କପୁର

ବଲିଉଡ଼ର ରୋମାଣ୍ଟିକ୍ ନାୟକ ଭାବେ ପରିଚିତ ୠଷି କପୁର ଏପ୍ରିଲ ୩୦ ତାରିଖରେ ଶେଷ ଦୁନିଆକୁ ଅଲବିଦା କହିଥିଲେ।। କ୍ୟାନ୍ସରରେ ପୀଡ଼ିତ ମୁମ୍ବାଇସ୍ଥିତ ସାର୍ ଏଚ଼.ଏନ୍ ରିଲାଏନ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।  ୧୯୭୩ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ବବି ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ ସେ। ଏହାପରେ ଖେଲ୍ ଖେଲ୍ ମେ, ଅମର ଆକବର ଆନ୍ଥୋନି, ଦୋ ଦୋନି ଚାର୍, କପୁର ଆଣ୍ଡ ସନ୍ସ, ଲୈଲା ମଜନୁ, ସାଗର, ପ୍ରେମ୍ ରୋଗ, ଚାନ୍ଦିନୀ, ଦିୱାନା, ଦାମିନୀ ପରି ଅନେକ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ।

ଇରଫାନ୍ ଖାନ୍

ନିଜର ଦକ୍ଷ ଅଭିନୟ ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ଇରଫାନଙ୍କର ଏପ୍ରିଲ ୨୯ରେ ମତ୍ୟୁ ଘଟିଥିଲା। ୨୦୧୮ ମସିହାରୁ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମରରେ ପୀଡ଼ିତ ଥିଲେ ଇରଫାନ। ଚିକିତ୍ସିତ ହେଉଥିବାବେଳେ ମାତ୍ର ୫୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା। ୨୦୦୧ ମସିହାରେ ଫିଲ୍ମ ‘ଦି ୱାରିଅର’ ଜରିଆରେ ସେ ବଲିଉଡରେ ପାଦ ଦେଇଥିଲେ। ପରେ ‘ଦି ଲଞ୍ଚବକ୍ସ’, ‘ବ୍ଲାକମେଲ’, ମଦ୍ଦାରି, ଜଜବା, ପିକୁ, ସାହେବ ବିବି ଔର ଗ୍ୟାଙ୍ଗଷ୍ଚାର ରିଟର୍ନ୍ସ, ବିଲ୍ଲୁ, ଲାଇଫ୍ ଇନ୍ ଏ ମେଟ୍ରୋ ଆଦି ସୁପରହିଟ୍ ଫିଲ୍ମରେ ଅଭିନୟ କରି ନିଜର ସ୍ଵତନ୍ତ୍ର ପରିଚ଼ୟ ସୃଷ୍ଟି କରିଥିଲେ ସେ। ଏଥିସହ ଇରଫାନ୍ ଜୁରାସିକ୍ ୱାର୍ଲ୍ଡ, ଲାଇଫ୍ ଅଫ୍ ପାଇ, ସ୍ଲମଡଗ୍ ମିଲିଅନେୟାର ଭଳି ସୁପରହିଟ ହଲିଉଡ ଫିଲ୍ମରେ ମଧ୍ୟ ଜୀବନ୍ତ ଅଭିନୟ କରିଥିଲେ।

ୱାଜିଦ ଖାନ

ହିନ୍ଦୀ ସଂଗୀତ ଜଗତର ପ୍ରସିଦ୍ଧ ସଙ୍ଗୀତଜ୍ଞ ଯୋଡ଼ି ସାଜିଦ- ୱାଜିଦ ଯୋଡ଼ି। କିନ୍ତୁ ଜୁନ ୧ ତାରିଖରେ ସାନ ଭାଇ ୱାଜିଦ ଖାନଙ୍କର ମୃତ୍ୟୁ ପରେ ବଲିଉଡର ଏହି ସଫଳ ଯୋଡ଼ି ଭାଙ୍ଗିଯାଇଛି। ୱାଜିଦ୍ କିଡ଼ନୀଜନିତ ରୋଗରେ ପୀଡ଼ିତ ଥିଲେ। ସେ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ହୃଦଘାତରେ ପ୍ରାଣ ହରାଇଥିଲେ। ମୃତ୍ୟୁବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା।

ବଡ଼ ଭାଇ ସାଜିଦଙ୍କ ସହ ମିଶି ସେ ଦବଙ୍ଗ ସିରିଜ୍, ପାର୍ଟନର, ଏକ୍ ଥା ଟାଇଗର, ଦିୱାନା ଆଦି ଚଳଚ଼ିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତେବେ ସେ କରୋନା ପଜିଟିଭ ଥିଲେ ବୋଲି କିଛି ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ହୃଦଘାତ ଯୋଗୁ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।ସୁଶାନ୍ତ ସିଂ ରାଜପୁତ

ବଲିଉଡର ଜଣେ ଉଦୀୟମାନ କଳାକାର ସୁଶାନ୍ତ ସିଂ ରାଜପୁତ ଜୁନ ୧୪ ତାରିଖରେ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ବେକରେ ରଶି ଲଗାଇ ସୁଶାନ୍ତ ଆତ୍ମହତ୍ୟା କରିବା ସମସ୍ତଙ୍କୁ ଚକିତ କରିଥିଲା। ଏଭଳି ଜଣେ ଉଚ୍ଚକୋଟିର କଳାକାରଙ୍କୁ ହରାଇ ସମଗ୍ର ବଲିଉଡ ଜଗତ ମର୍ମାହତ ହୋଇପଡ଼ିଥିଲା। ସୁଶାନ୍ତ ପ୍ରଥମେ ପବିତ୍ର ରିସ୍ତା ସିରିଏଲରୁ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ୨୦୧୩ ମସିହାରେ କାଇ ପୋ ଛେ ଫିଲ୍ମ ଜରିଆରେ ସେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ। ଏହାପରେ ସୁଦ୍ଧ ଦେଶୀ ରୋମାନ୍ସ, ଡିରେକ୍ଟିଭ୍, ବ୍ୟୋମକେଶ ବକ୍ସି, କେଦାରନାଥ, ଛିଛୋରେ, ଏମ୍ ଏସ୍ ଧୋନି: ଦି ଅନଟୋଲ୍ଡ ଷ୍ଟୋରୀ ଆଦି ଫିଲ୍ମରେ ଚମତ୍କାର ଅଭିନୟ କରିଥିଲେ। ମାତ୍ର ୩୪ ବର୍ଷ ବୟସରୁ ତାଙ୍କର ଅକସ୍ମାତ ମୃତ୍ୟୁ ସମଗ୍ର ବଲିଉଡ଼କୁ ସ୍ତବ୍ଧ କରି ଦେଇଥିଲା।

ବାସୁ ଚାଟାର୍ଜୀ

ଜୁନ୍‌ ୪ ବରିଷ୍ଠ ଫିଲ୍ମ ନିର୍ମାତା ବାସୁ ଚାଟାର୍ଜୀଙ୍କ ପରଲୋକ ଘଟିଥିଲା। ‘ଛୋଟି ସି ବାତ’,‘ରଜନୀଗନ୍ଧା’,‘ବାତୋଁ ବାତୋଁ ମେଁ’,‘ଏକ ରୁକା ହୁଆ ଫୈସଲା’ ଏବଂ ‘ଚମେଲି କି ଶାଦି’ ଭଳି ଫିଲ୍ମ ପାଇଁ ସେ ବେଶ୍‌ ପରିଚିତ। ଇଣ୍ଡଷ୍ଟ୍ରିରେ ବାସୁ ଦା ନାମରେ ଜଣାଶୁଣା ଥିଲେ। ରୋମାଣ୍ଟିକ ଫିଲ୍ମ ନିର୍ମାଣ କରିବାରେ ସେ ଧୁରନ୍ଧର ଥଲେ।Saroj Khan-1

ସରୋଜ ଖାନ

୨୦୨୦, ଜୁଲାଇ ୩ରେ ବିଶିଷ୍ଟ କୋରିଓଗ୍ରାଫର ସୁରୋଜ ଖାନଙ୍କ ମୃତ୍ୟୁ ଘଟିଥିଲା। ଶ୍ରୀଦେବୀ, ମାଧୁରୀ ଦୀକ୍ଷିତଙ୍କ ଭଳି ନାୟିକାଙ୍କୁ ସେ ନଚାଇଥିଲେ। ପ୍ରାୟ ଦୁଇ ହଜାରରୁ ଅଧିକ ଗୀତରେ ସେ କୋରିଓଗ୍ରାଫି କରିଥିଲେ। ଏକ ଦୋ ତିନ, ହଓ୍ୱା ହଓ୍ୱାଇ, ଡୋଲାରେ ଭଳି ଲୋକପ୍ରିୟ ଗୀତଗୁଡ଼ିକରେ ତାଙ୍କ କୋରିଓଗ୍ରାଫି ଦେଖିବାକୁ ମିଳିଥିଲା।

ବାଲାସୁବ୍ରମଣ୍ୟମ

ସେପ୍ଟେମ୍ବର ୨୫ରେ ଲୋକପ୍ରିୟ ଗାୟକ ବାଲା ସୁବ୍ରମଣ୍ୟମଙ୍କୁ ହରାଇଥିଲେ ଦେଶବାସୀ। ବାଲାସୁବ୍ରମଣ୍ୟମ ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦେଇଛନ୍ତି। ବିଶେଷକରି ପେହେଲା ପେହେଲା ପ୍ୟାର ହେ, ଦିକତାନା ଦିକତାନା, ମେରେ ଜୀବନ ସାଥୀ, ଆଜା ଶାମ୍ ହୋନେ ଆଇ ଭଳି ତାଙ୍କର ଲୋକପ୍ରିୟ ଗୀତ ଦର୍ଶକମାନଙ୍କ ମନକୁ ଛୁଇଁ ପାରିଥିଲା। ୬୦ ଦଶକରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ବାଲାସୁବ୍ରମଣ୍ୟମ ପ୍ରାୟ ୪୦ ହଜାର ଗୀତ ଗାଇଥିବା ସୂଚନା ରହିଛି।

Comment