ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନର ବ୍ୟବଧାନ ପରେ ରାଜସ୍ଥାନରେ ପୁଣିଥରେ ଆରମ୍ଭ ହୋଇଯାଇଛି କ୍ଷମତା ରାଜନୀତି। ରାଜ୍ୟର ଶାସନରେ ଥିବା ଗେହଲଟ ସରକାରକୁ ଭାଙ୍ଗିବାକୁ ପୁଣି ‘ଅପରେସନ କମଲ’ ଜରିଆରେ ଅଣ୍ଟା ଭିଡିଛି ବିଜେପି। ଯାହାର ଫଳସ୍ୱରୂପ ଭାରତୀୟ ଟ୍ରାଇବାଲ୍ ପାର୍ଟି (BTP)ର ଦୁଇ ବିଧାୟକ କଂଗ୍ରେସ ସରକାରରୁ ନିଜର ସମର୍ଥନ ଫେରେଇ ନେଇଛନ୍ତି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ସେଠାରେ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି। ଯେଉଁ କାରଣରୁ ଏବେ ଦଳ ଭିତରେ ବିଦ୍ରୋହର ସ୍ୱର ଦେଖିବାକୁ ମିଳୁଛି। ଦଳର କିଛି ନେତା ନାରାଜ ଥିବା ମଧ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି।

ଏନେଇ ପୂର୍ବରୁ ମଧ୍ୟ ଥରେ ଗେହଲଟ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ। ସେ ସମୟରେ କିନ୍ତୁ ସରକାରରେ ଆଉ କୌଣସି ଅସ୍ଥିରତା ଦେଖାଦେଇନଥିଲା। ଏହାପରେ ଏବେ ପୁଣିଥରେ ସେଠାରେ କ୍ଷମତାଯୁଦ୍ଧର ଲଢ଼େଇ ଦେଖିବାକୁ ମିଳିଛି।କଂଗ୍ରେସଠୁ ଅଲଗା ହେଲା ବିଟିପି

୨୦୧୮ ମସିହାରେ ରାଜସ୍ଥାନରେ ଯେତେବେଳେ ଗେହଲଟ ସରକାର ଗଠନ ହେଲା ସେତେବେଳେ ଭାରତୀୟ ଟ୍ରାଇବାଲ ପାର୍ଟି ଏହାକୁ ସମର୍ଥନ କରିଥିଲା। ବିଟିପିର ଦୁଇ ବିଧାୟକଙ୍କ ସମର୍ଥନ ସହ ରାଜ୍ୟରେ ୟୁପିଏ ସରକାର ଗଠନ ହୋଇଥିଲା, ଯାହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଅଶୋହ ଗେହଲଟ।

କିଛି ଦିନ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ନେଇ କିନ୍ତୁ କଂଗ୍ରେସ ଓ ବିଟିପି ଭିତରେ ମତଭେଦ ଦେଖିବାକୁ ମିଳିଥିଲା। ବିଟିପି ଅଭିଯୋଗ କରିଥିଲା ଯେ ନିର୍ବାଚନରେ କଂଗ୍ରେସ ନେତା ତାଙ୍କୁ ସାହାଯ୍ୟ କରିନଥିଲେ। ଏହାକୁ ନେଇ ବିବାଦ ମଧ୍ୟ ଦେଖାଦେଇଥିଲା। ହେଲେ ଏହାର କିଛି ଦିନ ପରେ ବିଟିପି କଂଗ୍ରେସଠାରୁ ଅଲଗା ହୋଇଯାଇଛି।ଏହାପୂର୍ବରୁ ମଧ୍ୟ ଜୁଲାଇ ମାସରେ ରାଜସ୍ଥାନରେ ରାଜନୈତିକ ସଙ୍କଟ ଦେଖିବାକୁ ମିଳିଥିଲା। ସେ ସମୟରେ ଉପ-ମୁଖ୍ୟମନ୍ତ୍ରୀ ତଥା ପିସିସି ସଭାପତି ଥିବା ସଚିନ ପାଇଲଟ ତାଙ୍କ ସମର୍ଥିତ ବିଧାୟକଙ୍କୁ ନେଇ ଦିଲ୍ଲୀ ଚାଲିଆସିଥିଲେ। ପାଇଲଟ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବେ ବୋଲି ସେ ସମୟରେ ଜୋରଦାର ଚର୍ଚ୍ଚା ହେଲା। ଯାହାଫଳରେ ରାଜସ୍ଥାନରେ ଗେହଲଟ ସରକାର ଥରହର ହେବାକୁ ଲାଗିଥିଲା।

କଂଗ୍ରେସ ତମାମ ନେତାଗଣ ସଚିନ ପାଇଲଟଙ୍କ ସହ କଥାହେବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇନଥିଲେ। ଶେଷରେ ପ୍ରିୟଙ୍କା ଗାନ୍ଧୀ ପାଇଲଟଙ୍କ ସହ କଥା ହେବା ପରେ ମାମଲା ଶାନ୍ତ ପଡ଼ିଥିଲା। ଗେହଲଟ ସରକାର ଭାଙ୍ଗିବାରୁ ଅଳ୍ପକେ ବର୍ତ୍ତିଯାଇଥିଲା।

Comment