ଓଡ଼ିଶାଲାଇଭ୍ ବ୍ୟୁରୋ

ଡାକ୍ତରର ପୁଅ ଡାକ୍ତର, ହିରୋର ପୁଅ ହିରୋ କିମ୍ବା ରାଜନେତାର ପୁଅ ରାଜନେତା ହେବାର ଅଗଣିତ ଉଦାହରଣ ରହିଛି ସମଗ୍ର ବିଶ୍ୱରେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ମୁଖ୍ୟମନ୍ତ୍ରୀ ହେବାର ଉଦାହରଣ ହାତଗଣତି। କିଛି ବାପାଙ୍କ ହାତ ଧରି ରାଜନୀତି ଶିଖିଛନ୍ତି, ଆଉ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କିନ୍ତୁ ଆଉ କିଛି ନିଜ ଦମରେ ରାଜନୀତିକୁ ନିୟନ୍ତ୍ରଣ କରିଛନ୍ତି। ଲୋକଙ୍କ ଆଶୀର୍ବାଦରୁ ରାଜ୍ୟର ନେତୃତ୍ୱ ନେଇଛନ୍ତି।ବିଜୁ ପଟ୍ଟନାୟକ-ନବୀନ ପଟ୍ଟନାୟକ

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ୨ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କେବଳ ରାଜ୍ୟ ନୁହେଁ, ଜାତୀୟ ରାଜନୀତିକୁ ପ୍ରଭାବିତ କରୁଥିବା ରାଜନେତା ଥିଲେ ବିଜୁ ପଟ୍ଟନାୟକ। ଲୋକପ୍ରିୟତା ଦୃଷ୍ଟିରୁ ସେ ତାଙ୍କ ସମୟରେ ଶୀର୍ଷରେ ଥିଲେ। କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ରାଜ୍ୟରେ ଥରେ କଂଗ୍ରେସ ଦଳରୁ ଏବଂ ଆଉ ଥରେ ଜନତାଦଳର ନେତୃତ୍ୱ ନେଇ ସରକାର ଗଢ଼ିଥିଲେ। ବିଜୁ ପଟ୍ଟନାୟକ ପ୍ରଥମ ଥର ପାଇଁ ୧୯୬୧ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତା ପରେ ୧୯୯୦ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ସେ ବଞ୍ଚିଥିବା ସମୟରେ ରାଜନୀତିରେ ପ୍ରବେଶ କରି ନ ଥିଲେ ତାଙ୍କ ପୁଅ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ବିଜୁ ଜନତା ଦଳ ଗଠନ ହୋଇଥିଲା। ସେବେଠାରୁ ନବୀନ ସଫଳତାର ସହ ଦଳର ନେତୃତ୍ୱ ନେବା ସହ ଲଗାତର ୫ ଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିଛନ୍ତି। ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ସଫଳତାର ସହ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି।ମୁଲାୟମ ସିଂ ଯାଦବ-ଅଖିଳେଶ ସିଂ ଯାଦବ

ସମାଜବାଦୀ ନେତା ମୁଲାୟମ ସିଂହ ଯାଦବ ୩ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ବି ହୋଇଛନ୍ତି ମୁଲାୟମ। ବହୁଦିନ ଧରି ଜାତୀୟ ରାଜନୀତିକୁ ପ୍ରଭାବିତ କରିଛନ୍ତି। ସେ ୧୯୮୯ରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ, ତା ପରେ ୧୯୯୩ ଓ ୨୦୦୩ରେ ଭାରତର ସବୁଠାରୁ ବଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ କେବେ ବି କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବାର ସୁଯୋଗ ପାଇନାହାନ୍ତି। ତାଙ୍କ ପୁଅ ଅଖିଳେଶ ସିଂ ଯାଦବ ମଧ୍ୟ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ସେ ଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟି ୨୦୧୭ରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ବିଫଳ ହୋଇଥିଲା।ଏଚଡି ଦେବେଗୌଡ଼ା-ଏଚଡି କୁମାରସ୍ୱାମୀ

୧୯୯୪ ମସିହାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏଚଡି ଦେବେଗୌଡ଼ା। ପରେ ସେ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥିଲେ। ତାଙ୍କ ପୁଅ ଏଚଡି କୁମାରସ୍ୱାମୀ ମଧ୍ୟ ଦୁଇ ଦୁଇଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ଉଭୟ ବାପା ଓ ପୁଅ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳ ପୂରା କରିପାରିନାହାନ୍ତି। ୧୯୯୪ରେ ଦେବେଗୌଡ଼ା ଜନତା ଦଳ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ଜନତା ଦଳ ବିଭାଜନ ହେବା ପରେ ତାଙ୍କ ପୁଅ ଜନତା ଦଳ(ଧର୍ମନିରପେକ୍ଷ) ଓ ବିଜେପି ମିଳିତ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ବିଜେପି ସହ ବୁଝାମଣା ଅନୁସାରେ ସେ ମୁଖ୍ୟମନ୍ତ୍ରୀ ପଦ ନ ଛାଡ଼ିବାରୁ ସରକାର ଭାଙ୍ଗିଯାଇଥିଲା। ତେବେ ୨୦୧୮ରେ କଂଗ୍ରେସ ସମର୍ଥନରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ, ଏହି ସରକାର ବେଶୀ ଦିନ ଚାଲି ପାରି ନ ଥିଲା। କଂଗ୍ରେସର ୧୩ ଓ ଜେଡିଏସର ୩ ଜଣ ବିଧାୟକ ଇସ୍ତଫା ଦେବା ପରେ ତାଙ୍କ ସରକାର ସଂଖ୍ୟାଲଘୁ ହୋଇଥିଲା ଏବଂ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।ଶେଖ୍ ଅବଦୁଲ୍ଲା-ଫାରୁକ୍ ଅବଦୁଲ୍ଲା-ଓମାର ଅବଦୁଲ୍ଲା

ବାପା, ପୁଅ ଓ ନାତି ମୁଖ୍ୟମନ୍ତ୍ରୀ ୩ ଜଣ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ଭାରତୀୟ ରାଜନୀତିରେ ଏକମାତ୍ର ଘଟଣା। ସ୍ୱାଧୀନତା ପରେ ପରେ ଯେତେବେଳେ ରାଜ୍ୟରେ ପ୍ରଧାନମନ୍ତ୍ରୀ ପଦ ଥିଲା, ସେତେବେଳେ ଫାରୁକ ଅବଦୁଲ୍ଲାଙ୍କ ବାପା ଶେଖ୍ ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୪୮ରୁ ୧୯୫୧ ଯାଏଁ ସେ ଜମ୍ମୁକଶ୍ମୀରର ପ୍ରଧାନମନ୍ତ୍ରୀ ଥିଲେ। ତା ପରେ ସେ ୧୯୭୫ରୁ ୧୯୭୭ ଯାଏଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ୧୯୭୭ରୁ ରାଜ୍ୟପାଳ ଶାସନ ଚାଲିଥିଲା। ତା ପରେ ସେ ୧୯୭୭ରେ ନ୍ୟାସନାଲ କନଫରେନ୍ସ ପାର୍ଟି ସରକାରରେ ୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ଫାରୁକ ଅବଦୁଲ୍ଲା ମଧ୍ୟ ୨ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଫାରୁକ୍ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା ମଧ୍ୟ ଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଅବଦୁଲ୍ଲା ପରିବାରର ଜାତୀୟ ରାଜନୀତିରେ ବେଶ୍ ଦବଦବା ଥିଲା।ଶିବୁ ସୋରେନ-ହେମନ୍ତ ସୋରେନ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାପା ଶିବୁ ସୋରେନ ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଅବଶ୍ୟ ସେ କେବେ ବି ପୂର୍ଣ୍ଣକାଳ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହିନାହାନ୍ତି। ପ୍ରଥମ ଥର ୨୦୦୫ରେ ୧୦ ଦିନ ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ୨୦୦୮ରେ ୧୪୫ ଦିନ ଓ ପରେ କିଛି ଦିନ ରାଷ୍ଟ୍ରପତି ଶାସନ ଚାଲିବା ପରେ ସେହି ୨୦୦୮ ମସିହାରେ ୧୫୩ ଦିନ ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଶିବୁ ସୋରେନ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି। ୟୁପିଏ ସରକାରରେ ସେ କୋଇଲା ମନ୍ତ୍ରୀ ହୋଇଥିଲେ। ସେ ୮ ଥର ସାଂସଦ ମଧ୍ୟ ହୋଇଛନ୍ତି। ତେବେ ତାଙ୍କ ପୁଅ ହେମନ୍ତ ସୋରେନ ପ୍ରଥମ ଥର ୨୦୧୪ରେ ୧୬୮ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ୨୦୧୯ରୁ ଏପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ପଦବୀରେ ଅଛନ୍ତି।ଦେବୀଲାଲ-ଓମପ୍ରକାଶ ଚୌତଲା

ଦେବୀଲାଲ ଓ ତାଙ୍କ ପୁଅ ଓମପ୍ରକାଶ ଚୌତଲା ଉଭୟ ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଦେବୀଲାଲ, ଭିପି ସିଂହ ଓ ଚନ୍ଦ୍ରଶେଖରଙ୍କ ସରକାରରେ ଉପ ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ। ସେ ୧୯୭୯ ଓ ୧୯୮୭ରେ ଦୁଇ ଥର ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ପୂର୍ଣ୍ଣକାଳ ଶାସନ କରିପାରିନାହାନ୍ତି। ତାଙ୍କ ପୁଅ ଓମପ୍ରକାଶ ଚୌତଲା ୪ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ପ୍ରଥମେ ୧୯୮୯ରେ ୧୭୧ ଦିନ, ୧୯୯୦ରେ ୫ ଦିନ, ୧୯୯୧ରେ ୧୫ ଦିନ ଓ ୧୯୯୯ରେ ପୂର୍ଣ୍ଣକାଳ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।ଶଙ୍କର ରାଓ ଚହ୍ୱାନ–ଅଶୋକ ଚହ୍ୱାନ

ମହାରାଷ୍ଟ୍ରରେ କଂଗ୍ରେସ ରାଜନୀତିର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଏହି ବାପାପୁଅ। ଶଙ୍କର ରାଓ ରାଜୀବ ଗାନ୍ଧୀଙ୍କ ସରକାରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଓ ପିଭି ନରସିଂହା ରାଓଙ୍କ ସରକାରରେ ଗୃହମନ୍ତ୍ରୀ ହୋଇଥିଲେ। ସେ ୧୯୮୬ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ମାତ୍ର ୨ ବର୍ଷ ପାଇଁ ସେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। ତାଙ୍କ ପୁଅ ଅଶୋକ ମଧ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ଖୁବ କମ ସମୟ ପାଇଁ ଏହି ପଦବୀରେ ଥିଲେ।ୱାଇ ରାଜଶେଖର ରେଡ୍ଡି-ଜଗନ ମୋହନ ରେଡ୍ଡି

ଆନ୍ଧ୍ରପ୍ରଦେଶରେ କଂଗ୍ରେସ ସରକାରରେ ଲଗାତର ୨ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ୱାଇ ରାଜଶେଖର ରେଡ୍ଡି। ୨୦୦୪ରେ ପ୍ରଥମଥର ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇ କାର୍ଯ୍ୟକାଳ ଶେଷ କରିଥିଲେ। ତେବେ ୨୦୦୯ରେ ସେ କଂଗ୍ରେସକୁ ଜିତାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ କାର୍ଯ୍ୟକାଳ ଶେଷ କରିପାରି ନ ଥିଲେ। ବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିଲେ। ତାଙ୍କ ପୁଅ ଜଗନ ମୋହନ ରେଡ୍ଡି ମୁଖ୍ୟମନ୍ତ୍ରୀ ଆସନ ଦାବି କରିଥିଲେ ମଧ୍ୟ ତାଙ୍କୁ କଂଗ୍ରେସ ସେ ଦାୟିତ୍ୱ ଦେଇ ନ ଥିଲା।

ପରେ ସେ ୱାଇଏସଆର କଂଗ୍ରେସ ଗଠନ କରି ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିଥିଲେ। ତେବେ ତାଙ୍କୁ ଏଥିରେ ସଫଳତା ମିଳି ନ ଥିଲା। କିନ୍ତୁ ଆନ୍ଧ୍ର ବିଭାଜନ ହେବା ପରେ ୨୦୧୯ରେ ତାଙ୍କ ଦଳ ଆନ୍ଧ୍ରପ୍ରଦେଶରେ ବିପୁଳ ସମର୍ଥନ ହାସଲ କରି ସରକାର ଗଠନ  କରିଥିଲା ଏବଂ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Comment