ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହାଘର ସିଜିନ ଚାଲିଥିବାରୁ ଚଳିତ ସପ୍ତାହଠାରୁ ଅନେକ ବିବାହ ଉତ୍ସବ ଅନୁଷ୍ଠିତ ହେଉଛି। ଏହାଯୋଗୁଁ ଭୁବନେଶ୍ୱର ମହାନଗର ନିଗମର ଚିନ୍ତା ବଢିଛି। ବିଶେଷ କରି କରୋନା ନିୟମକୁ କିଭଳି କଡ଼ାକଡ଼ି କରାଯିବ ସେ ନେଇ ବିଏମସି ଭୀଷଣ  ଚାଲେଞ୍ଜର ସମ୍ମୁଖୀନ ହୋଇଛି।

ଖବର ଅନୁଯାୟୀ ଡ଼ିସେମ୍ବର ୯ ଓ ୧୧ ତାରିଖରେ ରାଜଧାନୀରେ ଅତି କମରେ ୪୦୦ ବାହାଘର ଅନୁଷ୍ଠିତ ହୋଇଥିଲା। ଆଗକୁ ଜାନୁଆରି ମାସରେ ମଧ୍ୟ ଏହିଭଳି ଅନେକ ବିବାହ ଉତ୍ସବ ହେବାର ସମ୍ଭାବନା ରହିଛି।

ବିବାହ ଉତ୍ସବରେ ଲୋକେ କରୋନା ନିୟମ ମାନୁଛନ୍ତି କି ନା ତାହା ଦେଖିବା ପାଇଁ ବିଏମସି ୫ଟି ସ୍କ୍ୱାର୍ଡ ଗଠନ କରିଛି। ଏଥିରେ ତିନି ଯୋନର ସ୍କ୍ୱାର୍ଡ ମଧ୍ୟ ସାମିଲ ହୋଇଛନ୍ତି। କିଭଳି ଗହଳିକୁ କମା ଯାଇପାରିବ ଓ ଅତିଥିମାନେ ସାମାଜିକ ଦୂରତ୍ୱ ବଜାୟ ରଖି ପାରିବେ ସେଥିପାଇଁ ଏହି ସବୁ ବିବାହ ମଣ୍ଡପ  ଉପରେ ନଜର ରଖାଯାଉଛି ବୋଲି କହିଛନ୍ତି ବିଏମସିର ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ।

କୋଭିଡ ନିୟମ ଅନୁଯାୟୀ ବିବାହ ଉତ୍ସବରେ ଅତି ବେଶୀରେ ୧୦୦ ଜଣ ଉପସ୍ଥିତ ରହି ପାରିବେ। ତେବେ ପ୍ରକୃତ ସଂଖ୍ୟା ତା’ ଠାରୁ ଢ଼େର ଅଧିକ ହେଉଥିବା ଯୋଗୁଁ କିଭଳି କରୋନା ନିୟମକୁ କଡ଼ାକଡ଼ି କରାଯିବ ତାହା ବିଏମସି ପାଇଁ ସମସ୍ୟା ସୃଷ୍ଟି କରିଛି। ଯେହେତୁ ଜାନୁଆରି ମାସରେ ଆଉ ଏକ ପର୍ଯ୍ୟାୟ କରୋନା ସଂକ୍ରମଣର ଆଶଙ୍କା ରହିଛି ସେଥିପାଇଁ ବିଏମସି ଚାହୁଁଚି ଏଭଳି ଅଘଟଣ ନହେଉ।

ଏହି ସ୍ଥିତିକୁ ଦୃଷ୍ଟିରେ ରଖି ନିଗମ କରୋନା ଟେଷ୍ଟକୁ ଗୁରୁତ୍ୱ ଦେଉଛି ଯାହା ଫଳରେ କି ସଂକ୍ରାନ୍ତଙ୍କୁ ଗହଳିଠାରୁ ଦୂରରେ ରଖି ହେବ। ଏବେ ଭୁବନେଶ୍ୱରରେ ଦୈନିକ ପ୍ରାୟ ୨୦୦୦ ଟେଷ୍ଟ ହେଉଛି। ତେବେ ଯିଏ ଚାହୁଁଛି ତାର ହିଁ ଟେଷ୍ଟ କରାଯାଉଛି। ବିଗତ ଦୁଇ ତିନି ଦିନ ମଧ୍ୟରେ ନୂଆ ମାମଲା ସାମ୍ନାକୁ ଆସିଥିବାରୁ ବିଏମସି ହାତେ ମାପି ଚାଖଣ୍ଡେ ଚାଲୁଥିବା ଦେଖା ଯାଉଛି।

Comment