ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜନୀତିରେ କ୍ଷମତାର ମୋହ ବିଚିତ୍ର। କେତେବେଳେ ଚରମ ଶତ୍ରୁ ସହ ହାତ ମିଶାଇବାକୁ ପଡ଼େ ତ ଆଉ କେତେବେଳେ ପରିବାର ଭିତରେ ଲଢ଼ିବାକୁ ପଡ଼େ। ଚୌକିର ଚିନ୍ତା ବି ଚମତ୍କାର; ସେହି ଚୌକି ବାପା ପୁଅ, ଭାଇ ଭାଇ ଆଉ ଭାଇ ଭଉଣୀ ଭିତରେ ପାଚେରୀ ଭଳି ଠିଆହୁଏ। ଏମିତି ଅନେକ ଅଲୋଡ଼ା ଘଟଣା ଲିପିବଦ୍ଧ ହୋଇଛି ଭାରତୀୟ ରାଜନୈତିକ ଇତିହାସରେ…
ଶର୍ମିଷ୍ଠା ମୁଖାର୍ଜୀ-ଅଭିଜିତ ମୁଖାର୍ଜୀ

ରାଜନୈତିକ ପରିବାର ଭିତରେ ସବୁଠାରୁ ନୂଆ ବିବାଦ ଦେଖିବାକୁ ମିଳିଛି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ଓ ପୁଅ ଅଭିଜିତଙ୍କ ମଧ୍ୟରେ। ଖୁବଶୀଘ୍ର ପ୍ରଣବ ମୁଖାର୍ଜୀଙ୍କ ଆତ୍ମଜୀବନୀ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ ପ୍ରକାଶ ପାଇବାକୁ ଥିବାବେଳେ ଏହାପୂର୍ବରୁ ଏହାର ପ୍ରକାଶନକୁ ନେଇ ଭାଇଭଉଣୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି।

ଅଭିଜିତ ଟୁଇଟରରେ ଏହି ବହିର ପ୍ରକାଶନ ବନ୍ଦ କରିବାକୁ ଅନୁରୋଧ କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ତାଙ୍କ ଭଉଣୀ ଶର୍ମିଷ୍ଠା। ଅଭିଜିତ ଟୁଇଟରରେ ଲେଖିଛନ୍ତି ଯେ,“ ମୁଁ ପ୍ରେସିଡେନ୍ସିଆଲ ଇୟର୍ସର ରଚୟିତାଙ୍କ ପୁଅ ଆପଣମାନଙ୍କୁ ଏହି ବହିର ପ୍ରକାଶନ ବନ୍ଦ କରିବାକୁ ଅନୁରୋଧ କରୁଛି। ମୁଁ ତାଙ୍କ ପୁଅ ହିସାବରେ ଏହାର ଚୂଡ଼ାନ୍ତ ଲେଖାକୁ ପଢ଼ିବାକୁ ଚାହୁଁଛି। ମୋ ବାପା ବଞ୍ଚିଥିଲେ ସେ ମଧ୍ୟ ଏହା କରିଥାନ୍ତେ। ଏହାର ନିର୍ଦ୍ଦିଷ୍ଟ କିଛି ଅଂଶ ମୋର ବିନା ଅନୁମତିରେ ନ୍ୟସ୍ତସ୍ୱାର୍ଥ ପାଇଁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି।”

ଅଭିଜିତ ଟୁଇଟରରେ ଏପରି ଲେଖିବା ପରେ ତାଙ୍କ ଭଉଣୀ ଶର୍ମିଷ୍ଠା ଏହାକୁ ବିରୋଧ କରି ଟୁଇଟରରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ ସେ ତାଙ୍କ ଭାଇଙ୍କୁ ଅନୁରୋଧ କରୁଛନ୍ତି କି ଅଯଥାରେ ସେ ଏହି ବହିର ପ୍ରକାଶନରେ ବାଧା ସୃଷ୍ଟି କରନ୍ତୁ ନାହିଁ। ଯାହାକୁ ନେଇ ଏବେ ନୂଆ ବିବାଦ ଉପୁଜିଛି।ସମାଜବାଦୀ ପାର୍ଟିରେ ବାପ-ପୁଅ ବିବାଦ

ସମାଜବାଦକୁ ଆଦର୍ଶ କରି ଉତ୍ତରପ୍ରଦେଶରେ ସଫଳତା ପାଇଥିବା ସମାଜବାଦୀ ପାର୍ଟିର ପୂର୍ବତନ ମୁଖ୍ୟ ମୁଲାୟମ ସିଂ ଓ ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଗୋଟିଏ ପଟେ ଅଖିଳେଶ ସିଂ ଓ ମୁଲାୟମଙ୍କ ଦାଦାପୁଅ ଭାଇ ରାମଗୋପାଳ ଯାଦବ ଥିବାବେଳେ ଅନ୍ୟପଟେ ନିଜେ ମୁଲାୟମ ସିଂ, ତାଙ୍କ ଭାଇ ଶିବପାଲ ଯାଦବ ଓ ଅମର ସିଂହ ଏକାଠି ହୋଇଥିଲେ।

ଅଖିଳେଶ ବାପାଙ୍କୁ ଚ୍ୟାଲେଞ୍ଜ କରି ତାଙ୍କ କ୍ୟାବିନେଟରୁ ଦାଦା ଶିବପାଲ ଯାଦବଙ୍କୁ ୨ ଥର ବହିଷ୍କାର କରିଥିଲେ। ଦଳର ମୁଖ୍ୟ ହିସାବରେ ମୁଲାୟମ ଅଖିଳେଶଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର ମଧ୍ୟ କରିଦେଇଥିଲେ। ଅବଶ୍ୟ ଅଖିଳେଶଙ୍କ ବାସଭବନରେ ଅଖିଲେଶଙ୍କୁ ସମର୍ଥନ କରି ୨୨୯ ବିଧାୟକଙ୍କ ମଧ୍ୟରୁ ୨୦୦ ଜଣ ଏକାଠି ହେବା ପରେ ମୁଲାୟମ ନିଷ୍ପତ୍ତି ପ୍ରତ୍ୟାହାର କରିଥିଲେ। ତଥାପି ତାଙ୍କ ପାଟିରୁ ବାହାରିଥିଲା ଯିଏ ବାପାର ହେଲାନି ସେ ଆଉ କାହାର ହେବ। ବାପ-ପୁଅଙ୍କ ମଧ୍ୟରେ ଏ ଲଢ଼େଇ ରାଜନୀତିର ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଯାଇଛି।ଷ୍ଟାଲିନ-ଆଲାଗିରି

ତାମିଲନାଡୁର କରୁଣାନିଧି ପରିବାରରେ ମଧ୍ୟ କ୍ଷମତା ଲଢ଼େଇ ଦେଖିବାକୁ ମିଳିଥିଲା। କରୁଣାନିଧିଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁଅ ଏମକେ ଆଲାଗିରି ଓ ଷ୍ଟାଲିନଙ୍କ ମଧ୍ୟରେ ଡିଏମକେ ଦଳର ନେତୃତ୍ୱକୁ ନେଇ ବିବାଦ ରହିଥିଲା। ଆଲାଗିରି ଓ ଷ୍ଟାଲିନ ଉଭୟ ରାଜନୀତିରେ ସକ୍ରିୟ ଥିଲେ। ତେବେ କରୁଣାନିଧିଙ୍କ ଉପସ୍ଥିତିରେ ହିଁ ଉଭୟଙ୍କ ମଧ୍ୟରେ କ୍ଷମତା ଲଢ଼େଇ ଦେଖିବାକୁ ମିଳିଥିଲା। ଏଥିରେ କରୁଣାନିଧିଙ୍କ ତୃତୀୟ ପତ୍ନୀଙ୍କ ଝିଅ ତଥା କାନିମୋଝି ମଧ୍ୟ ପକ୍ଷଭୁକ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ଏହା ସାଂଘାତିକ ଭାବେ ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା।ରାହୁଲ ଗାନ୍ଧୀ-ବରୁଣ ଗାନ୍ଧୀ

ରାଜୀବ ଗାନ୍ଧୀଙ୍କ ପୁଅ ହେଉଛନ୍ତି ରାହୁଲ ଗାନ୍ଦୀ ଓ ସଞ୍ଜୟ ଗାନ୍ଧୀଙ୍କ ପୁଅ ହେଉଛନ୍ତି ବରୁଣ ଗାନ୍ଧୀ। ଉଭୟ ଗୋଟିଏ ପରିବାରର କିନ୍ତୁ ରାଜନୀତି ଦୃଷ୍ଟିରୁ ଉଭୟ ଅଲଗା ଅଲଗା। ଜଣେ କଂଗ୍ରେସର ନେତା ହୋଇଥିବାବେଳେ ଆଉ ଜଣେ ବିଜେପିରେ।

ସଞ୍ଜୟ ଗାନ୍ଧୀଙ୍କ ଦେହାନ୍ତ ପରେ ରାଜୀବଙ୍କ ପରିବାରଠାରୁ ଧୀରେ ଧୀରେ ଦୂରେଇ ଯାଇଥିଲେ ବରୁଣଙ୍କ ମାଆ ମାନେକା। ଏପରିକି ସ୍ଥିତି ଏମିତି ହୋଇଥିଲା ଯେ, ୧୯୮୪ ନିର୍ବାଚନରେ ମାନେକା ରାଜୀବଙ୍କ ବିରୋଧରେ ଆମେଥିରୁ ନିର୍ବାଚନ ଲଢ଼ିଥିଲେ। ଅବଶ୍ୟ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ହେଲେ ରାଜୀବଙ୍କ ଦେହାନ୍ତ ପରେ ସୋନିଆ ରାଜନୀତିରେ ପ୍ରବେଶ କରିଥିଲେ। ଏହାର ଯଥେଷ୍ଟ ପୂର୍ବରୁ ମାନେକା ରାଜନୀତିରେ ପ୍ରବେଶ କରିସାରିଥିଲେ।ପ୍ରଥମେ ସେ ରାଷ୍ଟ୍ରୀୟ ସଞ୍ଜୟ ମଞ୍ଚ ଗଠନ କରି ନିର୍ବାଚନୀ ରାଜନୀତିରେ ପ୍ରବେଶ କରିଥିଲେ। ପରେ ଏହାକୁ ଜନତାଦଳରେ ମିଶାଇ ଜନତା ଦଳରୁ ପ୍ରାର୍ଥୀ ହୋଇ ୨ ଥର ଜିତିଥିଲେ। ପରେ ଜନତା ଦଳ ଛାଡ଼ି ସ୍ୱାଧୀନ ଭାବେ ୩ ଥର ସାଂସଦ ହୋଇଥିଲେ। ୨୦୦୪ରେ ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ିବା ପରେ ସେ ବିଜେପିରେ ମିଶିଥିଲେ। ସେବେଠାରୁ ସେ ବିଜେପିରୁ କ୍ରମାଗତ ଭାବେ ସାଂସଦ ନିର୍ବାଚିତ ହୋଇଆସୁଛନ୍ତି। ତାଙ୍କ ପୁଅ ମଧ୍ୟ ବିଜେପି ଟିକଟରୁ ୨୦୦୯ରୁ ନିର୍ବାଚନ ଜିତିଆସୁଛନ୍ତି।ବିଜୟାରାଜେ ସିନ୍ଧିଆ – ମାଧବରାଓ ସିନ୍ଧିଆ

ରାଜକୀୟ ପରିବାର ଭିତରେ ମଧ୍ୟ ଦେଖିବାକୁ ମିଳିଥିଲା ଏକ ରାଜନୈତିକ ବିବାଦ। ମାଆ ବିଜୟାରାଜେ ସିନ୍ଧିଆ ବିଜେପିରେ ଥିଲେ ଆଉ ପୁଅ ମାଧବରାଓ ସିନ୍ଧିଆ ଥିଲେ କଂଗ୍ରେସର ସୁପର ଲିଡର। ମାଆ ପୁଅଙ୍କ ବିବାଦ ରାଜମହଲରୁ ବାହାରି ପାର୍ଲିଆମେଣ୍ଟ ଓ କୋର୍ଟରୁମରେ ମଧ୍ୟ ଗୁଞ୍ଜରିତ ହୋଇଥିଲା। ଗୋଟିଏ ମହଲରେ ରହୁଥିଲେ ବି ମାଆପୁଅ ଅଲଗା ଅଲଗା ହୋଇ ରହୁଥିଲେ। ଖାଲି ସେତିକି ନୁହେଁ, ରାଜନୈତିକ ବିବାଦ ସେହି ପିଢ଼ିରେ ସୀମିତ ନ ଥିଲା।

ମାଧବରାଓ ସିନ୍ଧିଆଙ୍କ ଦୁଇ ଭଉଣୀ ମଧ୍ୟ ବିଜେପିରେ ଥିବା ବେଳେ ମାଧବରାଓଙ୍କ ପୁଅ ଜ୍ୟୋତିରାଦିତ୍ୟ କଂଗ୍ରେସର ପ୍ରମୁଖ ନେତା ଥିଲେ। ଅବଶ୍ୟ ଗତ ମଧ୍ୟପ୍ରଦେଶ ନିର୍ବାଚନ ପରେ ଅସନ୍ତୁଷ୍ଟ ହୋଇ ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିସାରିଛନ୍ତି। କିନ୍ତୁ ପୁରୁଣା ବିବାଦ ମଧ୍ୟପ୍ରଦେଶରୁ ରାଜସ୍ଥାନ ଆଉ ଦିଲ୍ଲୀରେ ଏବେ ବି ଚର୍ଚ୍ଚା ହେଉଛି।ଠାକରେ ପରିବାର

ବାଲାସାହେବ ଠାକରେଙ୍କର ଡାହାଣ ହାତ ଥିଲେ ରାଜ ଠାକରେ। ମହାରାଷ୍ଟ୍ରର ଏହି କ୍ଷମତାଶାଳୀ ରାଜନୈତିକ ପରିବାରର ପରବର୍ତ୍ତୀ ଉତ୍ତରାଧିକାରୀ ବାଲାସାହେବଙ୍କ ପରେ ତାଙ୍କ ପୁତୁରା ରାଜ ଠାକରେ ହେବେ ବୋଲି ସମସ୍ତେ ଭାବୁଥିଲେ। ହେଲେ ସମ୍ପର୍କ କେତେବେଳେ ତିକ୍ତ ହୋଇସାରିଥିଲା କେହି ଜାଣିପାରିନଥିଲେ। ଶେଷରେ ରାଜ ଠାକରେ ଶିବସେନାରୁ ଅଲଗା ହୋଇ ମହାରାଷ୍ଟ୍ର ନବନିର୍ମାଣ ସେନା ଗଠନ କରିଥିଲେ। ବଡ଼ବାପାଙ୍କ ମରାଠୀ ଆଗେ ଆଦର୍ଶକୁ ନେଇ ରାଜନୀତି କରିଥିଲେ ମଧ୍ୟ ସେ ବିଶେଷ ସଫଳ ହୋଇ ନଥିଲେ। ବାଲାସାହବଙ୍କ ପୁଅ ଉଦ୍ଧବଙ୍କ ଚାପରେ ରାଜ ଶିବସେନା ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଆଉ ରାଜ ଠାକରେଙ୍କୁ ମଧ୍ୟ ବାଲାସାହେବ ଅଟକାଇ ନ ଥିଲେ। ଯାହାର କାରଣ ପାରିବାରିକ ବିବାଦ ଥିଲା ବୋଲି କୁହାଯାଏ।

Comment