ଓଡ଼ିଶାଲାଇଭ୍ ବ୍ୟୁରୋ

କୃଷକ ଆନ୍ଦୋଳନକୁ ସମର୍ଥନ କରି ରାଜସ୍ଥାନର ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆର୍‌ଏଲ୍‌ପି) ଏନଡିଏ ମେଣ୍ଟରୁ ଓହରି ଯାଇଛି। ଶନିବାର ନାଗୋର ଲୋକସଭା ସାଂସଦ ତଥା ଆର୍‌ଏଲ୍‌ପି ମୁଖ୍ୟ ହନୁମାନ ବେନିଓ୍ଵାଲ ଏନଡିଏ ମେଣ୍ଟରୁ ତାଙ୍କ ଦଳ ସମର୍ଥନ ପ୍ରତ୍ୟାହାର କରୁଥିବା ନେଇ ଘୋଷଣା କରିଛନ୍ତି।ଶନିବାର ରାଜସ୍ଥାନ ଅଲୱାର ଜିଲ୍ଲାର ଶାହାଜାହାଁପୁର-ଖଡେ ସୀମା ନିକଟରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମ୍ବୋଧିତ କରି ସାଂସଦ କହିଛନ୍ତି ଯେ, ଯେଉଁମାନେ କୃଷକଙ୍କ ବିରୋଧୀ, ମୁଁ ସେମାନଙ୍କ ସହିତ ରହିପାରିବି ନାହିଁ।ଏହାପୂର୍ବରୁ ହନୁମାନ ଡିସେମ୍ବର ୧୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଡିସେମ୍ବର୨୬ ତାରିଖରେ ସେ ୨ ଲକ୍ଷ କୃଷକଙ୍କ ସହ ସିଙ୍ଘୁ ସୀମା ଯାତ୍ରା କରିବେ ଏବଂ ସେଠାରେ ପହଞ୍ଚିବା ପରେ ସେ ଏନଡିଏର ସହଯୋଗୀ ଦଳ ଭାବେ ରହିବେ କି ନାହିଁ ସେବାବଦରେ ନିଷ୍ପତ୍ତି ନେବେ।

ଏଥିସହ ସେ ସଂସଦରେ ଥିବା ୩ଟି ଯାକ ପଦରୁ ଇସ୍ତଫା ଦେବେ ବୋଲି ମଧ୍ୟ କହିଥିଲେ। ଏନେଇ ସେ ତାଙ୍କର ଇସ୍ତଫା ପତ୍ର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟକୁ ପଠାଇଥିଲେ।

୨୦୧୮ ମସିହାରେ ରାଜସ୍ଥାନ ବିଧାନସଭା ନିର୍ବାଚନ ବେଳେ ବିଜେପି ଛାଡି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ଗଠନ କରିଥିଲେ ହନୁମାନ ବେନିଓ୍ଵାଲ। ଏହାପରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ଏନଡିଏ ମେଣ୍ଟରେ ସାମିଲ ହୋଇ ସାଂସଦ ହୋଇଥିଲେ।

ସେପ୍ଟେମ୍ବର ମାସରେ ପଞ୍ଜାବର ଅକାଳୀ ଦଳ ମଧ୍ୟ କୃଷି ଆଇନକୁ ବିରୋଧ କରି ଏନଡିଏର ସମର୍ଥନ ପ୍ରତ୍ୟାହାର କରିନେଇଥିଲା।

Comment