ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ନୂଆ ଷ୍ଟ୍ରେନକୁ କିପରି ଚିହ୍ନିବେ ଏବଂ ଏଥିପାଇଁ କେମିତି ସତର୍କ ରହିବେ ଜାଣନ୍ତୁ।

ଭାରତରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ଏବେ ପୁଣି ସଂକ୍ରମଣର ଡର ଦେଶବାସୀଙ୍କୁ ଭୟଭୀତ କଲାଣି। କରୋନାର ନୂଆ ଷ୍ଟ୍ରେନ୍ ପାଇଁ ଲଗାତାର କିଛି ଦିନ ହେବ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ତେବେ ଏହି ନୂଆ ଷ୍ଟ୍ରେନର ଲକ୍ଷଣ କ’ଣ? କିପରି ଏଥିପାଇଁ ସତର୍କତା ଅବଲମ୍ଵନ କରିବାକୁ ପଡ଼ିବ ଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଭାରତରେ ଏଯାଏଁ ୧୮୭ ଜଣଙ୍କଠାରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି। ସେହିପରି ୬ ଜଣଙ୍କଠାରେ କେବଳ ସାଉଥ ଆଫ୍ରିକାନ ଓ ଜଣଙ୍କଠାରେ ବ୍ରାଜିଲ ଷ୍ଟ୍ରେନ ଚିହ୍ନଟ ହୋଇଛି। ଏହି ନୂଆ ଷ୍ଟ୍ରେନ ଅଧିକ ସଂକ୍ରାମକ ହୋଇଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ଭଳି ୫ଟି ରାଜ୍ୟରେ ସଂକ୍ରମଣ ବଢ଼ିଛି। ତେଣୁ ସତର୍କ ରହିବାକୁ ଏହି ୫ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।ନୂଆ ଷ୍ଟ୍ରେନରେ ଦେଖାଯାଉଥିବା ଲକ୍ଷଣ

ପୂର୍ବରୁ କରୋନାର ଯେଉଁସବୁ ଲକ୍ଷଣମାନ ଦେଖାଯାଉଥିଲା, ନୂଆ ଷ୍ଟ୍ରେନରେ ମଧ୍ୟ ସେଭଳି କିଛି ସମାନ ଲକ୍ଷଣ ରହିଛି। ସାଧାରଣତଃ ଜ୍ଵର, ଶୁଖିଲା କାଶ, ସ୍ଵାଦ ଏବଂ ବାସ୍ନା ବାରି ନ ପାରିବା ଭଳି ସମାନ ଲକ୍ଷଣ କୋରନାର ନୂଆ ଷ୍ଟ୍ରେନରେ ଦେଖିବାକୁ ମିଳୁଛି। ଏଥିସହ ଆଉ ୭ଟି ନୂଆ ଲକ୍ଷଣ ଏହି ଷ୍ଟ୍ରେନରେ ଦେଖାଯାଉଛି। ଏହି ଲକ୍ଷଣଗୁଡ଼ିକ ହେଲା;

  • ଛାତିରେ ଯନ୍ତ୍ରଣା ହେବା
  • ଗଳା ବା ତଣ୍ଟି ଦରଜ ହେବା
  • ଡାଇରିଆ ବା ତରଳ ଝାଡ଼ା ହେବା
  • ଆଖି ଧରିବା ବା ଆଖି ଲାଲ୍ ପଡ଼ି ଲୁହ ଗଡ଼ିବା
  • ମୁଣ୍ଡବିନ୍ଧା ହେବା
  • ଦେହ ହାତ କୁଣ୍ଡେଇ ହେବା
  • ନଖର ରଙ୍ଗ ପରିବର୍ତ୍ତନ ହୋଇଯିବା

ନୂଆ ଷ୍ଟ୍ରେନରୁ କିପରି ରହିବେ ସତର୍କ?

ଯଦି ଆପଣଙ୍କ ପାଖରେ ଉପରୋକ୍ତ ଲକ୍ଷଣଗୁଡ଼ିକ ମଧ୍ୟରୁ କୌଣସିଟି ବି ଦେଖାଯାଉଛି, ତେବେ ଏଥିପାଇଁ ଆପଣଙ୍କୁ କିଛି ସତର୍କତା ଅବଲମ୍ଵନ କରିବାକୁ ପଡ଼ିବ।

  • ଲକ୍ଷଣ ଦେଖାଯିବା ପରେ ତୁରନ୍ତ ନିଜର କୋଭିଡ ପରୀକ୍ଷା କରାଇ ନିଅନ୍ତୁ
  • କକ୍ଷରୋଧ ବା ଆଇସୋଲେଟେଟ ହୋଇ ରୁହନ୍ତୁ
  • ସଭା, ସମିତି କିମ୍ଵା ଜନ ଗହଳି ସ୍ଥାନରୁ ଦୂରେଇ ରୁହନ୍ତୁ
  • ଯଦି ଆପଣଙ୍କ ରିପୋର୍ଟ ପଜିଟିଭ୍ ଆସୁଛି ତେବେ କରୋନା ପାଇଁ ଆବଶ୍ୟକୀୟ ସମସ୍ତ ସତର୍କତା ଅବଲମ୍ଵନ କରନ୍ତୁ

ନୂଆ ଷ୍ଟ୍ରେନକୁ ମୁକାବିଲା କରିପାରିବ କି କରୋନା ଟିକା?

କରୋନା ମହାମାରୀର ଦମନ ପାଇଁ ବିକଶିତ ହୋଇଥିବା ବିଭିନ୍ନ ଟିକା ନୂଆ ଷ୍ଟ୍ରେନର ମୁକାବିଲା କରିପାରିବ କି ନାହିଁ ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ତେବେ ବିଶେଷଜ୍ଞମାନଙ୍କ କହିବା ଅନୁସାରେ ନୂଆ ଷ୍ଟ୍ରେନ ପୂର୍ବ କରୋନାଠାରୁ ଅପେକ୍ଷାକୃତ ଭୟଙ୍କର ଅଟେ। ଏହା ଦ୍ରୁତ ବେଗରେ ସଂକ୍ରମିତ ମଧ୍ୟ ହୋଇଥାଏ। ତେଣୁ କରୋନା ଟିକା ଏହାର ମୁକାବିଲା କରି ପାରେ ଅଥବା ନ କରାପାରେ ମଧ୍ୟ। ଯଦିଓ ଏହା ଉପରେ ଗବେଷଣା ଜାରି ରହିଛି ତଥାପି ଏ ବାବଦରେ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ। ତେଣୁ ଏବେ କେବଳ ଗୋଟିଏ ହିଁ ଉପାୟ, ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Comment