ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସହରାଞ୍ଚଳବାସୀଙ୍କ ଠାରୁ ବେଆଇନ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରାଯାଉଛି। ମହାନଗର ନିଗମ ଅଧିନରେ କାର୍ଯ୍ୟରତ ମୁଷ୍ଟିମେୟ ଅଣଓଡ଼ିଆ ବାବୁମାନଙ୍କ ସ୍ୱେଚ୍ଛାକୃତ ମନୋଭାବ ଯୋଗୁଁ ଏଭଳି ହେଉଥିବା, ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି କଂଗ୍ରେସ।

“ବିଏମସି ତା’ର ନିଷ୍ପତ୍ତିକୁ ବଳପୂର୍ବକ ଭାବରେ ସହରବାସୀଙ୍କ ଉପରେ ଲଦୁଛି। ପୂର୍ବରୁ ଯେତିକି ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରାଯାଉଥିଲା, ଏବେ ତା’ର ୧୦ ରୁ ୨୦ ଗୁଣା ଅଧିକା ଆଦାୟ କରାଯାଉଛି। ଆଗରୁ ଘରର ଆକାର ଅନୁସାରେ ଟ୍ୟାକ୍ସ ଆଦାୟ କରୁଥିଲା। ପରେ ସେହି ଟ୍ୟାକ୍ସରେ ବିଜୁଳୀ ମରାମତି, ରାସ୍ତା ପରିଷ୍କାର, ନୂତନ ରାସ୍ତା ତିଆରି, ନାଳ ନର୍ଦ୍ଦମା ସଫା ଇତ୍ୟାଦି କାମରେ ବ୍ୟବହାର କରାଯାଉଥିଲା । କିନ୍ତୁ ଏବେ ଅଣଓଡ଼ିଆ ସରକାରୀ ବାବୁଙ୍କ ପାଇଁ ଟ୍ୟାକ୍ସ ଆଦାୟ ବ୍ୟବସ୍ଥାରେ ପରିବର୍ତ୍ତନ ଘଟିଛି”, କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ।

ଟ୍ୟାକ୍ସ, ଟୋଲ, ୟୁଜର ଚାର୍ଜେସ, ଫାଇନ ଫି ଇତ୍ୟାଦି ୫୬ ପ୍ରକାରର ଟ୍ୟାକ୍ସ ବିଏମସି ଆଦାୟ କରିଥାଏ। କିନ୍ତୁ ଏବେ ଜମିର ବେଞ୍ଚ ମାର୍କ ଦାମ୍‌ରେ ଟ୍ୟାକ୍ସ ଆଦାୟ କରୁଛି ବିଏମସି। ଅର୍ଥାତ୍ ଯଦି ଗୋଟିଏ ଜମିର ବେଞ୍ଚମାର୍କ ଦାମ୍ ଏକର ପିଛା କୋଡ଼ିଏ କୋଟି ହୋଇଥାଏ, ସେଥିରୁ ବ୍ୟକ୍ତିଙ୍କ ପାଖରେ ୫ ହଜାର ସ୍କୋୟାର ଫୁଟ ଅଛି। ବ୍ୟକ୍ତି ଜଣଙ୍କ ସେଥିରୁ ଦୁଇହଜାର ବର୍ଗ ଫୁଟ ଘର କରୁଛନ୍ତି, ବଳକା ୩ ହଜାର ସ୍କୋୟାର ଫୁଟରେ ବଗିଚା କରିଛନ୍ତି କିମ୍ବା ଖାଲି ପଡ଼ିଛି, ତେବେ ବ୍ୟକ୍ତି ଜଣଙ୍କୁ ୫ ହଜାର ବର୍ଗଫୁଟର ବେଞ୍ଚ ମାର୍କ ଦାମ୍ ଅନୁସାରେ ଅଧିକ ୫ ପ୍ରତିଶତ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରାଯାଉଛି।

ଓଡ଼ିଶା ମୁନିସିପାଲ କର୍ପୋରେସନ ୨୦୦୩ ଅନୁସାରେ ବେଞ୍ଚ ମାର୍କ ଭାଲୁଏସନ ଉପରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରାନଯାଇ, ସେହି ଅଞ୍ଚଳର ୟୁନିଟ୍ ହିସାବରେ ହେବାକଥା। ଧାରା ୨୧୫ ଅନୁସାରେ ମୂଲ୍ୟ ଧାର୍ଯ୍ୟ, ଧାରା ୨୧୬ ଅନୁସାରେ ସର୍ବସାଧାରଣଙ୍କୁ ମୂଲ୍ୟ ବାବଦରେ ଅବଗତ, ଧାରା ୨୧୭ ଅନୁସାରେ ନିର୍ଦ୍ଦିଷ୍ଠ ଅଞ୍ଚଳର ଅଧିବାସୀମାନଙ୍କ ଅଭିଯୋଗ ଓ ୨୧୮ ଅନୁସାରେ ଏକ ମୂଲ୍ୟାୟନ ଟ୍ରିବୁନାଲ ଗଠନ କରାଯିବା କଥା। ଶେଷରେ ଧାରା ୨୨୬ ଅନୁସାରେ ଜନଶୁଣାଣୀ କରିବା କଥା। କିନ୍ତୁ ଏସବୁ କୌଣସି ଧାରା କାର୍ଯ୍ୟକାରୀ କରାଯାଉନାହିଁ।ଲୋକମାନଙ୍କଠାରୁ ଜବରଦସ୍ତ ଟ୍ୟାକ୍ସ ଆଦାୟ କରାଯାଉଛି। ତେଣୁ ଭୁବନେଶ୍ୱରବାସୀ ହୋଲ୍ଡିଂ ଟ୍ୟାକ୍ସ ନଦେବାକୁ ଅନୁରୋଧ କରିଛନ୍ତି, କଂଗ୍ରେସର ପୂର୍ବତନ ଉପସଭାପତି ଶିବାନନ୍ଦ ରାୟ।

ଅପରପକ୍ଷରେ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଏବେ ଲୋକଙ୍କ ପାଖରେ ଆଗଭଳି ରୋଜଗାର ନାହିଁ । କିନ୍ତୁ ଏହି ସମୟରେ ବିଏମସି ଲୋକମାନଙ୍କଠାରୁ ବେଆଇନ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରୁଛି। ଏହାକୁ ପ୍ରତିବାଦ କରି ଜିଲ୍ଲା କଂଗ୍ରେସ ଓ ରାଜ୍ୟ କଂଗ୍ରେସ ପକ୍ଷରୁ ମାର୍ଚ୍ଚ ୧୫ରେ ବିଏମସି କାର୍ଯ୍ୟାଳୟ ଘେରାଉ କରାଯିବ । ଯେଉଁ ପର୍ଯ୍ୟନ୍ତ ଏହି ଟ୍ୟାକ୍ସ ଆଦାୟକୁ ଆଇନ ସିଦ୍ଧ କରାଯାଇନାହିଁ, ସେ ପର୍ଯ୍ୟନ୍ତ କେହି ଟ୍ୟାକ୍ସ ନଦେବାକୁ କହିଛନ୍ତି ବିଧାୟକ ସୁର।

ମାର୍ଚ୍ଚ ୯ରେ ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର ଜିଲ୍ଲା କଂଗ୍ରେସ କର୍ମୀମାନେ ମାଷ୍ଟରକ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଥିବାବେଳେ, ମାର୍ଚ୍ଚ ୧୦ ରେ ଉତ୍ତର ନିର୍ବାଚନ ମଣ୍ଡଳୀରେ ଡେପୁଟି କମିସନରଙ୍କ ଅଫିସ ଆଗରେ ବିକ୍ଷୋଭ, ୧୨ ତାରିଖରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଡେପୁଟି କମିସନର ଅଫିସ ଆଗରେ ବିକ୍ଷୋଭ କରାଯିବ କହିଛନ୍ତି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ। ବିଏମସି ଦ୍ୱାରା ନିର୍ମିତ ରାସ୍ତାକୁ ବାରମ୍ବାର ଭଙ୍ଗା ଯାଉଛି, ସହରରେ ରାସ୍ତାଘାଟକୁ ଠିକ୍‌ରେ ପରିଷ୍କାର କରାଯାଉ ନାହିଁ। ଏସମସ୍ତ ସମସ୍ୟାର ସମାଧାନ କରିବାରେ ବିଏମସି ଅସଫଳ, ତେବେ କାହା ସ୍ୱାର୍ଥରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରାଯାଉଛି, ଏ ସମ୍ପର୍କରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା।

ବେଆଇନ ହୋଲ୍ଡିଂ ଟ୍ୟାକ୍ସକୁ ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉପସଭାପତି ଶିବାନନ୍ଦ ରାୟ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି, ପୂର୍ବତନ ମହିଳା କଂଗ୍ରେସ ଉପସଭାନେତ୍ରୀ ରଶ୍ମି ମହାପାତ୍ର ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

Comment