ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁବ ଓଡ଼ିଆ ଷ୍ଟାର୍ଟଅପ୍ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଓଡ଼ିଶାଲାଇଭ୍‌ର ମାସିକ ୱେବ୍ସିରିଜ୍।

ପ୍ରତିଭାବାନ ଯୁବ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଓଡ଼ିଶାଲାଇଭ ପକ୍ଷରୁ ଆରମ୍ଭ ହୋଇଛି ମାସିକ ୱେବ୍‌ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ଉପସ୍ଥାପନାରେ ହେଉଥିବା ଏହି ଭିଡିଓ ସାକ୍ଷାତକାରର ପ୍ରଥମ ଅଧ୍ୟାୟ ଏପ୍ରିଲ ୧ରେ ଓଡ଼ିଶାଲାଇଭର ଫେସବୁକ୍‌ ଏବଂ ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଛି।

‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ପ୍ରଥମ ଅଧ୍ୟାୟର ଅତିଥି ହେଉଛନ୍ତି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ‘ନେଷ୍ଟ ଆୱେ’ କମ୍ପାନିର ସହ-ପ୍ରତିଷ୍ଠାତା ଅମରେନ୍ଦ୍ର ସାହୁ। ଏହି ଯୁବ ଓଡ଼ିଆ ଉଦ୍ୟୋଗୀଙ୍କ ଷ୍ଟାର୍ଟଅପ୍‌ ଯାତ୍ରାର କଥା ଭିତରେ ରହିଛି ତାଙ୍କ ସଂଘର୍ଷ ଓ ସଫଳତାର ଅନେକ ଅନାଲୋଚିତ ଅଧ୍ୟାୟ।‘ଷ୍ଟାର୍ଟଅପ୍‌ ଷ୍ଟୋରି’ ମାଧ୍ୟମରେ ପ୍ରତି ମାସ ୧ ତାରିଖରେ ଓଡ଼ିଶାଲାଇଭରେ ପ୍ରସାରିତ ହେବ ଜଣେ ଜଣେ ସଫଳ ଯୁବ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସହ ସାକ୍ଷାତକାର। ଏହି ଭିଡିଓଗୁଡ଼ିକ ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍‌ କମ୍ପାନି, ଛାତ୍ରଛାତ୍ରୀ ଏବଂ ଉଦ୍ୟୋଗ ବିକାଶରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ସୂଚନା ଓ ପ୍ରେରଣାର ବିଷୟ ହେବ।

ଏହି କାର୍ଯ୍ୟକ୍ରମ ଲାଗି ସହଭାଗିତାର ହାତ ବଢ଼ାଇଛି ‘ଷ୍ଟାର୍ଟଅପ୍‌ ଓଡ଼ିଶା’। ‘ମୋ କଲେଜ’ ଅଭିଯାନ ଏହା ସହିତ ନଲେଜ୍‌ ପାର୍ଟନର ଭାବେ ଯୋଡ଼ି ହୋଇଛି। ଇଣ୍ଡଷ୍ଟ୍ରି ପାର୍ଟନର ଅଛନ୍ତି ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି ଓଡ଼ିଶା।

ସେହିପରି ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏହାର ପ୍ରିଣ୍ଟ ପାର୍ଟନର୍‌ ରହିଥିବା ବେଳେ ରେଡିଓ ପାର୍ଟନର ରହିଛି ରେଡିଓ ଚକ୍‌ଲେଟ୍‌। ରେଡିଓ ନମସ୍କାର ଓ ରେଡିଓ ସୁରଭି ଏହାର କମ୍ୟୁନିଟି ରେଡିଓ ପାର୍ଟନର୍ ରହିଛନ୍ତି। ଏହି ସମସ୍ତ ରେଡିଓରେ ‘ଷ୍ଟାର୍ଟଅପ୍‌ ଓଡ଼ିଶା’ର କାର୍ଯ୍ୟକ୍ରମ ପ୍ରସାରିତ ହେବ। ଏହା ସହିତ ପ୍ରତ୍ୟେକ ସାକ୍ଷାତକାରର ସଂକ୍ଷିପ୍ତ ଅଂଶ ଓଡ଼ିଶାଲାଇଭ୍‌ ନ୍ୟୁଜ୍ ପୋର୍ଟାଲ ସହିତ ‘ସମ୍ବାଦ ରବିବାର’ ସାପ୍ତାହିକ ପୃଷ୍ଠାରେ ପ୍ରକାଶିତ ହେବ।‘ଷ୍ଟାର୍ଟଅପ୍‌ ଷ୍ଟୋରି’ ପଛର ପ୍ରମୁଖ ଆକର୍ଷଣ ହେଉଛନ୍ତି ଆଧୁନିକ ଶିଳ୍ପ ଜଗତରେ ଯୁବପିଢ଼ିର ପ୍ରେରଣା ସୁବ୍ରତ ବାଗ୍‌ଚୀ। ପ୍ରତିଥର ସେ ଜଣେ ନୂଆ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କୁ ଖୋଜିବା ସହିତ ସାକ୍ଷାତକାର ବେଳେ ସେମାନଙ୍କ ଜୀବନ କାହାଣୀକୁ ସୁନ୍ଦର ଭାବେ ଆବିଷ୍କାର କରିବାକୁ ପ୍ରୟାସ କରୁଛନ୍ତି।

‘‘ଅନେକ ମଣିଷଙ୍କ ଭିତରେ ଜଣେ ଉଦ୍ୟୋଗୀ ମନୋଭାବ ରହିଛି। ଏପରିକି ଜଣେ ସଫଳ ଉଦ୍ୟୋଗୀ ହେବାର ଅନେକ ସମ୍ଭାବନା ମଧ୍ୟ ରହିଛି। କିନ୍ତୁ ଛୋଟ ମଞ୍ଜିରୁ ଦିନେ ବିଶାଳ ଗଛଟିଏ ହେବା ପରି ଷ୍ଟାର୍ଟଅପରୁ ଏକ ସଫଳ କମ୍ପାନିରେ ପରିଣତ ହେବା ଏକ ଲମ୍ବା ତଥା ଜଟିଳ ଯାତ୍ରା। ‘ଷ୍ଟାର୍ଟଅପ୍‌ ଷ୍ଟୋରି’ରେ ଆମେ ଯୁବ ଓଡ଼ିଆ ଉଦ୍ୟୋଗୀମାନଙ୍କ ସେହି ସ୍ୱପ୍ନ ଓ ସଂଘର୍ଷର କାହାଣୀ ଖୋଜି ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବୁ’’, ୱେବ୍‌ ସିରିଜର ପ୍ରସାରଣ ଅବସରରେ କହିଛନ୍ତି ସୁବ୍ରତ ବାଗ୍‌ଚୀ।

‘ଷ୍ଟାର୍ଟଅପ୍‌ ଷ୍ଟୋରି’ ସିରିଜରେ ପ୍ରସ୍ତୁତ ଭିଡିଓଗୁଡ଼ିକୁ ଆଗାମୀ ଦିନରେ ‘ମୋ କଲେଜ ଅଭିଯାନ’ ଅଧୀନରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରମାନଙ୍କୁ ଦେଖାଇବାର ସୁଯୋଗ ସୃଷ୍ଟି କରାଯିବ। ଏହି ଭିଡିଓରୁ ସେମାନଙ୍କୁ ଉଦ୍ୟୋଗ ବିକାଶ ଓ ପରିଚାଳନା ସମ୍ପର୍କରେ ପ୍ରେରଣା ମିଳିବ। ଫଳରେ ଅନେକ ଚାକିରି ପଛରେ ନ ଗୋଡ଼ାଇ ନିଜ ଗୋଡ଼ରେ ଠିଆ ହେବା ସହିତ ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବାକୁ ଆଗେଇ ଆସିବେ। ତେଣୁ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ପ୍ରସାରଣ ଅବସରରେ ପ୍ରକ୍ଡସନ୍‌ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସନାୟକ।

Comment