ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କରୋନାର ଦ୍ୱିତୀୟ ଲହର ସଙ୍କଟ ସମୟରେ ଆଉ ଏକ ଟିକାକୁ ଅନୁମତି ମିଳିଛି। ଋଷ ଦ୍ୱାରା ପ୍ରସ୍ତୁତ ‘ସ୍ପୁଟନିକ ଭି’ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଭାରତ ସରକାର। ଟିକାର ପ୍ରଥମ ପର୍ଯ୍ୟାୟ ମେ’ ୧ରେ ଭାରତରେ ପ୍ରବେଶ କରିବ। ଏନେଇ ସୂଚନା ଦେଇଛନ୍ତି ଡାଇରେକ୍ଟ ଇନଭେଷ୍ଟେମେଣ୍ଟ ଫଣ୍ଡର ମୁଖ୍ୟ କିରିଲ ଦିମିତ୍ରୈକ। ପ୍ରଥମ ପର୍ଯ୍ୟାୟରେ ‘ସ୍ପୁଟନିକ ଭି’ର କେତେ ଡୋଜ୍ ଭାରତକୁ ଆସିବ ତାହା ଜଣାପଡ଼ିନଥିବାବେଳେ, ରିପୋର୍ଟ ଅନୁସାରେ ଆଗାମୀ ଦିନରେ ପ୍ରାୟ ୫କୋଟି ଟିକା ଭାରତ ଆସିବାର ଯୋଜନା ରହିଛି।

‘ସ୍ପୁଟନିକ ଭି’ ଟିକା

ଋଷର ଗାମାଲେୟା ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ ଟିକା ହେଉଛି ‘ସ୍ପୁଟନିକ ଭି’। ଏହି ଇନ୍‌ଷ୍ଟିଚ୍ୟୁଟ୍‌ର ଦାବି ଅନୁସାରେ, ‘କୋଭିସିଲ୍ଡ’ ଓ ‘କୋଭ୍ୟାକ୍ସିନ’ ଟିକା ତୁଳନାରେ ଏହି ଟିକା ଅଧିକ ପ୍ରଭାବଶାଳୀ। ‘କୋଭିସିଲ୍ଡ’ ୮୦ ପ୍ରତିଶତ, ‘କୋଭ୍ୟାକ୍ସିନ’ ୮୧ ପ୍ରତିଶତ ଫାଇଦା ଯୋଗାଉଥିବାବେଳେ, ‘ସ୍ପୁଟନିକ ଭି’ ୯୧.୬ ପ୍ରତିଶତ ଫାଇଦା ଯୋଗାଇ ପାରୁଛି। କରୋନା ବିରୋଧି ଲଢ଼େଇରେ ଏହି ଟିକା ଦେଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ଦେଶରେ ମେ’ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏଥିରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ଓ ୪୫ ବର୍ଷରୁ କମ ବୟସ୍କଙ୍କୁ ଟିକାକରଣ କରାଯିବ। ପୂର୍ବରୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଦୁଇଟି ଟିକାକୁ ଅନୁମତି ଦିଆଯାଇଥିବାବେଳେ, ଏବେ ଋଷ ନିର୍ମିତ ‘ସ୍ପୁଟନିକ ଭି’ର ବ୍ୟବହାରକୁ ମଧ୍ୟ ଅନୁମତି ମିଳିଛି। ନିକଟରେ କରୋନା ମୁକାବିଲା ପାଇଁ ‘ଭିରାଫିନ’ ମେଡିସିନକୁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିଥିଲା।

Comment