ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ଲାଜମା ଥେରାପି କ? କରୋନା ଚିକିତ୍ସାରେ ଏହା କିପରି ସାହାଯ୍ୟ କରୁଛି ସେନେଇ ଓଡ଼ିଶାଲାଇଭ୍‌କୁ ବିସ୍ତୃତ ଭାବେ କହିଛନ୍ତି ପ୍ଲାଜମା ଥେରାପିର ଷ୍ଟେଟ୍‌ ନୋଡାଲ ଅଫିସର ଡାକ୍ତର ସ୍ମିତା ମହାପାତ୍ର।

ଆରବିସି, ଡବ୍ଲ୍ୟୁବିସି, ପ୍ଲେଟଲେଟ୍‌ ଭଳି ପ୍ଲାଜମା ମଧ୍ୟ ରକ୍ତର ଏକ ଉପାଦାନ। ଯେତେବେଳେ ଜଣକ ରକ୍ତରୁ ହଳଦୀ ରଙ୍ଗର ଏକ ତରଳ କାଢ଼ି ଦିଆଯାଏ।  ତାହାକୁ ଡାକ୍ତରୀ ଭାଷାରେ ପ୍ଲାଜମା ବୋଲି କୁହାଯାଏ।

ପ୍ଲାଜମା ଥେରାପି ହେଉଛି ଏକ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି। ଏହା ଏକ ଏପରି ପ୍ରକ୍ରିୟା ଯେଉଁଥିରେ ଜଣେ କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରକ୍ତରୁ ପ୍ଲାଜମାକୁ ପୃଥକ କରି ଦିଆଯାଇଥାଏ। ଅନ୍ୟ ଜଣେ କୋଭିଡ ଆକ୍ରାନ୍ତ ଯାହାଙ୍କ ଅକ୍ସିଜେନ ପାରାମିଟର ବଢ଼ି ଚାଲିଥିବ ତାଙ୍କ କ୍ଷେତ୍ରରେ ପ୍ଲାଜମାକୁ  ଆଣ୍ଟିଡୋଜ୍‌ ଭାବେ ବ୍ୟବହାର କରାଯାଏ।

ଯେହେତୁ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ, ସେମାନଙ୍କ ପ୍ଲାଜମା ଜଣେ ଗରୁତର ରୋଗୀଙ୍କୁ ଦିଆଗଲେ ଏଥିରେ ଥିବା ଆଣ୍ଟିବଡି ରୋଗୀଙ୍କୁ କରୋନା ବିରୋଧରେ ଲଢ଼ିବାକୁ ସାହାଯ୍ୟ କରିଥାଏ। ଏହି ଥେରାପି ପରେ ଜଣେ କୋଭିଡ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥାଏ। ଏଯାବତ୍‌ ବିଭିନ୍ନ ରାଜ୍ୟରେ କରୋନା କ୍ଷେତ୍ରରେ ଏହି ଚିକିତ୍ସା ପଦ୍ଧତି ସଫଳ ହୋଇଥିବା ଜଣାଯାଇଛି।

ଥରକରେ ଜଣେ ବ୍ୟକ୍ତିଙ୍କଠାରୁ ୪୦୦ରୁ ୫୦୦ ମିଲିଲିଟର ପ୍ଲାଜମା ସଂଗ୍ରହ କରାଯାଇଥାଏ। ଏଥିପାଇଁ ପ୍ରାୟ ୩୦ରୁ ୪୦ ମିନିଟ ସମୟ ଲାଗିଥାଏ। ସଂଗ୍ରହ ହୋଇଥିବା ପ୍ଲାଜ୍‌ମାକୁ ୨ଟି ୟୁନିଟରେ ଭାଗ କରାଯାଏ। ଯାହାଫଳରେ ଜଣେ ବ୍ୟକ୍ତିଙ୍କଠାରୁ ସଂଗ୍ରହ ହୋଇଥିବା ପ୍ଲାଜମାକୁ ୨ ଜଣ କୋଭିଡ ରୋଗୀଙ୍କୁ ଦିଆଯାଇପାରିବ।

କିଏ ପ୍ଲାଜମା ଦେଇପାରିବେ?

  • କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତି
  •  ବୟସ ୧୮ରୁ ୬୫ ହୋଇଥିବ
  • ଓଜନ ୫୦ କିଲୋଗ୍ରାମରୁ ଅଧିକ ହୋଇଥିବା
  • କରୋନା ସଂକ୍ରମଣରୁ ଆରୋଗ୍ୟ ହେବାର ୧୪ ଦିନ ପରେ

କିଏ ପ୍ଲାଜ୍‌ମା ଦାନ କରିପାରିବେ ନାହିଁ?

  • ମଧୁମେହ ରୋଗୀ, କ୍ୟାନସର୍‌ ରୋଗୀ।
  • କିଡନୀ, ହାର୍ଟ, ଲିଭର, ଫୁସଫୁସ୍‌ଜନିତ ରୋଗୀ

ପ୍ଲାଜାମା ଦେବା ପୂର୍ବରୁ ଡୋନରଙ୍କ ରକ୍ତ ଯାଞ୍ଚ କରାଯାଇଥାଏ। ତାଙ୍କର ହିମୋଗ୍ଲୋବିନ, ପ୍ଲେଟଲେଟ୍‌, ଆଣ୍ଟିବଡି କେତେ ଅଛି ଏସବୁ ଦେଖାଯାଏ। ତା’ପରେ ଯାଇ ସେହି ବ୍ୟକ୍ତିଙ୍କଠାରୁ ପ୍ଲାଜମା ନିଆଯାଇଥାଏ।

ଜଣେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ୧୫ ଦିନ ବ୍ୟବଧାନରେ ୩ ଥର ପ୍ଲାଜମା ଦେଇପାରିବେ। ଏଥିପାଇଁ ପ୍ରତ୍ୟେକ ଥର ତାଙ୍କର ରକ୍ତର ଯାଞ୍ଚ କରାଯିବ। ତେବେ ଏକାଧିକ ଥର ପ୍ଲାଜମା ଦେବା ଦ୍ୱାରା ଡୋନରଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ଖରାପ ପ୍ରଭାବ ମଧ୍ୟ ପଡ଼ିନଥାଏ।

ରକ୍ତଦାନ ଭଳି ପ୍ଲାଜମା ଦାନ ଏକ ସାଧାରଣ ପ୍ରକ୍ରିୟା। ଏଥିରେ ବ୍ୟକ୍ତିଙ୍କ ରକ୍ତରୁ କେବଳ ପ୍ଲାଜମା ସଂଗ୍ରହ କରାଯାଇଥାଏ। ପ୍ଲାଜମା ଦେଉଥିବା ବ୍ୟକ୍ତିଙ୍କୁ ଏହାଦ୍ୱାରା ଥକ୍କାପଣ ଅନୁଭବ ହୋଇନଥାଏ। ରକ୍ତଦାନ ଭଳି ପ୍ଲାଜମା ଦାନ କରିବା ପାଇଁ ୩ ମାସ ଅପେକ୍ଷା କରିବାକୁ ପଡ଼ିନଥାଏ। ଜଣେ ଚାହିଁଲେ ୧୫ ଦିନ ବ୍ୟବଧାନରେ ପୁଣିଥରେ ପ୍ଲାଜମା ଦାନ କରିପାରିବେ।

ପ୍ଲାଜମା ଦାତାଙ୍କଠାରୁ ମେସିନ ସାହାଯ୍ୟରେ ରକ୍ତ ନିଆଯାଏ। ଏହାପରେ କେବଳ ପ୍ଲାଜମା ଗ୍ରହଣ ପରେ ରକ୍ତକୁ ପୁଣିଥରେ ତାଙ୍କ ବ୍ୟକ୍ତିଙ୍କ ଶରୀରକୁ ଛାଡ଼ି ଦିଆଯାଏ।

କୋଭିଡରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରିବାକୁ ଚାହୁଁଥିଲେ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ। ସେହିପରି ଆପଣ ୭୯୭୮୬୬୦୫୩୨ ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ।

ଓଡ଼ିଶାରେ ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ‘ପ୍ଲାଜମା ଥେରାପି’

କରୋନା ଚିକିତ୍ସାରେ ପ୍ଲାଜ୍‌ମା ଥେରାପି

Comment