ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଟିକା ଆସିବାକୁ ଆହୁରି ଡେରି। ଆଗକୁ ପାର୍ବଣ ଓ ଶୀତଋତୁରେ ସଂକ୍ରମଣ ବଢ଼ିବା ଡର। ଏଭଳି ସ୍ଥିତିରେ ପ୍ଲାଜ୍‌ମା ଥେରାପି ଆଉ ଫଳପ୍ରଦ ହେଉ ନ ଥିବା ଖବର ଦେଶବାସୀଙ୍କୁ କରୋନା ମୁକାବିଲାର ଭବିଷ୍ୟତ ନେଇ ସନ୍ଦିହାନ କରିଦେଇଛି।

ଏପ୍ରିଲ ମାସର ପ୍ରାରମ୍ଭରେ ଜଣେ କରୋନା ରୋଗୀଙ୍କଠାରେ ଦେଶର ପ୍ରଥମ ପ୍ଲାଜ୍‌ମା ଥେରାପି ବ୍ୟବହାର କରାଯାଇଥିଲା। ଏପ୍ରିଲ ଶେଷ ଆଡ଼କୁ ସେ ସୁସ୍ଥ ହୋଇ ଫେରିବା ପରେ ଏହି ଚିକିତ୍ସା ପଦ୍ଧତି କରୋନା ଅତିମାରୀର ମୁକାବିଲା ଦିଗରେ ଏକ ଉତ୍ସାହର ବାଟ ଦେଖାଇଲା।

କରୋନାରୁ ସୁସ୍ଥ ହୋଇ ଫେରିଥିବା ରୋଗୀ ନିଜର ପ୍ଲାଜ୍‌ମା ଦାନ କରିବା ପରେ ଏହାକୁ ଗୁରୁତର ଥିବା କରୋନା ରୋଗୀଙ୍କଠାରେ ବ୍ୟବହାର କରାଯାଉଥିଲା। ସେହି ପ୍ଲାଜ୍‌ମା ଗୁରୁତର କରୋନା ରୋଗୀର ଶରୀରରେ ଆଣ୍ଟିବଡି ତିଆରି କରି ଆରୋଗ୍ୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଥିଲା।

ଚିକିତ୍ସା ତାଲିକାରୁ କଟିପାରେ ପ୍ଲାଜ୍‌ମା ଥେରାପି

କିନ୍ତୁ ଏବେ ଏହି ଚିକିତ୍ସାକୁ କରୋନା ପ୍ରୋଟୋକଲରୁ ହଟାଇପାରେ ଆଇସିଏମ୍‌ଆର୍‌ (ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ)। କାରଣ ପ୍ଲାଜ୍‌ମା ଥେରାପି ମଧ୍ୟମରୁ ଗୁରୁତର କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା କମାଇବାରେ ସଫଳ ହୋଇପାରୁନାହିଁ। ଜୀବନ ରକ୍ଷା ଓ ରୋଗ ନିୟନ୍ତ୍ରଣରେ ଏହା ଫଳପ୍ରଦ ହେଉ ନ ଥିବାରୁ ଏହାକୁ ଚିକିତ୍ସା ତାଲିକାରୁ ବାଦ୍‌ ଦେବା ପାଇଁ ବିଚାର ବିମର୍ଶ ଚାଲିଥିବା ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି।

ବିକଳ୍ପ ପଦ୍ଧତି ହୋଇପାରେ ଆଣ୍ଟି ସେରୋ

ଆଗାମୀ ଦିନରେ କରୋନା ଭୂତାଣୁ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜ୍‌ମା ଥେରାପି ପରିବର୍ତ୍ତେ ଆଣ୍ଟି ସେରୋ ବା ହର୍ସ ସେରୋକୁ ବିକଳ୍ପ ପଦ୍ଧତି ଭାବେ ବ୍ୟବହାର କରାଯାଇପାରେ। ବର୍ତ୍ତମାନ ଓଡ଼ିଶା ସମେତ କେତେକ ରାଜ୍ୟ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜ୍‌ମା ଥେରାପିକୁ ହିଁ ବ୍ୟବହାର କରୁଛନ୍ତି। ଜୁଲାଇ ମାସରେ ଓଡ଼ିଶାକୁ ପ୍ଲାଜ୍‌ମା ଥେରାପି ଆସିଲା। ଫଳରେ କରୋନା ଭୂତାଣୁକୁ ନେଇ ଭୟଭୀତ ଓ ଶଙ୍କାଗ୍ରସ୍ତ ଥିବା ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତ ହେଲେ। କିନ୍ତୁ ଏବେ ଆଇସିଏମ୍‌ଆର୍‌ର ଏଭଳି ସୂଚନା ପରେ ପ୍ଲାଜ୍‌ମା ଥେରାପିକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି।

ସର୍ବେକ୍ଷଣ ରିପୋର୍ଟ କହୁଛି- ଫଳପ୍ରଦ ହେଉନି ପ୍ଲାଜ୍‌ମା ଥେରାପି

ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣ କହୁଛି ଯେ କରୋନା ମୃତ୍ୟୁହାର କମାଇବା କିମ୍ବା ସଂକ୍ରମଣର ଗତିକୁ ହ୍ରାସ କରିବା ଦିଗରେ ଏହା ଫଳପ୍ରଦ ହୋଇପାରୁ ନାହିଁ। ପ୍ଲାଜ୍‌ମା ଥେରାପିର ପ୍ରଭାବକୁ ନେଇ ପ୍ଲେସିଡ୍ ପରୀକ୍ଷଣ ନାମରେ ବିଶ୍ୱର ସବୁଠାରୁ ବଡ଼ କଣ୍ଟ୍ରୋଲ ଟ୍ରାଏଲ କରିଥିଲା ଭାରତ। ଏପ୍ରିଲ ୨୨ରୁ ଜୁଲାଇ ୧୪ ମଧ୍ୟରେ ଦେଶର ୩୯ଟି ହସ୍ପିଟାଲର ୪୬୪ ଜଣ କରୋନା ଆକ୍ରାନ୍ତ ରୋଗୀଙ୍କୁ ନେଇ ଏହି ସର୍ବେକ୍ଷଣ ହୋଇଥିଲା। ସେପ୍ଟେମ୍ବରରେ ଏହାର ରିପୋର୍ଟ ଏକ ମେଡିକାଲ ଜର୍ନାଲରେ ପ୍ରକାଶ ପାଇଥିଲା। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ ୪୬୪ ରୋଗୀ ମଧ୍ୟରୁ ୨୩୫ ଜଣଙ୍କୁ ପ୍ଲାଜ୍‌ମା ଥେରାପି ଓ ଅନ୍ୟ ରୋଗୀଙ୍କୁ ସାଧାରଣ ଚିକିତ୍ସା ସେବା ଦିଆଯାଇଥିଲା। କିନ୍ତୁ ପ୍ଲାଜ୍‌ମା ନେଇଥିବା ରୋଗୀଙ୍କ କ୍ଷେତ୍ରରେ ସେଭଳି ଆଖିଦୃଶିଆ ଉପକାର ମିଳି ନ ଥିଲା।

ଅନେକ ରାଜନେତାଙ୍କୁ ଦିଆଯାଇଛି ପ୍ଲାଜ୍‌ମା ଥେରାପି

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜୁନ୍ ୧୭ରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାଙ୍କୁ ପ୍ଲାଜ୍‌ମା ଥେରାପି ଦିଆଯିବାର ମାସକ ପରେ ସେ ସୁସ୍ଥ ହେବା ସହ ଜୁଲାଇ ୨୦ରେ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ। ଜୈନଙ୍କ କହିବା ଅନୁଯାୟୀ, ତାଙ୍କ ସମେତ ୨ ହଜାରରୁ ଅଧିକ କରୋନା ରୋଗୀ ପ୍ଲାଜ୍‌ମା ଥେରାପି ଦ୍ୱାରା ସୁସ୍ଥ ହୋଇଛନ୍ତି। ଆମେରିକା ମଧ୍ୟ ଏହାର ଉପଯୋଗିତାକୁ ସ୍ୱୀକାର କରିଛି। ତେଣୁ ଆଇସିଏମ୍‌ଆର୍‌ ଏହାକୁ ପ୍ରତ୍ୟାହାର ନ କରୁ।

ପ୍ଲାଜ୍‌ମା ଥେରାପି କୋଭିଡ୍ ଆକ୍ରାନ୍ତ ଅନେକ ରାଜନେତାଙ୍କଠାରେ ବ୍ୟବହାର କରାଯାଇଛି। ସତ୍ୟେନ୍ଦ୍ର ଜେନା, ମନୀଷ ସିସୋଡିଆ, କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକ ଏହି ଥେରାପି ନେଇ କରୋନାରୁ ସୁସ୍ଥ ହୋଇଛନ୍ତି।

ଓଡ଼ିଶାରେ ବନ୍ଦ ହେବନି ଏହି ଥେରାପି

ଓଡ଼ିଶାରେ ପ୍ଲାଜ୍‌ମା ଥେରାପି ଓ ରିମେଡିସିଭିର ଚିକିତ୍ସା ବନ୍ଦ ହେବନାହିଁ। ଯେପର୍ଯ୍ୟନ୍ତ ଆଇସିଏମ୍‌ଆର୍‌ ଲିଖିତ ଭାବେ ଜଣାଇନାହିଁ, ସେପର୍ଯ୍ୟନ୍ତ ଚିକିତ୍ସା ଚାଲିବ। ଚିକିତ୍ସା ଫଳପ୍ରଦ ହେଉ ନ ଥିବା କଥା ଗଣମାଧ୍ୟମରୁ ଜଣାପଡ଼ିଛି। କିନ୍ତୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ। ଏଭଳି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

କରୋନା ଟିକା ଆସିବାକୁ ଡେରି, ଦ୍ୱନ୍ଦ୍ୱ ବଢ଼ାଇଲା ପ୍ଲାଜ୍‌ମା

ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୬,୫୧,୧୦୭ରେ ପହଞ୍ଚିଲାଣି। ଏହି ପ୍ରାଣଘାତୀ ଭୂତାଣୁ ଏବେ ଗୋଟିଏ ଦିନରେ ୭୧୭ ଜୀବନ ନେଉଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୧,୧୫,୯୧୪ ଜଣଙ୍କ ଜୀବନ ଗଲାଣି। ୭,୪୦,୦୯୦ ରୋଗୀ ଚିକିତ୍ସାଧୀନ ଅଛନ୍ତି। ତେଣୁ ଦେଶବାସୀ କରୋନା ଟିକାକୁ ହିଁ ଚାହିଁ ରହିଥିବା ବେଳେ ତାହାର ଆସିବା ସମୟ ଲମ୍ବି ଲମ୍ବି ଯାଉଛି। ଅନ୍ତତଃ ଏ ବର୍ଷ ଟିକା ଆସିବାର ସମ୍ଭାବନା ନାହିଁ। ଏଭଳି ସ୍ଥିତିରେ ପ୍ଲାଜ୍‌ମା ଥେରାପି କରୋନା ମୁକାବିଲା ପାଇଁ ଯେଉଁ ଟିକକ ଆଶ୍ୱାସନା ହୋଇ ରହିଥିଲା, ତାହା ମଧ୍ୟ ଏବେ ମିଳେଇଯିବା ଭଳି ମନେ ହେଉଛି। ପ୍ଲାଜ୍‌ମା ଚିକିତ୍ସାର ଅପସାରଣ ନେଇ ଏଯାବତ୍ ସ୍ପଷ୍ଟ ନିର୍ଦ୍ଦେଶ ମିଳି ନ ଥିଲେ ମଧ୍ୟ ଏହାକୁ ନେଇ ଲୋକଙ୍କ ଭିତରେ ସନ୍ଦେହ ବଢୁଛି।

Comment