ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ଅକ୍ଷୟ ତୃତୀୟା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପ୍ରାରମ୍ଭିକ ଦିନ। ଏହି ଦିନଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିଠାରୁ ପୁରୀରେ କାଠ କଟା କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି କୋଲକାତାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯାଇଛି।

କୋଲକାତା ସହରର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ ହୁଏ। ସେଠାକାର ଓଡ଼ିଆମାନେ ଏହି ଜାତୀୟ ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। କୋଲକାତାର କିଦିରପୁର ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା ଓଡ଼ିଆଙ୍କ ପାଇଁ ଏହି ଦିନ ବିଶେଷ ମାନେ ରଖିଥାଏ। ଏବର୍ଷ ରଥଯାତ୍ରା ଜୁଲାଇ ୧୨ରେ ପଡ଼ୁଥିବା ହେତୁ ଏବେଠାରୁ ହିଁ ପ୍ରସ୍ତୁତି ଆରମ୍ଭ ହୋଇଛି।କିଦିରପୁରଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରଟି ୭୫ ବର୍ଷ ପୁରୁଣା। ଏଠି ପ୍ରତିବର୍ଷ ରଥଯାତ୍ରା ପାଳନ କରାଯାଏ। ପୂର୍ବବର୍ଷ କରୋନା ଯୋଗୁଁ ରଥଯାତ୍ରା ପାଳନ କରାଯାଇ ପାରିନଥିଲା। ଏବର୍ଷ କିନ୍ତୁ ଏହା ପାଳନ କରିବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ମନ୍ଦିର ସମିତିର ସମ୍ପାଦକ ମନୋଜ କୁମାର ପରିଡ଼ା। ଏଥିସହ ଚଳିତ ବର୍ଷ ପୂଜା ମନ୍ଦିର ବାହାରେ ହେବ ବୋଲି ସେ କହିଛନ୍ତି। ଜୁଲାଇ ବେଳକୁ କରୋନା ଅବସ୍ଥା ସୁଧୁରିବା ଆଶା କରାଯାଉଛି। ପରିସ୍ଥିତିକୁ ଦେଖି ପାଳନ ନେଇ ଶେଷ ନିଷ୍ପତ୍ତି ନିଆଯିବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି।

ସେହିପରି ଚବିଶି ପ୍ରଗଣା ଜିଲ୍ଲାର ବାରାକପୁରଠାରେ ଆଉ ଏକ ରଥଯାତ୍ରା ଅନୁଷ୍ଠିତ ହୁଏ। ମହାପ୍ରଭୁଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। ଏହି ମନ୍ଦିର ଟ୍ରଷ୍ଟର ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ କହିଛନ୍ତି, ରଥଯାତ୍ରା ପାଳନ ବେଳକୁ ଯଦି ଅବସ୍ଥାରେ ଉନ୍ନତି ଘଟିଥିବ ତେବେ ପୂର୍ବ ବର୍ଷଗୁଡ଼ିକ ଭଳି ଏଠାରେ ରଥଯାତ୍ରା ପାଳନ କରାଯିବ। ମେ’ ୨୩ରେ ବାରାକପୁର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ବୈଠକ ବସିବ। ଏହି ବୈଠକରେ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

Comment