ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ଦ୍ୱିତୀୟ ଲହରର ପ୍ରକୋପ ଥମିବାର ନାଁ ନେଉନଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଏକ ନୂଆ ସଙ୍କଟ ଭାବେ ଉଭା ହୋଇଛି। କରୋନାରୁ ସୁସ୍ଥ ହେବା ପରେ ଅନେକ ବ୍ୟକ୍ତି ବ୍ଲାକ ଫଙ୍ଗସର  ଶିକାର ହେଉଥିବା ଦେଖିବାକୁ ମିଳୁଛି। ଏହି ବ୍ଲାକ୍ ଫଙ୍ଗସ୍ କ’ଣ ଓ କୋଭିଡ୍ ସହିତ ଏହାର ସମ୍ପର୍କ କ’ଣ ସେ ବାବଦରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ବିସ୍ତୃତ ଭାବେ କହିଛନ୍ତି ମାଇକ୍ରୋ ବାୟୋଲୋଜି ବିଶେଷଜ୍ଞ ଡାକ୍ତର ପରେଶନାଥ ମହାନ୍ତି।ବ୍ଲାକ୍ ଫଙ୍ଗସ୍ କହିଲେ ସାଧାରଣ ଲୋକ କ’ଣ ବୁଝିବେ ଓ କୋଭିଡ୍ ସହିତ ଏହାର ସମ୍ପର୍କ କ’ଣ?

ଫଙ୍ଗସ ବା ଫିମ୍ପି ହେଉଛି ଏକ ଅଣୁଜୀବ। ଯେତେବେଳେ ଜଣେ ବ୍ୟକ୍ତି କୌଣସି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି, ତାଙ୍କ ଚିକିତ୍ସାରେ ଷ୍ଟିରଏଡ୍ ବ୍ୟବହାର ହେଉଥାଏ, କ୍ୟାନ୍ସର ରୋଗୀ ଯେଉଁମାନେ ରେଡିଓ ଥେରାପି ବା କେମୋ ଥେରାପି ନେଉଛନ୍ତି ଏବଂ ଯେଉଁମାନଙ୍କର ଟ୍ରାନ୍ସପ୍ଲାଣ୍ଟ କରାଯାଇଛି, ଡାଇବେଟିସ ଅଛି ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥାଏ। ସେତିକିବେଳେ ବାୟୁମଣ୍ଡଳରେ ଥିବା ଏହି ଫିମ୍ପି ନିଶ୍ୱାସ ପ୍ରଶ୍ୱାସ ଜରିଆରେ ଶରୀରକୁ ଯାଇଥାଏ। ଫଙ୍ଗସ ଶରୀର ଭିତରକୁ ଯାଇ ଧୀରେ ଧୀରେ ନିଜର କାୟା ମେଲାଇ ଥାଆନ୍ତି। ଯେହେତୁ କୋଭିଡ ରୋଗୀମାନଙ୍କୁ ଷ୍ଟିରୋଏଡ୍ ଦିଆଯାଉଛି, ଟୋସିଲିଜୁମାବ ଭଳି ଔଷଧ ଦିଆଯାଉଛି ଏହା ଦ୍ୱାରା ମଣିଷର ରୋଗ ପ୍ରତିଷେଧକ ଶକ୍ତି ପ୍ରଭାବିତ ହୋଇଥାଏ। ତେଣୁ କିଛି କୋଭିଡ ରୋଗୀଙ୍କ କ୍ଷେତ୍ରରେ ଏହି ଫଙ୍ଗସ୍ ଦେଖାଯାଉଛି।ବ୍ଲାକ ଫଙ୍ଗସ ଆଗରୁ ଥିଲା ନା ଏବେ ନୂଆ କରି ଆସିଛି?

ଏହା ପୁରୁଣା ରୋଗ। ବହୁତ ଦିନ ଆଗରୁ ଏହି ଫଙ୍ଗସ ଅଛି। ଏହି ଫଙ୍ଗସ ସାଧାରଣତଃ ପରିବେଶରେ ଅଛି। କିନ୍ତୁ ଯେତେବେଳେ ଶକ୍ତି ଦୁର୍ବଳ ଥାଏ, ସେତେବେଳେ ଏହା ଶରୀରକୁ ଯାଇ ନିଜର ପ୍ରଭାବ ଦେଖାଇଥାଏ। ଯେହେତୁ କୋଭିଡରେ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି ତେଣୁ ଏହାର ସୁଯୋଗ ନେଇ ଫଙ୍ଗସ୍ ଆକ୍ରମଣ କରୁଛି। ଏହା ଫୁସଫସ, ମସ୍ତିଷ୍କ, ନାକ, ଚର୍ମକୁ ଆକ୍ରମଣ କରିଥାଏ।

ବ୍ଲାକ୍ ଫଙ୍ଗସର ଲକ୍ଷଣ କ’ଣ?

ବ୍ଲାକ୍‌ ଫଙ୍ଗସର ଲକ୍ଷଣ ମଧ୍ୟରେ ଜ୍ୱର, ମୁଣ୍ଡବିନ୍ଧା, କାଶ, ନିଶ୍ୱାସ ପ୍ରଶ୍ୱାସରେ ଯନ୍ତ୍ରଣା ହେବା, ନାକରୁ କଳା ପାଣି ବାହାରିବା, ପତଳା ଝାଡ଼ା ହେବା, ଚର୍ମରେ କଳା ଫଟକା ଭଳି କିଛି ଦିଶିବା ଆଦି ରହିଛି।ଏହାସହିତ ଆଖି କିମ୍ବା ନାକ ଚାରିପାଖରେ ଲାଲ ରଙ୍ଗ ଦେଖାଯିବା ମଧ୍ୟ ଏହାର ଲକ୍ଷଣ। କେତେକଙ୍କ କ୍ଷେତ୍ରରେ ପେଟ ଯନ୍ତ୍ରଣା, ବାନ୍ତି ମଧ୍ୟ ହୋଇଥାଏ।

ଯଦି କେହି ଏପରି ଲକ୍ଷଣ ଅନୁଭବ କରନ୍ତି, ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଆବଶ୍ୟକ। ଯଦି ଚିକିତ୍ସା ଠିକ୍ ସମୟରେ ଆରମ୍ଭ ହୁଏ ଏହା ଭଲ ହୋଇପାରିବ। ମନେରଖନ୍ତୁ, ଯେ ଏପରି ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ଖାଇବେ ନାହିଁ।

Comment