ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ପାଇଁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାଲାବନ୍ଦ ଘୋଷଣା କରାଯାଇଛି। ଏଥି ସହିତ ଶନିବାର ଓ ରବିବାରରେ ସଟଡାଉନ୍ ବି ଚାଲୁ ରହିଛି। ଇତି ମଧ୍ୟରେ ଭଲ ଖବର ହେଉଛି ଯେ ସଂକ୍ରମଣ ଲଗାତାର କମିବାରେ ଲାଗିଛି। ଜୁନ୍ ପ୍ରଥମ ସପ୍ତାହ ମଧ୍ୟରେ ସଂକ୍ରମଣ ୧୫ ପ୍ରତିଶତରୁ ଖସି ୯ ପ୍ରତିଶତରେ ପହଞ୍ଚିଛି। ସେହିଭଳି ସୁସ୍ଥ ହାର ମଧ୍ୟ ବଢି ଚାଲିଛି। ତେବେ ସ୍ଥିତିରେ ସୁଧାର ଆସୁଥିବା ବେଳେ ୧୭ ପରେ ଏହି କଟକଣାକୁ ସରକାର ବଢ଼ାଇବେ କି ନାହିଁ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।lockdownଅନୁମାନ କରାଯାଉଛି ଯେ ୧୭ ବେଳକୁ ରାଜ୍ୟରେ ଦୈନିକ ସଂକ୍ରମଣ ୫ ପ୍ରତିଶତକୁ ଖସି ଆସିଥିବ। ଯଦି ତାହା ହୁଏ, ତେବେ ଆଉ ଲକଡାଉନ୍ ଅବଧିକୁ ସରକାର ବଢାଇବେ ନାହିଁ। କେନ୍ଦ୍ର ସରକାରଙ୍କର ବି ନିର୍ଦ୍ଦେଶ ହେଉଛି ଯଦି ସାପ୍ତାହିକ ସଂକ୍ରମଣ ୫ ପ୍ରତିଶତରେ ପହଞ୍ଚେ ତେବେ ରାଜ୍ୟ ସରକାରମାନେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରି ପାରିବେ। ଏହି ଭିତ୍ତିରେ ଦିଲ୍ଲୀ ସମେତ କିଛି ରାଜ୍ୟରେ ସୋମବାରଠାରୁ ତାଲାଖୋଲା ଆରମ୍ଭ ହୋଇସାରିଛି।ସେହିପରି ଅନ୍ୟଏକ ମତ ପ୍ରକାଶ ପାଇଛି ଯେ ଆଗକୁ ରଥଯାତ୍ରା ଆସୁଥିବାରୁ ହୁଏତ ତାଲାବନ୍ଦକୁ ସରକାର ସେ ପର୍ଯ୍ୟନ୍ତ ଟାଣି ନେଇ ଯାଇପାରନ୍ତି। ଏବର୍ଷ ରଥଯାତ୍ରା ଜୁଲାଇ ୧୦ ତାରିଖରେ ପଡୁଛି। ତେବେ ବିନା କାରଣରେ ପୂରା ୩ ସପ୍ତାହ ସଟଡାଉନକୁ ସରକାର ଯେ ବଢାଇବେ ତାହା ଜଣାପଡୁନାହିଁ। ଏଣୁ ଦେଖିଚାହିଁ ସରକାର ପଦକ୍ଷେପ ନେଇ ପାରନ୍ତି ବୋଲି କୁହାଯାଉଛି। ଅନ୍ୟ ଏକ ବିକଳ୍ପ ହେଉଛି ଯେଉଁ ସବୁ ଜିଲ୍ଲାରେ ସଂକ୍ରମଣ ୫ ପ୍ରତିଶତରୁ ଅଧିକ ରହୁଛି ସେଗୁଡ଼ିକୁ ଛାଡ଼ି ଅନ୍ୟ ଜିଲ୍ଲାରେ କଟକଣାକୁ ଉଠାଇ ଦିଆଯାଇପାରେ।

ରାଜ୍ୟରେ ଏବେ ଅଧିକ ସଂଖ୍ୟାରେ କରୋନା କେସ୍ ମୁଖ୍ୟତଃ ତିନୋଟି ଜିଲ୍ଲା ଯଥା କଟକ, ଖୋର୍ଦ୍ଧା ଓ ଅନୁଗୁଳରୁ ହିଁ ଆସୁଛି।

Comment