ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗଷ୍ଟ ମାସ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ରେଜଲ୍ଟ ଏବଂ ମୂଲ୍ୟାୟନ ପଦ୍ଧତି ନେଇ ସିଏଚଏସଇ ପକ୍ଷରୁ ସୂଚନା ମିଳିଛି। ଦଶମ ବୋର୍ଡ ପରୀକ୍ଷା ମାର୍କ ଭିତ୍ତିରେ ଏହି ରେଜଲ୍ଟ ପ୍ରକାଶ ପାଇବ। ରେଗୁଲାର ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଦଶମ ପରୀକ୍ଷାରେ ରଖିଥିବା ନମ୍ବରକୁ ଆଧାର କରି ହେବ।

ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ମାର୍କିଂ ପୂର୍ବଥର ହୋଇଥିବା ଯୁକ୍ତ ଦୁଇ ପରୀକ୍ଷା ଭିତ୍ତିରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପୂର୍ବ ବର୍ଷ ପାସ୍ କରିଥିବା ବିଷୟ ଭିତ୍ତିରେ ମାର୍କ ଦିଆଯିବ। ଯେଉଁ ଛାତ୍ରଛାତ୍ରୀମାନେ ମାର୍କକୁ ନେଇ ସନ୍ତୁଷ୍ଟ ନହେବେ, ସେମାନେ ସ୍ଥିତି ସୁଧୁରିଲାପରେ ଅଫଲାଇନ ଜରୀଆରେ ପୁଣିଥରେ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରିଛି ସିଏଚଏସଇ।ଚଳିତ ବର୍ଷ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିଥିଲେ ରାଜ୍ୟ ସରକାର। ମାତ୍ର କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ କରାଯିବ ସେନେଇ ଉଭୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀମାନେ ଦ୍ଵନ୍ଦ୍ବରେ ପଡ଼ିଥିଲେ। ଏହାର ନିଷ୍କର୍ସ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ମୂଲ୍ୟ ନିର୍ଦ୍ଧାରଣକୁ ନେଇ ବାରମ୍ବାର ବୈଠକରେ ଆଲୋଚନା କରାଯାଉଥିଲା। ଶେଷରେ ଆଜି ମୂଲ୍ୟାୟନ ପଦ୍ଧତିକୁ ନେଇ ସିଏଚଏସଇ ପକ୍ଷରୁ ସୂଚନା ମିଳିଛି।

Comment