ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ଏକ ନୂଆ ଭାରିଏଣ୍ଟ ଯାହାକୁ ଡେଲ୍ଟା ଭାରିଏଣ୍ଟ କୁହାଯାଉଛି ତାହା ଏବେ ସମଗ୍ର ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି। ଆମେରିକାର ସେଣ୍ଟର୍ ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ (ସିଡିସି) ଏହାକୁ ‘ଭାରିଏଣ୍ଟ ଅଫ କସନ’ ବା ବିପଦଯୁକ୍ତ ପ୍ରତିରୂପ ବୋଲି ଅଭିହିତ କରିଛି। ଏମିତିତ ଏହି ଭାରିଏଣ୍ଟଟି ଅନେକ ଦେଶରେ ଆତଙ୍କ ଖେଳାଇ ସାରିଲାଣି। କିନ୍ତୁ ବ୍ରିଟେନରେ ଏହା ଜବରଦସ୍ତ ହଙ୍ଗାମା ଚଳାଇଛି। ପବ୍ଲିକ ହେଲଥ ଇଂଲଣ୍ଡ ବା ପିଏଚଇର ଆକଳନ ଓ ତଥ୍ୟ ଅନୁସାରେ ଇଂଲଣ୍ଡରେ ଯେତେ ସାମ୍ପଲ ସଂଗ୍ରହ କରାଯାଇଛି ତାହାର ୬୧ ପ୍ରତିଶତ ହେଉଛି ଡେଲ୍ଟା ଭାରିଏଣ୍ଟ। ଏହାର ଅର୍ଥ ଗତବର୍ଷ ଆତଙ୍କ ସୃଷ୍ଟି କରିଥିବା ଆଲଫା ଭାରିଏଣ୍ଟଠାରୁ ଡେଲ୍ଟା ଭାରିଏଣ୍ଟ ଆହୁରି ବିପଜ୍ଜନକ ଭାବେ ସାମ୍ନାକୁ ଆସିଛି।

ଡେଲ୍ଟା ପ୍ଲସ୍

ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଭାରିଏଣ୍ଟର ସଂକ୍ରମଣ କ୍ଷମତା ବୃଦ୍ଧି ପାଇଥାଏ ଓ ଏଥିରୁ ସଂକ୍ରମିତ ହୋଇଥିବା ରୋଗୀଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ହସ୍ପିଟାଲରେ ଦାଖଲ କରିବାକୁ ପଡ଼େ ସେତେବେଳେ ଏହି ଭାରିଏଣ୍ଟକୁ ଚିନ୍ତାଜନକ ଶ୍ରେଣୀରେ ଗଣାଯାଏ। ଏହି ଦୁଇଟିଯାକ ଉପାଦାନରେ ବଳିଷ୍ଠ ଡେଲ୍ଟା ଭାରିଏଣ୍ଟ କେବଳ ବ୍ରିଟେନ ନୁହେଁ ଭାରତ ସମେତ ସମଗ୍ର ବିଶ୍ୱରେ ବିପଦ ପରିସ୍ଥିତି ସୃଷ୍ଟି କରିଛି। ନୂଆ ଭାରିଏଣ୍ଟର ଉତ୍ପତ୍ତି କେବଳ ଡେଲ୍ଟାରେ ସୀମିତ ନୁହେଁ। ଏହାର ଆଉ ଏକ ପରିଷ୍କୃତ ରୂପ ବି ଆସିଯାଇଛି ଯାହାକୁ ଡେଲ୍ଟା ପ୍ଲସ୍ କୁହାଯାଉଛି।

ଭାରତରେ ଏହି ଭାରିଏଣ୍ଟର ରୋଗୀ ଏତେ ବେଶୀ ସଂଖ୍ୟାରେ ନାହାଁନ୍ତି। ତେବେ ମହାରାଷ୍ଟ୍ର ଓ ଅନ୍ୟ କେତେକ  ରାଜ୍ୟରେ ବେଶ କିଛି ରୋଗୀ ଆସିଲେଣି। ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗ ଓ ଭାରତ ସରକାର ଉଭୟେ ଘୋଷଣା କରିଛନ୍ତି ଯେ ଡେଲ୍ଟା ପ୍ଲସ୍ ଭାରିଏଣ୍ଟ କରୋନାର ତୃତୀୟ ଲହରର କାରଣ ହୋଇପାରେ।

ବ୍ୟାପକ ପ୍ରସ୍ତୁତି

ସ୍ୱାଭାବିକ ଭାବରେ, କରୋନାର ତୃତୀୟ ଲହରକୁ ସାମ୍ନା କରିବା ପାଇଁ ଓଡ଼ିଶା ସରକାରଙ୍କ ସମେତ ବହୁ ରାଜ୍ୟ ସରକାର ଓ କେନ୍ଦ୍ର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଅବଶ୍ୟ ସରକାରଙ୍କ ପ୍ରସ୍ତୁତି ପ୍ରଣାଳୀ କେତେ ତ୍ରୁଟିଶୂନ୍ୟ ଏବଂ ଏସବୁ ପ୍ରସ୍ତୁତିର ଫଳ ଆଉ ଏକ ଲହର ଆସିବା ପରେ ହିଁ ଜଣାପଡ଼ିବ। ତେବେ କେତେ ଲୋକ ଏହି ନୂଆ ଭାରିଏଣ୍ଟ ସଂକ୍ରମଣର ଶିକାର ହେଉଛନ୍ତି ଓ କେତେ ପରିମାଣରେ ଏହି ପ୍ରାକ-ପ୍ରସ୍ତୁତି ତୃଣମୂଳ ସ୍ତରକୁ ପହଞ୍ଚି ପାରୁଛି ତାହା ଦେଖିବା ବାକି ରହିଲା।ନାଗରିକଙ୍କ କର୍ତ୍ତବ୍ୟ

ସରକାରଙ୍କ ପ୍ରସ୍ତୁତି ସହିତ ଲୋକଙ୍କ ମନରେ ଏହା ବରାବର ରହିବା ଦରକାର ଯେ କରୋନା ବିରୁଦ୍ଧରେ ଲଢେଇ କେବଳ ସରକାରଙ୍କ କାମ ନୁହେଁ, ଏହା ପ୍ରତିଟି ନାଗରିକର ଦାୟିତ୍ୱ ମଧ୍ୟ। ଏହି ଲଢ଼େଇରେ ଆମକୁ ସଫଳତା ସେତେବେଳେ ମିଳିବ ଯେତେବେଳେ ସମସ୍ତ ପ୍ରକାର କଟକଣା ଓ ପ୍ରତିବନ୍ଧକକୁ ଆମେ ମାନି ଚାଲିବା। ନିଜେ ସଜାଗ ରହିବା ସହ ସରକାରଙ୍କ ପଦକ୍ଷେପକୁ ସହାୟତା ଯୋଗାଇ ଦେବା ନିହାତି ଆବଶ୍ୟକ ଏଥିରେ ଦ୍ଵିମତ ନାହିଁ।

ଟିକା ପ୍ରଭାବ

ବିଶେଷଜ୍ଞଙ୍କ ମତରେ ଏବେ ପର୍ଯ୍ୟନ୍ତ ଯେତେ ପ୍ରକାର ନିରୀକ୍ଷଣ କରାଯାଇଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଏହି ଡେଲ୍ଟା ଭାରିଏଣ୍ଟକୁ କାବୁ କରିବାରେ ସମୂହ  ଟିକାକରଣର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନ ଦେଶରେ ଯେଉଁ ଟିକାକରଣ ପ୍ରକ୍ରିୟା ଚାଲିଛି ତାହା ଆଗାମୀ ଦିନରେ ଜୋର ଧରିବା ନିଶ୍ଚିତ।ଦୁଇଟି ରାସ୍ତା

ଏହି ପରିସ୍ଥିତିରେ ସାଧାରଣ ଲୋକଙ୍କଠାରୁ ଯେଉଁ ସହଯୋଗ ଆସିବ ତାହା ଦୁଇ ପ୍ରକାରର ହେବା ଉଚିତ। ପ୍ରଥମ, ଟିକା ନେବା ପାଇଁ ଯେଉଁ ଉଦାସୀନତା ମନୋଭାବ ପୋଷଣ କରାଯାଉଛି ତାହାକୁ ପୂରାପୂରି ମନରୁ କାଢ଼ି ଦିଆଯିବା ଦରକାର। ଦ୍ଵିତୀୟ, ଜୁଲାଇ ମାସରେ ଯଦି ଅନ୍‌ଲକ୍ ହୁଏ ତଥାପି କରୋନା ନିୟମକୁ କଡ଼ାକଡ଼ି ପାଳନ କରିବା ଦରକାର। ବେପରୁଆ ମନୋବୃତ୍ତି ରହିଲେ କରୋନା ଯୁଦ୍ଧକୁ ଜିତିବା ଏକ କଷ୍ଟକର ବ୍ୟାପାର ହୋଇପଡ଼ିବ ଏହା ମନେ ରଖିବା ନିହାତି ଆବଶ୍ୟକ।

Comment