ଓଡ଼ିଶାଲାଇଭ୍ ବ୍ୟୁରୋ

  • କଟକ, ଭୁବନେଶ୍ଵରରେ ନିୟନ୍ତ୍ରଣକୁ ଆସୁନି କରୋନା
  • ଏବେବି ରେଡ୍ ଜୋନ୍‌ରେ ଖୋର୍ଦ୍ଧା ଜିଲ୍ଲା
  • ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

କରୋନା ମହାମାରୀର ଦ୍ୱିତୀୟ ଲହରରେ ରାଜ୍ୟର କରୋନା ସଂକ୍ରମଣ ତଳମୁହାଁ ହୋଇଛି ସତ, ହେଲେ ଏହା ଅତି ମନ୍ଥର ଗତିରେ ହ୍ରାସ ପାଉଛି ଯାହାକି ରାଜ୍ୟ ପାଇଁ ଚିନ୍ତାର କାରଣ ହୋଇଛି।

ରାଜ୍ୟର କରୋନା ଗ୍ରାଫ ବେଶ କିଛି ଦିନ ଧରି ଉଚ୍ଚରେ ରହିଛି। ଜୁନ୍ ୧୫ ତାରିଖରୁ ଜୁଲାଇ ୧୫ ଯାଏଁ ରାଜ୍ୟରେ ଦୈନିକ ୩ ହଜାର ପାଖାପାଖି କରୋନା ମାମଲା ଆସୁଥିଲା। ତା’ପରଠାରୁ ଏହା ୨ ହଜାର ପାଖାପାଖି ରହିଛି। ଦୈନିକ ସଂକ୍ରମଣରେ ଏହି ଗତିରୋଧ ଯୋଗୁଁ ସରକାର ଲକଡାଉନକୁ ବାରମ୍ବାର ବୃଦ୍ଧି କରିବା ପାଇଁ ବାଧ୍ୟ ହେଉଛନ୍ତି।ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଲା ଭୁବନେଶ୍ୱର ଓ କଟକରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ। ଖୋର୍ଦ୍ଧା ଜିଲ୍ଲା ଏବେ ବି ରେଡ୍ ଜୋନରେ ରହିଛି। କଟକ ଜିଲ୍ଲାର ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହିଥିବା ବେଳେ ଖୋର୍ଦ୍ଧା ଓ ପୁରୀରେ ଟେଷ୍ଟ ପଜିଟିଭ୍ ରେଟ୍ ୪ ପ୍ରତିଶତ ଉପରେ ରହିଛି। ତେବେ ରାଜ୍ୟର ହାରାହାରି ସଂକ୍ରମଣ ହାର ୨.୪୫ ପ୍ରତିଶତକୁ ଖସି ଆସିଛି। ଏଥିପାଇଁ ହସ୍ପିଟାଲ ଉପରୁ ଚାପ କମିଛି ସତ ହେଲେ ଏବେ ବି ଆଇସିୟୁରେ ୧୩୯୯ ଜଣ ଓ ଭେଣ୍ଟିଲେଟରରେ ୩୫୭ ରୋଗୀ ଚିକିତ୍ସିତ ହେଉଛନ୍ତି।

ଯଦିଓ ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଲୋକମାନେ ଯେପରି ଅଯଥାରେ ଗହଳି ନ କରିବେ ତାକୁ ଦୃଷ୍ଟିରେ ରଖି କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ନିକଟରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିଥିଲେ। ବିଶେଷଜ୍ଞମାନଙ୍କ ମତକୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯଦି ଅଗଷ୍ଟ ଶେଷ ବେଳକୁ ତୃତୀୟ ଲହରୀ ଆସେ ସେଥିପାଇଁ ଆମକୁ ଏହାର ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ ହେବ। ତେଣୁ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ସୁଦୃଢୀକରଣ ସହିତ ମାନବସମ୍ବଳ ବିନିଯୋଗ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି।

ଲୋକମାନେ ଯେପରି ବିନା କୌଣସି ଅସୁବିଧାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇପାରିବେ ସେ ଦିଗରେ ଜିଲ୍ଲା ପ୍ରଶାସନମାନେ ଧ୍ୟାନ ଦେବେ। ଜିଲ୍ଲା ହସ୍ପିଟାଲଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଯେଭଳି ସ୍ୱାସ୍ଥ୍ୟସେବାରେ କୌଣସି ଅସୁବିଧା ନ ହୁଏ ସେଥିପାଇଁ ପ୍ରତ୍ୟେକ ଥାନା ଅଧିକାରୀଙ୍କଠାରୁ ଆରମ୍ଭକରି ବିଡିଓ, ଏସ୍‌ଡିପିଓ, ସବ୍ କଲେକ୍ଟର, ଏସ୍‌ପି ଓ ଜିଲ୍ଲାପାଳ ସମସ୍ତେ ଏହାକୁ ସେମାନଙ୍କର ମୂଳ ଦାୟିତ୍ୱର ଅଂଶ ଭାବେ ଯତ୍ନବାନ୍ ହେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି।କୋଭିଡର ଦ୍ୱିତୀୟ ଲହର ସମୟରେ ଗରିବ ଲୋକ, ଛୋଟ ଚାଷୀ, ନିର୍ମାଣ ଶ୍ରମିକ, ନରେଗା ଶ୍ରମିକ, ଆଦିମ ଜନଜାତି ପରିବାର, ଅନୁସୂଚିତ ଜାତି, ଜନଜାତି ଛାତ୍ରଛାତ୍ରୀ ଓ ମିଶନ ଶକ୍ତିର ମା’ମାନଙ୍କଠାରୁ ଆରମ୍ଭକରି ବୁଲାବିକାଳୀ ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ ପାଇଁ ସରକାର କୋଭିଡ ସହାୟତା ଘୋଷଣା କରିଛନ୍ତି। ସରକାରଙ୍କ ୧୦ଟି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ଏହି ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି।

Comment