ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ଘଟିଛି ଅଘଟଣ। ଏକା ସାଙ୍ଗରେ ୧୨ଜଣ ଦୁର୍ବୃତ୍ତ ଆସି ପାଞ୍ଚ ଜଣ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ଅଧିକ ତଦନ୍ତ କରୁଛି କମିସନରେଟ ପୋଲିସ।

ସୋମବାର ଦିନ ପ୍ରାୟ ୧.୩୦ମିନିଟ ସମୟରେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟକୁ ୧୨ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନଙ୍କ ହାତରେ ଖଣ୍ଡା ଏବଂ ଲୁହା ରଡ ରହିଥିଲା। ସେଠାକୁ ଆସି ପ୍ରାୟ ୩୦ମିନିଟ ପର୍ଯ୍ୟନ୍ତ ଆତଙ୍କରାଜ ଚଳାଇଥିଲେ। ପରେ ସେଠାରୁ ଚମ୍ପଟ ମାରିଥିଲେ।

ଖବର ପାଇ ଘଟଣାସ୍ଥଳରେ କମିସନରେଟ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜା ନାମକ ଯୁବକକୁ ଗିରଫ କରି ପଚରାଉଚୁରା କରୁଥିବାବେଳେ, ଅନ୍ୟମାନଙ୍କୁ ସିସିଟିଭି ଆଧାରରେ ଚିହ୍ନଟ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ପୂର୍ବ ଶତ୍ରୁତାକୁ କିମ୍ବା ନିଶା କାରବାରକୁ କେନ୍ଦ୍ର କରି ଏଭଳି ହୋଇଥାଇପାରେ ବୋଲି ଅନୁମାନ କରୁଛି ପୋଲିସ। କିନ୍ତୁ ଏପର୍ଯ୍ୟନ୍ତ ଘଟଣାର କୌଣସି ସତ୍ୟାସତ୍ୟ ଜଣାପଡ଼ିନାହିଁ।

Comment