ଓଡ଼ିଶାଲାଇଭ୍ ବ୍ୟୁରୋ

“ଆଗକୁ ଦେଶ ପାଇଁ ବଡ଼ ଆହ୍ୱାନ ରହିଛି। ସରକାରଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ଏବେ ଖୁସି କିମ୍ବା ଆନନ୍ଦ ହେବାର ସମୟ ନୁହେଁ, ବରଂ ଆଗାମୀ ଦିନରେ ଆସିବାକୁ ଥିବା ଆହ୍ୱାନକୁ କିଭଳି ସାମ୍ନା କରାଯାଇପାରିବ ସେ ନେଇ ଆତ୍ମଚିନ୍ତନ କରିବା ଆବଶ୍ୟକ”, କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ।

ତାଙ୍କ ମତରେ ୧୯୯୧ରେ ହୋଇଥିବା ବଜେଟ୍ ତୁଳନାରେ ଦେଶ ପାଇଁ ଆହ୍ୱାନ ଏବେ ଅଧିକ ରହିଛ। ଭାରତ ଭଳି ବଡ଼ ଦେଶରେ ସରକାରଙ୍କ ଦାୟିତ୍ୱ ହେଉଛି ପ୍ରତ୍ୟେକ ଭାରତୀୟ ଯେଭଳି ସୁସ୍ଥ ରହିପାରିବେ ଏବଂ ସମ୍ମାନଜନକ ଭାବେ  ଜୀବନ ବଞ୍ଚି ପାରିବେ। ଏବେ ଏହାର ରୋଡ୍ ମ୍ୟାପ ତିଆରି କରିବାର ସମୟ ଆସିଛି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ସରକାରର ପ୍ରଧାନମନ୍ତ୍ରୀ ଥିଲେ ମନମୋହନ ସିଂହ।୧୯୯୧ରେ ପିଭି ନରସିଂହ ରାଓଙ୍କ ସରକାରରେ ମନମୋହନ ସିଂହ ଅର୍ଥମନ୍ତ୍ରୀ ଥିବାବେଳେ ୨୪ ଜୁଲାଇ ୧୯୯୧ରେ ସେ ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ। ଏହି ବଜେଟ୍ ଦେଶରେ ଅର୍ଥନୀତିକ ଉଦାରୀକରଣର ମୂଳଦୁଆ ବୋଲି ବିବେଚନା କରାଯାଏ। ଏହି ବଜେଟ ହିଁ ଭାରତର ପରିଚୟକୁ ପୂରା ବଦଳାଇ ଦେଇଥିଲା। ଉଦାରୀକରଣ ଜରିଆରେ ସେ ଦେଶର ଅର୍ଥନୈତିକ ଢାଞ୍ଚାରେ ଏକ ଆମୂଳଚୂଳ ପରିବର୍ତ୍ତନ ଆଣିଥିଲେ।

ଏହି ଐତିହାସିକ ବଜେଟର ୩୦ ବର୍ଷ ପୂରଣ ଅବସରରେ ମନମୋହନ ସିଂହ ଦେଶର ଅର୍ଥନୀତି ପ୍ରସଙ୍ଗରେ ଯେଉଁ ମତ ରଖିଛନ୍ତି ତାହା ପ୍ରଣିଧାନଯୋଗ୍ୟ। ୩୦ବର୍ଷ ପୂର୍ବେ କଂଗ୍ରେସ ଦଳ ପକ୍ଷରୁ ଯେଉଁ ଆର୍ଥିକ ସଂସ୍କାର ଆରମ୍ଭ କରାଯାଇଥିଲା ତାହା ଦେଶର ଅର୍ଥନୀତି ପାଇଁ ଏକ ନୂଆ ରାସ୍ତା ପ୍ରସ୍ତୁତ କରିଥିଲା।

ଗତ ତିନି ଦଶନ୍ଧି ମଧ୍ୟରେ ବିଭିନ୍ନ ଦଳର ସରକାର ଆସିଛନ୍ତି ଏବଂ ଏହାକୁ ଅନୁସରଣ ମଧ୍ୟ କରିଛନ୍ତି। ବିଶ୍ୱର ବୃହତ୍ତମ ଅର୍ଥନୀତି ମଧ୍ୟରେ ପରିଗଣିତ ହେବା ସହ ଅନେକ କ୍ଷେତ୍ରରେ ଦେଶ ସ୍ୱାବଲମ୍ବୀ ହୋଇପାରିଛି। ଗୋଟିଏ ଗରିବ ଦେଶରୁ ଭାରତ ଆଜି ଏକ ଉନ୍ନତ ଅର୍ଥନୀତିର ଦେଶ ହୋଇପାରିଛି। ଏହି ତିନି ଦଶନ୍ଧି ମଧ୍ୟରେ ପ୍ରାୟ ୩୦ କୋଟି ଭାରତୀୟ ନାଗରିକ ଦାରିଦ୍ର୍ୟରୁ ମୁକୁଳି ପାରିଛନ୍ତି। କୋଟି କୋଟି ନୂଆ ନିଯୁକ୍ତି ସୃଷ୍ଟି ହେବା ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଭାରତ ତା’ର ପାରଦର୍ଶିତା ଦେଖାଇ ପାରିଛି।ମନମୋହନ ସିଂହଙ୍କ କହିବା ଅନୁଯାୟୀ ମହାମାରୀ କରୋନା ଭାରତର  ଅନେକ କ୍ଷତି ଘଟାଇଛି। ଲୋକେ ରୋଜଗାର ହରାଇଛନ୍ତି ଓ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି। ତେଣୁ ଆଗାମୀ ଦିନରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବେକାରୀ ଦେଶ ପାଇଁ ଗୋଟିଏ ବଡ଼ ଆହ୍ୱାନ ହେବ।

ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ପୂର୍ବ ପ୍ରଧାନମନ୍ତ୍ରୀଙ୍କଠାରୁ ଯେଉଁ ସବୁ ପରାମର୍ଶ ଆସିଛି ତାହାକୁ ବିଚାରକୁ ନେଇ କାର୍ଯ୍ୟ କଲେ ବର୍ତ୍ତମାନର ସଂକଟରୁ ଦେଶକୁ ଉଦ୍ଧାର କରାଯାଇପାରିବ ଏଥିରେ ଦ୍ଵିମତ ନାହିଁ।

Comment