ଓଡ଼ିଶାଲାଇଭ୍ ବ୍ୟୁରୋ

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରେଷ୍ଠ କ୍ରୀଡ଼ା ପୁରସ୍କାର ‘ରାଜୀବ ଗାନ୍ଧୀ ଖେଳରତ୍ନ’ର ନାମ ପରିବର୍ତ୍ତନ କରି ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ’ ରଖିଛନ୍ତି। ତେବେ ଏହି ନିଷ୍ପତ୍ତିକୁ ନେଇ ରାଜନୈତିକ ମହଲରେ ଦେଖା ଦେଇଛି ବିବାଦ।

ମୋଦୀ ସରକାରଙ୍କ ଦ୍ୱାରା ସ୍ଥାନ ଓ ଅନୁଷ୍ଠାନର ନାମ ପରିବର୍ତ୍ତନ କରିବା କିଛି ନୂଆକଥା ନୁହେଁ। ବିଗତ ଦୁଇ ତିନି ବର୍ଷ ମଧ୍ୟରେ ଏଭଳି ଅନେକ ନାମ ପରିବର୍ତ୍ତନ ହୋଇଛି। ନିକଟରେ ପରିବର୍ତ୍ତନ ହୋଇଥିବା ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପୁରସ୍କାରକୁ ନେଇ ବିବାଦ ଦେଖା ଦେଇଛି। ଏହି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ କିଏ ସମର୍ଥନ କରୁଛି ତ’ ପୁଣି କିଏ ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି।

ଏବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଇତିହାସ ରଚିଛି। ମହିଳା ଦଳ ବି ଲଢ଼ୁଆ ପ୍ରଦର୍ଶନ କରି ସେମିଫାଇନାଲରେ ପହଞ୍ଚିଥିଲା। ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ପାଇବା ଦେଶ ପାଇଁ ଗର୍ବର ବିଷୟ। ଗୋଟିଏ ପଟେ ଏହି ସଫଳତାକୁ ନେଇ ହକି ପ୍ରତି ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ଏହି ସମୟରେ ଦେଶର ଶ୍ରେଷ୍ଠ କ୍ରୀଡ଼ା ପୁରସ୍କାର ‘ରାଜୀବ ଗାନ୍ଧୀ ଖେଳରତ୍ନ’ର ନାମ ପରିବର୍ତ୍ତନକୁ ନେଇ ବିଭିନ୍ନ ମହଲରେ ଦେଖା ଦେଇଛି ବିବାଦ।‘ରାଜୀବ ଗାନ୍ଧୀ ଖେଳରତ୍ନ’ ବଦଳରେ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ’

ଅଲିମ୍ପିକ୍ସ ୨୦୨୦ରେ ଭାରତୀୟ ହକି ଦଳର ଚମତ୍କାର ପ୍ରଦର୍ଶନ ସହ ଦେଶକୁ ବ୍ରୋଞ୍ଜ ପଦକ ଉପହାରକୁ ନେଇ ଭାରତର ପ୍ରତି କୋଣ ଅନୁକୋଣରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହକିର ଯାଦୁଗର କୁହାଯାଉଥିବା ମେଜର ଧ୍ୟାନଚାନ୍ଦ ନାମରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାରର ନାମ ଘୋଷଣା କରିଛନ୍ତି।

ପୂର୍ବରୁ ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ‘ରାଜୀବ ଗାନ୍ଧୀ ଖେଳରତ୍ନ’ ନାମରେ ଥିବାବେଳେ ଏହାକୁ ପରିବର୍ତ୍ତନ କରି ବର୍ତ୍ତମାନ ଏହାର ନାମ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ’ ରଖାଯାଇଛି। ଏନେଇ ଶନିବାର ପ୍ରଧାନମନ୍ତ୍ରୀ ନିଜ ଟୁଇଟର ମାଧ୍ୟମରେ ସୂଚନା ଦେଇଥିଲେ।

ମୋଦୀ ଟୁଇଟରରେ ଲେଖିଥିଲେ, “ମେଜର ଧ୍ୟାନଚାନ୍ଦ ହେଉଛନ୍ତି ଜଣେ ବିଶିଷ୍ଠ କ୍ରୀଡ଼ାବିତ୍, ଯିଏକି ଦେଶ ପାଇଁ ଅନେକ ସମ୍ମାନ ଓ ଗୌରବ ଆଣିଛନ୍ତି। ତେଣୁ ତାଙ୍କ ନାମ ଅନୁସାରେ ଏହି କ୍ରୀଡ଼ା ସମ୍ମାନ ନାମିତ ହେବା ଯଥାର୍ଥ। ଏଥିସହ ମେଜର ଧ୍ୟାନଚାନ୍ଦଙ୍କ ନାଁରେ ଖେଳ ରତ୍ନ ପୁରସ୍କାରକୁ ନାମିତ କରିବା ପାଇଁ ସମଗ୍ର ଦେଶରୁ ପ୍ରସ୍ତାବ ଆସୁଥିଲା। ତେଣୁ ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଜଣାଇ ଏହାକୁ ପରିବର୍ତ୍ତନ କରାଯାଇଛି।”‘ଧ୍ୟାନଚାନ୍ଦ ଲାଇଫ ଟାଇମ ଅଚିଭମେଣ୍ଟ’ ଓ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ’କୁ ନେଇ ଦ୍ଵନ୍ଦ୍ଵ

ଧ୍ୟାନଚାନ୍ଦଙ୍କ ନାଁ ରେ ପୂର୍ବରୁ ଆଉ ଏକ ପୁରସ୍କାର ରହିଛି। ଯାହାର ନାମ ‘ଧ୍ୟାନଚାନ୍ଦ ଲାଇଫ ଟାଇମ ଅଚିଭମେଣ୍ଟ’ କ୍ରୀଡ଼ା ପୁରସ୍କାର। ତେଣୁ ହଠାତ୍ ଖେଳରତ୍ନ ସମ୍ମାନର ନାଁ ପରିବର୍ତ୍ତନକୁ ନେଇ ଅନେକ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ଅନ୍ୟପଟେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି, ଜଣେ କ୍ରୀଡ଼ାବିତଙ୍କ ନାମରେ ଦୁଇ ଦୁଇଟି କ୍ରୀଡ଼ା ପୁରସ୍କାର ଦ୍ଵନ୍ଦ୍ଵରେ ପକାଇଛି।

ସେପଟେ ବିରୋଧୀ କହିଛି ବହୁ ଦିନରୁ ମେଜର ଧ୍ୟାନଚାନ୍ଦଙ୍କୁ ଭାରତରତ୍ନ ପ୍ରଦାନ କରିବା ନେଇ ଦାବି ହେଉଥିବାବେଳେ, ମୋଦୀ ସରକାର ସେ ଦିଗ ପ୍ରତି ଧ୍ୟାନ ନଦେଇ ଖେଳରତ୍ନର ନାମ ପରିବର୍ତ୍ତନ କରିବା ପଛରେ ହୀନ ରାଜନୀତି ଥିବା ଜଣାପଡ଼ୁଛି। ସେମାନେ ଆଉ ମଧ୍ୟ କହିଛନ୍ତି, ଯଦି ସରକାର ଧ୍ୟାନଚାନ୍ଦଙ୍କୁ ସମ୍ମାନ ଦେବାକୁ ଚାହୁଁଥିଲେ ତେବେ କାହିଁକି ଏଯାବତ୍ ତାଙ୍କୁ ଦେଶର ଶ୍ରେଷ୍ଠ ସମ୍ମାନରେ ସମ୍ମାନୀତ କରାଯାଇ ନାହିଁ ?ସୋସିଆଲ ମିଡିଆରେ ସମର୍ଥନ ଏବଂ ସମାଲୋଚନା

ଖେଳରତ୍ନ ପୁରସ୍କାରର ନାଁ ପରିବର୍ତ୍ତନ କରିଦେଲେ ଧ୍ୟାନଚାନ୍ଦଙ୍କୁ ସମ୍ମାନ ମିଳିବ ନାହିଁ। ଏଥିପାଇଁ ଖେଳର ଭିତ୍ତିଭୂମି ସୁଦୃଢ କରି ଖେଳାଳିଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ଦେବା ଆବଶ୍ୟକ। ଏଭଳି କରାଗଲେ ମେଜରଙ୍କୁ ଏହା ଶ୍ରେଷ୍ଠ ସମ୍ମାନ ହେବ ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଉଛି। ଏଥିସହ ମୋଦୀଙ୍କ ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନ ନିଷ୍ପତ୍ତିକୁ ମୋଟାମୋଟି ଭାବେ ସ୍ୱାଗତ କରାଯାଇଛି ସତ କିନ୍ତୁ ଏହାକୁ ନେଇ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

ଅନେକଙ୍କ ମତ ଖେଳ ସହ ସମ୍ପର୍କିତ ପୁରସ୍କାରର ନାଁ ରାଜନେତା ନୁହେଁ ବରଂ ଖେଳାଳିଙ୍କ ନାମ ଅନୁସାରେ ହେବା ଦରକାର। ସେହି ଯୁକ୍ତି ଅନୁସାରେ, ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଏବଂ ଅରୁଣ ଜେଟଲୀ ଷ୍ଟାଡିୟମର ନାମକୁ ମଧ୍ୟ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ। ଏଥିସହ ଏହି ଦୁଇ ଷ୍ଟାଡିୟମର ନାମକରଣ ଖେଳାଳିଙ୍କ ନାଁରେ କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।

ଖେଳ ପୁରସ୍କାର, ଖେଳ ସମ୍ପର୍କିତ ସମସ୍ତ ସମ୍ମାନ ଓ ଅନୁଷ୍ଠାନର ନାମକରଣ କେବଳ ଖେଳାଳିଙ୍କ  ନାମରେ ହେବା ଉଚିତ ଏଥିରେ ଦ୍ଵିମତ ନାହିଁ। ତେବେ ଏହାକୁ ରାଜନୈତିକ ଦଳ ଓ ସରକାରମାନେ କେତେଦୂର ପାଳନ କରିବେ ତାହା କହିବା କଷ୍ଟ। ଦେଶରେ ନେତାଙ୍କ ନାମକୁ ନେଇ ବେଶ ରାଜନୀତି ହେଉଛି। କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ହିସାବରେ ନରେନ୍ଦ୍ର ମୋଦୀ, କୌଣସି ବ୍ୟକ୍ତି ବିଶେଷ ଓ ରାଜନୈତିକ ଦଳ ପାଇଁ ସମାନ ବିଚାରଧାରା ରଖିବେ ଏହାହିଁ ଜନସାଧାରଣଙ୍କ ମତ।

Comment