ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ଗରିବ ଆଦିବାସୀ ସମ୍ପ୍ରଦାୟର ପିଲାମାନଙ୍କ ପାଠ ପଢ଼ିବା ପାଇଁ ସରକାର ଅନେକ ଯୋଜନା କରିଥିଲେ ମଧ୍ୟ ବହୁ ସମୟରେ ଏହି ଯୋଜନା ସେମାନଙ୍କ ପାଖରେ ପହଞ୍ଚିପାରୁନାହିଁ। ଯାହାଦ୍ଵାରା ଉଚ୍ଚ ଶିକ୍ଷା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ପାଠ ପଢ଼ି ପାରୁନାହାଁନ୍ତି। ସେହିପରି ଦୁଇ ଭଉଣୀ ହେଉଛନ୍ତି ଲେଲୁ ମେଲେକା ଓ ଅନୀତା ମେଲେକା। ଏମାନଙ୍କ ଘର ରାୟଗଡ଼ାର ତାଡ଼ମା ପଞ୍ଚାୟତର ବଡ଼ସାହି।

ପିଲାଟି ଦିନରୁ ସେମାନଙ୍କ ବାପା ଆଖିବୁଜିଛନ୍ତି। ମାଆଙ୍କ ବୟସ ୫୦ ଟପିଲାଣି। ମୂଲ ଲାଗିଲେ ପରିବାର ଚଳୁଛି। କରୋନା କାଳରେ କାମଧନ୍ଧା ବନ୍ଦ ଯୋଗୁଁ ୩ ପ୍ରାଣୀର ପରିବାର ଚଳିବା କଷ୍ଟକର ହୋଇପଡିଛି। ସରକାରଙ୍କ ପକ୍ଷରୁ ମାସିକ ୫୦୦ ଟଙ୍କାର ପେନସନ୍ ଓ ୧୫ କେଜି ଚାଉଳ ଏମାନଙ୍କର ଏକମାତ୍ର ସାହାଭରସା। ଏପରି ସ୍ଥିତିରେ ଉଚ୍ଚ ଶିକ୍ଷା ପାଇଁ ଟଙ୍କା ଆସିବ କେଉଁଠୁ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଦୁଇ ଭଉଣୀ ଲେଲୁ ମେଲେକା ଓ ଅନୀତା ମେଲେକା।ଏମାନେ ଦଶମ ପର୍ଯ୍ୟନ୍ତ ଆଦିବାସୀ ସେବାଶ୍ରମରେ ରହି ପାଠ ପଢ଼ିଥିଲେ। ପରେ ସଂଘର୍ଷ କରି ଉଚ୍ଚ ଶିକ୍ଷା ପାଇଁ କଲେଜରେ ନାମ ଲେଖାଇଲେ। ବଡ଼ ଭଉଣୀ ଲେଲୁ ମେଲେକା ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ଵିତୀୟ ବର୍ଷରେ ପଢ଼ୁଥିବାବେଳେ ସାନ ଭଉଣୀ ଅନୀତା ଯୁକ୍ତ ଦୁଇ ପାସ୍ କରି ଯୁକ୍ତ ୩ ରେ ନାମ ଲେଖାଇବାକୁ ଆବେଦନ କରିଛି।

କଲେଜର ନାମ ଲେଖାଇବା ଏବଂ ବହି କିଣିବାକୁ ପାଖରେ ଟଙ୍କା ନଥିବାରୁ ଗତ କିଛି ଦିନ ହେଲା ଦୁଇ ଭଉଣୀ ଦିନ ମଜୁରିଆ ଭାବରେ କାମ କରୁଛନ୍ତି। ପାଖରେ ମୋବାଇଲ ଫୋନଟିଏ ନଥିବାରୁ ଅନଲାଇନ କ୍ଲାସ ମଧ୍ୟ କରିପାରୁନାହାଁନ୍ତି। ରାତି ପାହିଲେ ଦୁଇ ଭଉଣୀ କାମ କରିବାକୁ ଯାଇ ସନ୍ଧ୍ୟାରେ ଫେରୁଛନ୍ତି। ଏମିତିକି ସାନ ଭଉଣୀକୁ ପଢ଼ାଇବା ପାଇଁ ବଡ଼ ଭଉଣୀ ଲେଲୁ ନିଜ ପାଠ ପଢ଼ାକୁ ଅଧାରେ ଛାଡ଼ିଛନ୍ତି। ଦିନକୁ ଯେଉଁ ୨ଶହ ଟଙ୍କା ରୋଜଗାର କରୁଛନ୍ତି ସେଥିରେ ପରିବାର ଚଳାଇବା ସହ ପାଠ ପଢ଼ା ପାଇଁ ମଧ୍ୟ ପଇସା ସଞ୍ଚୟ କରୁଛନ୍ତି।

ଉଚ୍ଚ ଶିକ୍ଷା ପାଇଁ ଦୁଇ ଭଉଣୀ ସରକାରୀ ସହାୟତା ପାଇଁ ନିବେଦନ କରିବା ପରେ କଲେଜ ଫି’ ଏବଂ ବହି କିଣା ଖର୍ଚ୍ଚ ରେଡକ୍ରସ୍ ପାଣ୍ଠିରୁ ପ୍ରଦାନ କରିବାକୁ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଉଭୟ ଛାତ୍ରୀ ଚାହିଁଲେ ମାଗଣାରେ ପାଠ ପଢ଼ାଇବା ଦିଗରେ ପଦକ୍ଷେପ ନେବାକୁ ମିଟସ୍ ଗ୍ରୁପ୍ ଅଧ୍ୟକ୍ଷ ବିଶ୍ଵଜିତ୍ ପଣ୍ଡା କହିଛନ୍ତି।

Comment