ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ହେମଗିରି ବ୍ଲକର ବିଭିନ୍ନ ଗାଁରେ ମହିଳା ଏବଂ କିଶୋରୀମାନଙ୍କୁ ଜୀବନ କୌଶଳ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ତାଲିମ ଦିଆଯାଇ ସେମାନଙ୍କର ଜୀବିକାକୁ ସୁନିଶ୍ଚିତ କରାଯାଇପାରିଛି। ଏଭଳି କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷଣ ନେଇ ସମାଜର ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ମହିଳାମାନଙ୍କୁ ଗୁରୁବାର ଦିନ ହେମଗିରି ବ୍ଲକର ଦୁରୁବଗାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସମ୍ବର୍ଦ୍ଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦୁରୁବଗା ପଞ୍ଚାୟତ ଅନ୍ତର୍ଗତ ୫ଟି ଗାଁର ୨୫୦ ଜଣ ମହିଳାଙ୍କୁ ତାଲିମ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

“କୋଭିଡ୍ ସମୟରେ ମଧ୍ୟ ଜୀବନ କୌଶଳ କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାର ମହିଳାମାନଙ୍କର ଯେଉଁ ରୂପାନ୍ତରଣ ସମ୍ଭବ ହୋଇଛି, ତାହା ଦେଖି ମୁଁ ବେଶ୍ ଖୁସି। ମହିଳାମାନଙ୍କ ସଶକ୍ତିକରଣ ସହ ସେମାନଙ୍କର ଦକ୍ଷତା ବୃଦ୍ଧି ଓ ଜୀବନ ଜୀବିକା ସମୃଦ୍ଧ କରିବା ପାଇଁ ଏଭଳି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ସହଯୋଗ ଦେଇଆସୁଛି। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଅନ୍ୟ ଅଞ୍ଚଳକୁ ମଧ୍ୟ ସମ୍ପ୍ରସାରିତ କରିବା ପାଇଁ ବ୍ଲକ ଓ ପଞ୍ଚାୟତ ସ୍ତରର ହିତାଧିକାରୀମାନେ ଆଗେଇଆସନ୍ତୁ”, ଏଭଳି ଆହ୍ୱାନ ଦେଇଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।ସୁନ୍ଦରଗଡ଼ ପ୍ରଶାସନ, ଏନ୍‌ଟିପିସି ଡୁଲୁଙ୍ଗା ଏବଂ ସ୍ୱେଚ୍ଛାସେବୀ ସଙ୍ଗଠନ ହମାରା ବଚପନ ଟ୍ରଷ୍ଟ ମିଳିତ ସହଯୋଗରେ ମହିଳାମାନଙ୍କ ସଶକ୍ତିକରଣ ପାଇଁ ଜୀବନ ପରିବର୍ତ୍ତନକାରୀ କୌଶଳ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସମାଜର ତୃଣମୂଳ ସ୍ତରରେ ମହିଳାମାନଙ୍କର ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ରୋଜଗାରକ୍ଷମ କରିବା ସହ ସ୍ୱାବଲମ୍ବୀ ଜୀବନ ଏବଂ ଦୀର୍ଘସ୍ଥାୟୀ ଜୀବିକାର ବାଟ ଦେଖାଇବାରେ ସହାୟକ ହେଉଛି ଏହି କାର୍ଯ୍ୟକ୍ରମ। ବିଶେଷ କରି କୋଭିଡ୍ ସମୟରେ ଯେଉଁମାନେ ଜୀବନ ଜୀବିକା ହରାଇ ଭାଙ୍ଗିପଡ଼ିଥିଲେ, ସେମାନଙ୍କ ଭିତରେ ଦୃଢ଼ତା ଭରିଛି ‘ଜୀବନ କୌଶଳ’ପ୍ରଶିକ୍ଷଣ।

ଏହି କାର୍ଯ୍ୟକ୍ରମ ଅଧୀନରେ ହେମଗିରି ବ୍ଲକର ୫ଟି ପଞ୍ଚାୟତରେ ମହିଳାଙ୍କୁ ଦକ୍ଷତା ଓ ନେତୃତ୍ୱ ବିକାଶ, ଯୋଗାଯୋଗ ଏବଂ ଦୀର୍ଘସ୍ଥାୟୀ ଜୀବିକା ଆଦି ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ୯ ମାସ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗରୁ ୩ ହଜାର ୨୪ ଜଣ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏଥିପାଇଁ ଜିଲ୍ଲା ପାରିପାର୍ଶ୍ଵିକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

ଏହି ଜୀବନ କୌଶଳ ତାଲିମ ନେଇ ପ୍ରାୟ ୩୦୦ ଜଣ ମହିଳା ନିଜକୁ କ୍ଷୁଦ୍ର ଉଦ୍ୟୋଗୀ ଭାବେ ଗଢ଼ି ତୋଳିଛନ୍ତି। ସେମାନେ ପନିପରିବା, ଛତୁ ଚାଷ, ପନିପରିବା ଦୋକାନ, ସିଲେଇ କାମ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ମହିଳାଙ୍କଠାରେ ଆତ୍ମ-ବିକାଶ ଏବଂ ନେତୃତ୍ୱ ଗୁଣର ବିକାଶ ହୋଇଛି। ୮ଟି ଗାଁରେ ୮ଟି ମହିଳା ଗୋଷ୍ଠୀ ଗଠନ କରାଯାଇଛି, ଯେଉଁଥିରେ ୧୯୦ ଜଣ ସଦସ୍ୟା ଏବଂ ୭୬ ଜଣ ମହିଳା ଲିଡର ରହିଛନ୍ତି। ସେମାନଙ୍କୁ ଆର୍ଥିକ ପରିଚାଳନା ଉପରେ ପ୍ରଶିକ୍ଷଣ ଦିଆଯାଇଛି।କୋଭିଡ୍ ସ୍ଥିତିର ମୁକାବିଲା ପାଇଁ ସଞ୍ଚୟ ଯୋଜନା ଏବଂ ଘରର ଆୟବ୍ୟୟ ପରିଚାଳନା ସମ୍ପର୍କରେ ୨୧୦ ଜଣ ମହିଳା ତାଲିମ ନେଇଛନ୍ତି। ଏହା ବ୍ୟତୀତ ପାନୀୟ ଜଳ ବିଶୋଧନ ଏବଂ ମାସିକ ଋତୁସ୍ରାବଜନିତ ସ୍ୱାସ୍ଥ୍ୟଚର୍ଯ୍ୟା ସମ୍ପର୍କରେ ୨୬୮ ଜଣ ମହିଳାଙ୍କୁ ସଚେତନ କରାଯାଇଛି। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଅନ୍ୟ ପଞ୍ଚାୟତକୁ ମଧ୍ୟ ସମ୍ପ୍ରସାରିତ କରାଯିବାର ଯୋଜନା ରହିଛି।

ଏହି ଅବସରରେ ଡୁଲୁଙ୍ଗା ସ୍ଥିତ ଏନଟିପିସିର କୋଇଲା ଖଣି ପ୍ରକଳ୍ପ ମୁଖ୍ୟ ଶିବମ ଶ୍ରୀବାସ୍ତବ କହିଥିଲେ ଯେ, ମହିଳାମାନଙ୍କର ବିକାଶ ଉତ୍ସାହଜନକ। ଏନଟିପିସି ପାରିପାର୍ଶ୍ଵିକ ଅଞ୍ଚଳର ମହିଳାମାନଙ୍କର ସଶକ୍ତିକରଣ ଏବଂ ଦକ୍ଷତା ବିକାଶ ପାଇଁ ଏନ୍‌ଟିପିସି ମଧ୍ୟ କିଛି କାର୍ଯ୍ୟକ୍ରମର ଯୋଜନା କରୁଛି।

ଗୁରୁବାର ଦିନ ସମ୍ବର୍ଦ୍ଧନା ସଭାରେ ୫ ଜଣ ତାଲିମପ୍ରାପ୍ତ ମହିଳା ଜୀବନ କୌଶଳ ପ୍ରଶିକ୍ଷଣ ନେବା ଯୋଗୁଁ ସେମାନଙ୍କ ଜୀବନରେ ଆସିଥିବା ସକାରାତ୍ମକ ପରିବର୍ତ୍ତନ ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିଲେ। ଏହି ପ୍ରଶିକ୍ଷଣ ନେବା ଫଳରେ ସେମାନଙ୍କ ଜୀବନ ଜୀବିକା ଓ ନେତୃତ୍ୱ କ୍ଷେତ୍ରରେ ଭଲ ପ୍ରଭାବ ପଡ଼ିବା ସହ ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ବଢ଼ିଛି ବୋଲି ସେମାନେ କହିଥିଲେ।ହମାରା ବଚପନ ଟ୍ରଷ୍ଟର ପ୍ରତିଷ୍ଠାତା ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ କହିଥିଲେ ଯେ, ଜୀବନ କୌଶଳ କାର୍ଯ୍ୟକ୍ରମ ଦ୍ୱାରା ମହିଳାମାନେ ସଶକ୍ତ ହେଉଛନ୍ତି। ଆଗାମୀ ଦିନରେ ଅଧିକରୁ ଅଧିକ ମହିଳାଙ୍କୁ ଉଦ୍ୟୋଗ ଓ ଜୀବନ ଜୀବିକା ପାଇଁ ସହାୟତା ଯୋଗାଇ ଦିଆଯିବ।

ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହିତ ଡୁଲୁଙ୍ଗା ସ୍ଥିତ ଏନଟିପିସି ପ୍ରକଳ୍ପ ମୁଖ୍ୟ ଶିବମ ଶ୍ରୀବାସ୍ତବ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ହମାରା ବଚପନ ଟ୍ରଷ୍ଟର ପ୍ରତିଷ୍ଠାତା ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ, ଜିଲ୍ଲା ପାରିପାର୍ଶ୍ଵିକ ଆଞ୍ଚଳିକ ବିକାଶ ପାଣ୍ଠିର ଯୁଗ୍ମ ସମ୍ପାଦକ ସୁମନ କିଶୋର ଡୁଙ୍ଗଡୁଙ୍ଗ, ହେମଗିରି ବ୍ଲକ ଅଧ୍ୟକ୍ଷା ସୁଧାରାଣୀ ରାଉଡ଼ିଆ, ବିଡିଓ ଡକ୍ଟର ଜଗଦୀଶ ମହାନନ୍ଦିଆ, ଦୁରୁବଗା ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମଲ୍ଲିକ, ପଞ୍ଚାୟତ ସମ୍ପାଦକ ମୁକେଶ ପଣ୍ଡା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଅପର୍ଣ୍ଣା ମଲ୍ଲିକ, କାର୍ଯ୍ୟକ୍ରମ ଅଧିକାରୀ ଚୁଲେଶ୍ୱରୀ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

Comment