ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୧ ଜଣ ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ସମ୍ବର୍ଦ୍ଧନା
  • ଯୁବ ମତଦାତାଙ୍କୁ ଭୋଟର ପରିଚୟପତ୍ର ପ୍ରଦାନ

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଦ୍‌ଭାବନା ଭବନଠାରେ ମଙ୍ଗଳବାର ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣ ଏଥିରେ ଯୋଗ ଦେଇ ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଯୁବବର୍ଗଙ୍କୁ ଭୋଟର ପରିଚୟପତ୍ର ପ୍ରଦାନ କରିଥିଲେ।

“ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟରମାନଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ନୂତନ ଭାବେ ଭୋଟର ତାଲିକାରେ ଯୋଡ଼ି ହୋଇଥିବା ଯୁବବର୍ଗ ଭୋଟ ଦେଇ ନିଜର ମତଦାନ ସାବ୍ୟସ୍ତ କରନ୍ତୁ। ବର୍ତ୍ତମାନ କରୋନା ସମୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ତେଣୁ ସମସ୍ତେ କୋଭିଡ୍ ନିୟମ ପାଳନ କରିବା ସହ ନିର୍ବାଚନରେ ମତଦାନ କରି ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରନ୍ତୁ”, କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜିଲ୍ଲାର ମତଦାତାଙ୍କ ଉଦ୍ଦେଶ୍ୟରେ ଏଭଳି ଆହ୍ୱାନ ଦେଇଛନ୍ତି।

ନିର୍ବାଚନ ସମୟରେ ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ବୁଥ୍‌ସ୍ତରୀୟ ଅଧିକାରୀମାନେ ନିଜ ଦାୟିତ୍ୱ ସଠିକ୍ ଭାବେ ପାଳନ କରୁଥିବାରୁ ଜିଲ୍ଲାପାଳ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଭୋଟର ତାଲିକାରେ ନୂତନ ଭୋଟର ଯୋଡ଼ିବା ଓ ସଂଶୋଧନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲାର ମୋଟ ୨୧ ଜଣ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କୁ ଏହି ଅବସରରେ ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା।

ଏଥିସହ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ଯୁବବର୍ଗଙ୍କୁ ଭୋଟର ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାରେ ୧୫ ଲକ୍ଷରୁ ଅଧିକ ମତଦାତା ରହିଛନ୍ତି। ଏହାସହ ୨୦୨୧-୨୨ ବର୍ଷରେ ୩୫ ହଜାରରୁ ଅଧିକ ନୂତନ ଭୋଟରଙ୍କୁ ପଞ୍ଜୀକୃତ କରାଯାଇଛି।

ପ୍ରାରମ୍ଭରେ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସରକାରୀ ଅଧିକାରୀ ଓ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କୁ ମତଦାତା ଭାବେ ନିର୍ବାଚନରେ ଭାଗ ନେବା ପାଇଁ ସଂକଳ୍ପ ପାଠ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ଏଡିଏମ୍ ତଥା ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସିଇଓ ମହେଶ୍ୱର ଚନ୍ଦ୍ର ନାଏକ, ସହକାରୀ ଜିଲ୍ଲାପାଳ ତଥା ନିର୍ବାଚନ ଉପ ବିଭାଗ ଅଧିକାରୀ ସୁନିଲ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Comment