ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ଭୋଟରମାନେ ସିଧାସଳଖ ନିଜ ମେୟର ବାଛିବେ। ରାଜଧାନୀରେ ହାଇଭୋଲଟେଜ୍ ଲଢ଼େଇ ହେବ। ମନ୍ତ୍ରୀ, ବିଧାୟକମାନଙ୍କ ପତିଆରର ପରୀକ୍ଷା ହେବ। ତେଣୁ ଏଥର ପୌର ନିର୍ବାଚନରେ ଜୋରଦାର ଲଢ଼େଇ ହେବ। 

ଚଳିତ ଥର କର୍ପୋରେଟରମାନେ ନିର୍ବାଚନ ପରେ ମେୟର ବାଛିବେ ନାହିଁ। ସିଧାସଳଖ କର୍ପୋରେଟରମାନେ ମେୟର ନ ବାଛିଲେ ମଧ୍ୟ ସେମାନଙ୍କ ପ୍ରଦର୍ଶନ ମେୟରଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିବ। ସ୍ୱାଭାବିକ ଭାବେ ଯାହାର କର୍ପୋରେଟର ଅଧିକ ରହିବେ ସେହି ଦଳର ପ୍ରାର୍ଥୀ ହିଁ ମେୟର ମୁକୁଟ ପିନ୍ଧିବେ। କହିବାକୁ ଗଲେ ସେପଟେ ବିଜେପି ଓ କଂଗ୍ରେସର ରାଜ୍ୟସ୍ତରୀୟ ନେତାମାନେ ସେମାନଙ୍କ ପ୍ରତିଷ୍ଠାର ପ୍ରମାଣ ଦେଖାଇବେ। ଶାସକ ଦଳର ୩ ବିଧାୟକଙ୍କ ସମେତ ଡଜନେ ମନ୍ତ୍ରୀ ଓ ସାଂଗଠନିକ ହସ୍ତୀମାନେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସଙ୍କ ବିଜୟର ଦାୟିତ୍ୱ ନେବେ।

ଏଥର ସବୁଦଳରୁ ବିଦ୍ରୋହୀ ଅଛନ୍ତି। ଟିକଟ ନ ପାଇ ସ୍ୱାଧୀନ ଭାବେ ନାମାଙ୍କନ କରିଛନ୍ତି। ରାଜ୍ୟରେ ବିଜେଡି ବଡ଼ ଦଳ, ସେଥିପାଇଁ ଏଥିରେ ବେଶୀ ଆଶାୟୀ। କିଛି ପୂର୍ବତନ କର୍ପୋରେଟର ଓ ନୂଆ ପ୍ରାର୍ଥୀ ବିଜେଡି ଟିକଟ ନ ପାଇ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହା ବିଜେଡିର ଭୋଟ୍ ବିଭାଜନ କରିବ ବୋଲି ଚର୍ଚ୍ଚା ହେଉଛି। ରାଜନୀତି ସମୀକ୍ଷକଙ୍କ ମତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା।  କିନ୍ତୁ ନିର୍ବାଚନ ପୂର୍ବରୁ ଏ ସବୁ ସମସ୍ୟାର ସମାଧାନ କରିବାରେ ବିଜେଡି ସଫଳ ହୋଇଥିଲା।

ଆଉ କିଛି ରାଜନୀତି ସମୀକ୍ଷକଙ୍କ ମତ, ଯେଉଁ ଦଳରେ ଯେଉଁ ଓ୍ୱାର୍ଡରେ ବିଦ୍ରୋହୀ ଠିଆ ହୋଇଛନ୍ତି, ସେଠାରେ ଫଳାଫଳ ବିରୋଧୀ ବିଜେପି ସପକ୍ଷରେ ଯିବ। କିନ୍ତୁ ବିଜେଡି ଏ ଥିଓରିରେ ବିଶ୍ୱାସ କରିନାହିଁ। ବିଜେଡିର କହିବା କଥା ନବୀନଙ୍କ ଉପରେ ଆସ୍ଥା ରଖି ଭୋଟରମାନେ ଭୋଟ ବର୍ଷା କରିବେ। ଗତ ଥର ବିଜେଡି କର୍ପୋରେଟରଙ୍କ ମଧ୍ୟରୁ ୩୦ରୁ ଅଧିକ ନିଜେ, ନିଜ ପତ୍ନୀ କିମ୍ବା ପୁଅ ଝିଅଙ୍କ ପାଇଁ ଟିକଟ ଯୋଗାଡ଼ କରିପାରିନାହାନ୍ତି।

ଏବେ ଭୁବନେଶ୍ୱର ମହାନଗର ନିଗମ ଅପେକ୍ଷା କରିଛି ତା’ର ପ୍ରଥମ ମହିଳା ମେୟରଙ୍କୁ। ବିଜେଡି, ବିଜେପି ଓ କଂଗ୍ରେସ ସମସ୍ତେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି। ଦିନ ରାତି ଏକ କରିଦେଇଛନ୍ତି ପ୍ରାର୍ଥୀ। ଏଥର ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେବେ ମେୟର। ୩ଟି ବିଧାନସଭା କ୍ଷେତ୍ରର ଭୋଟର ଏଥର ଭୁବନେଶ୍ୱର ମେୟରଙ୍କୁ ବାଛିବେ। ବିଜେଡିରୁ ସୁଲୋଚନା ଦାସ, କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟ ଓ ବିଜେପିରୁ ସୁନୀତି ମୁଣ୍ଡ। ଏହି ୩ ଜଣଙ୍କ ମଧ୍ୟରୁ କାହାର ବି ରାଜନୀତିକୁ ନେଇ ଅଭିଜ୍ଞତା ନାହିଁ। କିନ୍ତୁ ରାଜନୈତିକ ଅଭିଜ୍ଞତାକୁ ଦେଖିଲେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପଛରେ ରହିବେ। କିନ୍ତୁ ସହରୀ ଭୋଟର ପଞ୍ଚାୟତ ଭୋଟରଙ୍କ ଭଳି ବିଜେଡି ଉପରେ ଭୋଟ ସମର୍ଥନ ଅଜାଡିଦେବେ ନା ଦୁଇ ଜାତୀୟ ଦଳର ପ୍ରାର୍ଥୀଙ୍କ ପ୍ରତି ଢଳିବେ ଏହା ଉପରେ ସମସ୍ତଙ୍କ ନଜର।

ସୁଲୋଚନା ଦାସ ପ୍ରଥମେ ସାମ୍ବାଦିକ ଓ ପରେ ରାଜନୀତିକୁ ଆସିଥିଲେ। କଂଗ୍ରେସରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ସୁଲୋଚନା ପରେ ବିଜେଡିରେ ସାମିଲ ହୋଇଥିଲେ। ବିଜେଡିର ମୁଖପାତ୍ର ଓ ଟିଭି ପ୍ୟାନେଲିଷ୍ଟ ଭାବେ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ହେଉ କିମ୍ବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ ସରକାରଙ୍କ ଆଭିମୁଖ୍ୟ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପିତ କରିବାରେ ସଫଳ ହୋଇଥିଲେ ସୁଲୋଚନା। ସେଥିପାଇଁ ତାଙ୍କୁ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷା ଭାବେ ଦାୟିତ୍ୱ ମିଳିଥିଲା। ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉ କିମ୍ବା ଲୋକଙ୍କ ସହ ଯୋଗାଯୋଗରେ ଦକ୍ଷତା ହେଉ ତାହା ବିଚାର କରି ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି। ଦୀର୍ଘ ଦିନ ହେଲା ରାଜନୀତିରେ ସକ୍ରିୟ ଥିବାରୁ ସେ ଭୋଟରଙ୍କୁ ଆକର୍ଷିତ କରିପାରିବେ ବୋଲି ରାଜନୀତି ସମୀକ୍ଷକଙ୍କ ମତ। ଯଦି ପଞ୍ଚାୟତର ଫଳାଫଳ ଭୁବନେଶ୍ୱରରେ ପ୍ରତିଫଳିତ ହେବ ତେବେ ସୁଲୋଚନା ମେୟର ନିର୍ବାଚିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

କିନ୍ତୁ ଆଉ କିଛି ରାଜନୀତି ସମୀକ୍ଷକଙ୍କ ମତ ବିଜେପି ପ୍ରତି ସହରୀ ଭୋଟରଙ୍କର କିଛି ମାତ୍ରାରେ ଆକର୍ଷଣ ରହିଛି। ଏହା ସହିତ ଭୁବନେଶ୍ୱର ସାଂସଦ ଅପରାଜିତି ଷଡ଼ଙ୍ଗୀ ମଧ୍ୟ ବିଜେପିର। ସେ ଲୋକଙ୍କ ସହ ବେଶ ଭଲ ଭାବେ ମିଶିପାରନ୍ତି। ଦଳୀୟ ସମର୍ଥନ ସମେତ ତାଙ୍କର ନିଜସ୍ୱ ଭୋଟର ମଧ୍ୟ କିଛି ରହିଛନ୍ତି। ଏହା ରାଜନୀତିରେ ଅନଭିଜ୍ଞ ସୁନୀତି ମୁଣ୍ଡଙ୍କୁ ଭୋଟ୍ ହାସଲ କରିବାରେ ସହଯୋଗ କରିବ। ସୁନୀତି ମୁଣ୍ଡ ମଧ୍ୟ କିଛି ଦିନ ସାମ୍ବାଦିକତା କରିଥିଲେ। ସାହିତ୍ୟରେ ମଧ୍ୟ ତାଙ୍କର ଦଖଲ ରହିଛି। କିନ୍ତୁ ଏ ସାହିତ୍ୟ ତାଙ୍କୁ ନିର୍ବାଚନ ଗଣିତ କଷିବାରେ ସହାୟକ ହେବ କି ନାହିଁ ତାହା କେବଳ ଫଳାଫଳ ହିଁ କହିପାରିବ ବୋଲି ରାଜନୀତି ପଣ୍ଡିତଙ୍କ ମତ।

କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ବି ଉଚ୍ଚଶିକ୍ଷିତ। କଂଗ୍ରେସ ଭଳି ଜାତୀୟ ଦଳରୁ ପ୍ରାର୍ଥୀ ହୋଇଛନ୍ତି ସେ। କିନ୍ତୁ ତାଙ୍କର ମଧ୍ୟ ପ୍ରତ୍ୟକ୍ଷ ରାଜନୀତିର କୌଣସି ଅଭିଜ୍ଞତା ନାହିଁ। କିନ୍ତୁ ସେ ବେଶ ଆଶାବାଦୀ ଅଛନ୍ତି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ। ଭୁବନେଶ୍ୱରରେ କଂଗ୍ରେସର କିଛି ଭୋଟ୍ ଥିଲେ ମଧ୍ୟ ଗତ ବିଧାନସଭା, କି ଲୋକସଭା କିମ୍ବା ପୌର ନିର୍ବାଚନରେ ଏହା ସଂଖ୍ୟାରେ ରୂପାନ୍ତରିତ ହୋଇପାରି ନ ଥିଲା। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ସେ ସହରୀ ଭୋଟରଙ୍କୁ କଂଗ୍ରେସକୁ ଆକର୍ଷିତ କରିବାରେ ସଫଳ ହେବେ ବୋଲି କହିଛନ୍ତି।

ଟିକଟ ବାଣ୍ଟିପାରିଲାନି କଂଗ୍ରେସ

୬୭ଟି ଓ୍ୱାର୍ଡ ମଧ୍ୟରୁ ମାତ୍ର ୪୩ଟିରେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଆହୁରି ଓ୍ୱାର୍ଡରେ କଂଗ୍ରେସ ଟିକଟ ପାଇଁ କେହି ଆଗ୍ରହ ଦେଖାଇନାହାନ୍ତି। ତେଣୁ ଏହା କଂଗ୍ରେସର ମେୟର ପ୍ରାର୍ଥୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି କୁହାଯାଉଛି। ଏପରିକି କେଉଁ ସ୍ଥାନୀୟ ନେତାଙ୍କ ସହଯୋଗରେ ସେଠାରେ ପ୍ରଚାର କରିବେ ସେ ନେଇ ସନ୍ଦେହରେ ରହିଛନ୍ତି।

ନାମାଙ୍କନକୁ ଆସିଲେନି ଅପରାଜିତା

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ନାମ ଘୋଷଣା କରିଥିଲେ। କିନ୍ତୁ ନାମାଙ୍କନ ଦିନ ସେ ସୁନୀତିଙ୍କ ସହ ଯାଇ ନ ଥିଲେ। ଯାହା କି ଭୋଟରଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜେପି କହିବା ଅନୁସାରେ ସେଦିନ ସାଂସଦ ପ୍ରଧାନମନ୍ତ୍ରୀଙ୍କ ଜନଔଷଧି କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବାର ଥିବାରୁ ସେ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ହୋଇପାରିଲେନି। କିନ୍ତୁ ଭୋଟରଙ୍କ ମନର ସନ୍ଦେହକୁ ଦୂର କରିବା ପାଇଁ ଦଳକୁ ଆଉ ଟିକେ ଅଧିକ ସଂଘର୍ଷ କରିବାକୁ ପଡ଼ିବ। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର କମିଶନର ଦାୟିତ୍ୱ ତୁଲାଇସାରିଛନ୍ତି ଅପରାଜିତା। ତେଣୁ ତାଙ୍କ ପାଇଁ ଭୋଟରଙ୍କ ପାଖରେ ପଶିବା କଷ୍ଟକର ହେବନାହିଁ। ଏହାଛଡ଼ା ସାଂସଦ ଥିବାରୁ ତାଙ୍କର ପ୍ରଭାବ ରହିବ ବୋଲି ମଧ୍ୟ କୁହାଯାଉଛି।

ଅନନ୍ତ-ଅଶୋକ-ସୁଶାନ୍ତ

ବିଜେଡି ପ୍ରାର୍ଥୀ ସୁଲୋଚନା ଦାସଙ୍କୁ ବିଜୟୀ କରି ଦଳର ସମ୍ମାନ ରକ୍ଷା କରିବାର ଦାୟିତ୍ଵ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଏକାମ୍ର ଭୁବନେଶ୍ୱର ବିଧାୟକ ଅଶୋକ ପଣ୍ଡା ଓ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ କାନ୍ଧରେ ରହିଛି। ନିଜେ ଅନନ୍ତ ବିଜେଡିରୁ ଭୁବନେଶ୍ୱରର ଦୁଇ ଥର ମେୟର ରହିଛନ୍ତି। ଏହା ସହିତ ଭୁବନେଶ୍ୱରର ପ୍ରଥମ ମେୟର ମିହିର ମହାନ୍ତି ମଧ୍ୟ ବିଜେଡିରେ ରହିଛନ୍ତି। ଅଶୋକ ପଣ୍ଡା ମନ୍ତ୍ରୀ ଥିବାରୁ କେହି କେହି ଏଥରର ଳଢ଼େଇ ଅଶୋକ ବନାମ ଅପରାଜିତା ହେବ ବୋଲି ଚର୍ଚ୍ଚା କରୁଛନ୍ତି।

ଭୁବନେଶ୍ଵର ମେୟର ବାଛିବେ ୭ ଲକ୍ଷ ଭୋଟର

ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ ଅଧୀନରେ ୭,୨୫,୭୬୫  ଭୋଟର ରହିଛନ୍ତି। ୩ ଲକ୍ଷ ୧୩ ହଜାର ଉପରେ ଯିଏ ଅଧିକ ଭୋଟ୍ ପାଇବ ସିଏ ହେବ ମେୟର। ସଂଖ୍ୟା ଓ ପରିସଂଖ୍ୟାନ କିନ୍ତୁ ବିଜେଡି ସପକ୍ଷରେ ରହିଛି।  ୭,୨୫,୭୬୫ ଭୋଟରଙ୍କ ମଧ୍ୟରୁ ୩,୯୪,୫୧୦ ପୁରୁଷ ଭୋଟର ଓ ୩,୩୦,୮୧୫ ମହିଳା ଭୋଟର ଅଛନ୍ତି ବିଏମସିରେ। ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ ଦିନ ରାତି ଏକ କରିଦେଇଛନ୍ତି।

Tag: #Election #OdishaElection #MunicipalElection #Mayor #BJD #BJP #Congress

Comment