ଓଡ଼ିଶାଲାଇଭ୍ ବ୍ୟୁରୋ

ଏପ୍ରିଲ ୨୯ତାରିଖଠାରୁ ରାଜ୍ୟର ବିଭିନ୍ନ ହାଇସ୍କୁଲରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଛି। ମାଟ୍ରିକ ସମେଟିଭ୍-୨, ମଧ୍ୟମା ଓ ଓପନ୍ ସ୍କୁଲ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ।

ଦଶମ ବୋର୍ଡ ପରୀକ୍ଷା ଦେଉଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ସହ ସମସ୍ତଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟର ମୋଟ ୩,୫୪୦ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫,୮୫,୭୩୦ ଜଣ ଛାତ୍ରଛାତ୍ରୀ। ସେଥିରୁ ୩,୨୦୩ ପରୀକ୍ଷା କେନ୍ଦ୍ରରେ ୫,୭୧,୯୦୯ ଜଣ ପରୀକ୍ଷାର୍ଥୀ ସମେଟିଭ୍-୨ ପରୀକ୍ଷା ଦେଉଥିବାବେଳେ ୯,୩୭୮ ଜଣ ଓପନ୍ ସ୍କୁଲରେ ଓ ୪୪୪୩ ଜଣ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଉଛନ୍ତି।

କେନ୍ଦ୍ରଗୁଡ଼ିକରେ ପରୀକ୍ଷା ସୁପରିଚାଳନା ପାଇଁ ରାଜ୍ୟରେ ମୋଟ ୩୧୫ଟି ନୋଡାଲ ସେଣ୍ଟର କରାଯାଇଛି। କପି ରୋକିବା ପାଇଁ ଏବଂ ପରୀକ୍ଷା ସୁପରିଚାଳନା ପାଇଁ ୬୫ଟି ଫ୍ଲାଇଙ୍ଗ ସ୍କ୍ଵାଡ୍ ଏବଂ ୩୮ଟି ସ୍ପେସାଲ ସ୍କ୍ଵାଡ୍ ଗଠନ କରାଯାଇଛି। ପରୀକ୍ଷା ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ରଖିବା ପାଇଁ ମୋଟ ୩୧୫ଟି ନୋଡାଲ ସେଣ୍ଟର କରାଯାଇଛି। ସେଥିରୁ ୨୧ଟି ପୋଲିସ ଷ୍ଟେସନରେ ନୋଡାଲ ସେଣ୍ଟର ରହିଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପ୍ରଚୁର ପରିମାଣର ପାଣି, ଓଆରଏସ ସହ ଫାଷ୍ଟଏଡ ବକ୍ସ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Tags: #Education #Examination #MatricExam #Odisha #CMOdisha

Comment