ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଏମିତି କିଛି ଅଭିନେତା, ଯେଉଁମାନେ ନାୟକ, ଖଳନାୟକ ଉଭୟ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି।

ଓଡ଼ିଆ ଫିଲ୍ମ ଜଗତର ଏମିତି କିଛି କଳାକାର, ଯେଉଁମାନେ କେତେବେଳେ ନାୟକ ତ କେତେବେଳେ ଖଳନାୟକ ହୋଇ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛନ୍ତି। ସବୁଠୁ ଖାସ୍‌ କଥା ହେଲା ଉଭୟ ଚରିତ୍ରରେ ସେମାନେ ସଫଳ ହୋଇଛନ୍ତି। ଅର୍ଥାତ ନାୟକ, ଖଳନାୟକ ଚରିତ୍ରରେ ଦର୍ଶକ ସେମାନଙ୍କୁ ଗ୍ରହଣ କରିଛନ୍ତି।

ବିଜୟ ମହାନ୍ତି

ଓଲିଉଡର ଜଣେ ଆଗଧାଡ଼ିର ଅଭିନେତା ଥିଲେ ବିଜୟ ମହାନ୍ତି। ତାଙ୍କର ନିଖୁଣ ଅଭିନୟ ତାଙ୍କୁ ବେଶ ଲୋକପ୍ରିୟ କରିଥିଲା। ସେ ତାଙ୍କର ଲମ୍ବା ଫିଲ୍ମ କ୍ୟାରିୟରରେ ଅନେକ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ର କରିଛନ୍ତି। ସବୁ ଚରିତ୍ରରେ ଦର୍ଶକ ତାଙ୍କୁ ପସନ୍ଦ କରିଛନ୍ତି। ୧୯୭୭ରୁ ଫିଲ୍ମରେ ଡେବ୍ୟୁ କରିଥିବା ବିଜୟ ମହାନ୍ତି ହିରୋଠାରୁ ଆରମ୍ଭ କରି ବଡ଼ ଭାଇ, ବାପା, ଜେଜେବାପାଙ୍କ ଚରିତ୍ର କରିଛନ୍ତି। ଏମିତିକି ସେ ଖଳନାୟକ ଭୂମିକା ମଧ୍ୟ କରିଛନ୍ତି। ଲୋକପ୍ରିୟ ଫିଲ୍ମ ‘ନାଗଫାସ’ରେ ସେ ଖଳନାୟକ ସାଜିଥିଲେ। ବସନ୍ତ ନାୟକଙ୍କ ପ୍ରଯୋଜନା ତଥା ବସନ୍ତ ନାୟକ ଓ ଅକ୍ଷୟ ମହାନ୍ତିଙ୍କ ମିଳିତ ନିର୍ଦ୍ଦେଶନାରେ ନିର୍ମିତ ହୋଇ ୧୯୭୭ ମସିହାରେ ଫିଲ୍ମଟି ମୁକ୍ତିଲାଭ କରିଥିଲା । ଏହା ‘ବ୍ରଜରାଜ ମୁଭିଜ୍‌’ର ପ୍ରଥମ ଓଡ଼ିଆ ଫିଲ୍ମ ଥିଲା।  ଫିଲ୍ମରେ ବିଜୟ ମହାନ୍ତିଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ। ଏହାଛଡ଼ା ସେ ‘ସହରୀ ବାଘ’, ‘ସମୟ ବଡ଼ ବଳବାନ’, ‘ଚକା ଭଉଁରୀ, ଚକା ଆଖି ସବୁ ଦେଖୁଛି’ ଆଦିରେ ସେ ଖଳନାୟକ ଭାବେ ଅଭିନୟ କରିଥିଲେ।

ଅଜିତ ଦାସ

ଓଲିଉଡରେ ଆଉ ଜଣେ ସଫଳ ଅଭିନେତା ଥିଲେ ଅଜିତ ଦାସ। ଓଡ଼ିଆ ନାଟ୍ୟକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟଗୁରୁ ଭାବେ ସେ ପରିଚିତ। ଅଜିତ ଦାସ ୧୯୭୬ ମସିହାରେ ନିର୍ମିତ ‘ସିନ୍ଦୂର ବିନ୍ଦୁ’ ଫିଲ୍ମରୁ ଓଲିଉଡ ଜଗତରେ କାମ କରିବା ଆରମ୍ଭ କରିଥିଲେ। ଏଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଧୀର ବିଶ୍ୱାଳ। ଏହାପରେ ସେ ନାୟକ ଓ ଅନ୍ୟ ଚରିତ୍ରରେ ଅଭିନୟ କରିଥିଲେ। ସବୁ ଚରିତ୍ରରେ ସେ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲେ।

ମିହିର ଦାସ

ସବୁ ପ୍ରକାରର ଚରିତ୍ରରେ ଫିଟ୍‌ ହୋଇ ଯାଆନ୍ତି ଅଭିନେତା ମିହିର ଦାସ। କେତେବେଳେ ସେ ନାୟକ ତ କେତେବେଳେ ଖଳନାୟକ ଆଉ କେତେବେଳେ ସେ କମେଡିଆନ୍‌ ରୋଲ୍‌ କରି ଦର୍ଶକଙ୍କ ମନ କିଣନ୍ତି। ନାୟକ ପରେ ଫିଲ୍ମ ଅଭିମନ୍ୟୁ, ଅଗସ୍ତ୍ୟ, ତୁ ମୋ’ ଦେହର ଛାଇ’ ଭଲି ଫିଲ୍ମ ମିହିର ଦାସ ଖଳନାୟକ ଭୂମିକାରେ ପରଦାକୁ ଓହ୍ଲାଇଥିଲେ। ଏହାଛଡ଼ା ତରଙ୍ଗର ଏକ ଓ୍ୱେବ ସିରିଜ ୭୨ ଆଓ୍ୱାର୍ସରେ ବି  ସେ ଭିଲେନ ସାଜିଥିଲେ। ଏହି ଚରିତ୍ରରେ ବି ଦର୍ଶକ ତାଙ୍କୁ ପସନ୍ଦ କରିଥିଲେ।

ଚନ୍ଦନ

ଅଭିନେତା ଚନ୍ଦନ କର ହିରୋ ଭାବେ ଓଡ଼ିଆ ଫିଲ୍ମ ଜଗତରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଦେ ମା’ ଶକ୍ତି ଦେ’। ଏଥିରେ ତାଙ୍କର ନାୟିକା ସାଜିଥିଲେ ଅର୍ଚ୍ଚିତା। ସେହିପରି ‘ବାବୁ ଆଇ ଲଭ୍‌ ୟୁ’ରେ ସେ ନାୟକ ଭୂମିକାରେ ଥିଲି। ଏହାପରେ ଚନ୍ଦନ ଖଳନାୟକ ଭୂମିକାକୁ ଓହ୍ଲାଇଥିଲେ। ‘ମତେ ଆଣିଦେଲ ଲକ୍ଷେ ଫଗୁଣ’, ‘ହିରୋ ଆଦି ଫିଲ୍ମରେ ତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା।

 ସମରେଶ ରାଉତରାୟ

ଓଡ଼ିଆ ଫିଲ୍ମ ଜଗତର ଆଉ ଜଣେ ଜଣାଶୁଣା କଳାକାର ହେଲେ ସମରେଶ ରାଉତରାୟ। ୨୦୦୭ ମସିହାରେ ଓଡ଼ିଆ ଫିଲ୍ମ ‘ମୋ ସୁନା ପୁଅ’ରୁ ଅଭିନୟ ଆରମ୍ଭ କରିଥିଲେ। ‘ଧଉଳି ଏକ୍ସପ୍ରେସ’ରେ ମଧ୍ୟ ତାଙ୍କୁ ନାୟକ ଭୂମିକାରେ ଦେଖିବାକୁ ମିଳିଥିଲା। ଏହାପରେ ସେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଖଳନାୟକ ଭାବେ ନଜର ଆସିଥିଲେ। ମୋଷ୍ଟ ଓ୍ୱାଣ୍ଟେଡ, ଲୋଫର’,  ‘ଥୁକୁଲ’, ‘କ୍ରିମିନାଲ’ ଆଦି ଫିଲ୍ମରେ ସେ ଖଳନାୟକ ଭୂମିକା କରିଛନ୍ତି।

ହର ପଟ୍ଟନାୟକ

ଖଳନାୟକ ଭାବେ ଓଡ଼ିଆ ସିନେମା ଜଗତରେ ବେଶ ନାଁ କରିଥିଲେ ହର ପଟ୍ଟନାୟକ। ଖଳନାୟକ ଭାବେ ସେ ଅନେକ ଫିଲ୍ମରେ କାମ କରିଥିଲେ। କିନ୍ତୁ ଖୁବ୍‌ କମ ଲୋକ ଜାଣିଥିବେ ଯେ ହର ପଟ୍ଟନାୟକ ମହୁଆ, ଅଣ୍ଟି ଛୁରୀ ତଣ୍ଟି କାଣ୍ଟେ ଫିଲ୍ମରେ ପଜିଟିଭ୍‌ ରୋଲ କରିଥିଲେ। ପ୍ରାୟ ୪୦ରୁ ଅଧିକ ଫିଲ୍ମରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ।

ସିଦ୍ଧାନ୍ତ ମହାପାତ୍ର

ଓଲିଉଡ୍‌ର ସୁପରଷ୍ଟାର ହେଉଚନ୍ତି ସିଦ୍ଧାନ୍ତ ମହାପାତ୍ର। ୧୯୯୩ ମସିହାରେ ଶ୍ରଦ୍ଧାଞ୍ଜଳି ସିନେମାରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସିଦ୍ଧାନ୍ତଙ୍କ ପ୍ରଥମ ମୁକ୍ତିଲାଭ କରିଥିବା କଥାଚିତ୍ର ହେଲା ପଥର ଖସୁଛି ବଡ଼ଦେଉଳୁ। ଯଦିଓ ଦର୍ଶକ ତାଙ୍କୁ ଅଧିକାଂଶ ଫିଲ୍ମରେ ନାୟକ ଚରିତ୍ରରେ ଦେଖିଛନ୍ତି ତଥାପି ସେ କିଛି ଫିଲ୍ମରେ ଖଳନାୟକ ଚରିତ୍ର କରି ଦର୍ଶକଙ୍କୁ ଚମକାଇ ଦେଇଛନ୍ତି। ସେ ଖଳନାୟକ ଭାବେ ଅଭିନୟ କରିଥିବା ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି, ‘ସତ ମିଛ’, ‘ନାରୀ ଆଖିରେ ନିଆଁ, ‘ଧଉଳି ଏକ୍ସପ୍ରେସ’, ‘ମୁଖ୍ୟମନ୍ତ୍ରୀ’, ‘ପ୍ରେମମ’।

Comment