ଓଡ଼ିଶାଲାଇଭ୍ ବ୍ୟୁରୋ

ରେସ୍ତୋରାଁରେ ଅତିଥି ସାଜିଲେ ବସ୍ତି ପିଲା। କେକ୍‌ଠାରୁ ବିରିୟାନି, ଫ୍ରେଞ୍ଚଫ୍ରାଏରୁ ଗୁଲାବ ଜାମୁ, ପିଲାମାନଙ୍କୁ ପରସାଗଲା ଭଳିକି ଭଳି ସୁଆଦିଆ ଖାଦ୍ୟ। ନିଜ ମନ ପସନ୍ଦର ଭୋଜନ ଖାଇ ପିଲାଙ୍କ ମୁହଁରେ ମଧ୍ୟ ହସ ଫୁଟିଲା। ତେବେ ପିଲାମାନଙ୍କ ପାଇଁ ଏସବୁ ଥିଲା ସମ୍ପୂର୍ଣ୍ଣ ମାଗଣା। ରାଜଧାନୀ ଭୁବନେଶ୍ଵରର ଗଜପତି ନଗରସ୍ଥିତ ବାର୍ବେକ୍ୟୁ ନେସନ୍ ରେସ୍ତୋରାଁଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।‘ଦାନ ଉତ୍ସବ’ ପାଳନ ଅବସରରେ ରେସ୍ତୋରାଁ ପକ୍ଷରୁ ମଙ୍ଗଳବାର ଦିନ ବସ୍ତି ପିଲାମାନଙ୍କ ଲାଗି ଏହି ଭୋଜନର ବ୍ୟବସ୍ଥା ହୋଇଥିଲା। ଏହି କାର୍ଯ୍ୟକ୍ରମ ଲାଗି ସହଯୋଗର ହାତ ବଢ଼ାଇଥିଲା କମିସନରେଟ୍ ପୋଲିସ। କମିସନରେଟ୍ ପୋଲିସର ବସ୍ତିକୁ ଚାଲ ଅଭିଯାନ ଅଧୀନରେ ଭୁବନେଶ୍ଵରର ମଞ୍ଚେଶ୍ଵର, ଖଣ୍ଡଗିରି, ସାଲିଆ ସାହି, ଭରତପୁର ଆଦିର ବିଭିନ୍ନ ବସ୍ତି ଅଞ୍ଚଳରୁ ପ୍ରାୟ ୧୨୦ ପିଲାମାନଙ୍କୁ ବସ୍ ଯୋଗେ ରେସ୍ତୋରାଁକୁ ଅଣାଯାଇଥିଲା। ପୋଲିସ୍ ମିତ୍ର ଏବଂ ବସ୍ତି ମିତ୍ରମାନଙ୍କ ତତ୍ତ୍ଵବଧାନରେ କୁନି କୁନି ପିଲାମାନେ ଶୃଙ୍ଖଳାର ସହ ରେସ୍ତୋରାଁରେ ବସି ନୂଆ ନୂଆ ଖାଦ୍ୟର ମଜା ନେଇଥିଲେ।“ବଡ଼ ବଡ଼ ରେସ୍ତୋରାଁକୁ ଆମେ କେବଳ ବାହାରୁ ହିଁ ଦେଖିଥିଲୁ। ତା’ଭିତରେ ବସି ଖାଇବାର ସୁଯୋଗ କେବେ ପାଇ ନଥିଲୁ। ହେଲେ ଦାନ ଉତ୍ସବ ଅବସରରେ ବାର୍ବେକ୍ୟୁ ନେଶନ ପକ୍ଷରୁ ଆମମାନଙ୍କୁ ରେସ୍ତୋରାଁରେ ବସାଇ ଏତେ ସୁଆଦିଆ ଖାଦ୍ୟ ଖାଇବାକୁ ଦିଆଯାଇଥିବାରୁ ଆମେ ବହୁତ ଖୁସି”, କହିଛନ୍ତି ମଞ୍ଚେଶ୍ଵର ଧିରୁକୁଟି ବସ୍ତିର ଜଣେ ବାଳକ ରାମକୃଷ୍ଣ ଲେଙ୍କା।

“ଦାନ ଉତ୍ସବରେ ଖାଦ୍ୟ ଦାନ କରି କାହା ମୁହଁରେ ଟିକେ ହସ ଫୁଟାଇବା ହେଉଛି ଏକ ମହତ ଦାନ। ଖୁସିର କଥା ବାର୍ବେକ୍ୟୁ ନେଶନ ରେସ୍ତୋରାଁ ଚେନ୍ ବିଶ୍ଵବ୍ୟାପୀ ଏହାର ପ୍ରତିଟି ଆଉଟଲେଟ୍‌ରେ ଖାଦ୍ୟ ଦାନ କରୁଛି। ଏହି କାର୍ଯ୍ୟକ୍ରମ ଅଧୀନରେ ମଙ୍ଗଳବାର ଭୁବନେଶ୍ଵରର ବିଭିନ୍ନ ବସ୍ତି ପିଲାଙ୍କୁ ରେସ୍ତୋରାଁ ଡାଇନିଂରେ ବସାଇ ବିଭିନ୍ନ ରୁଚିପୂର୍ଣ୍ଣ ଖାଇବା ପରସା ଯାଇଛି। କୁନି କୁନି ପିଲାମାନଙ୍କ ଓଠରେ ହସ ଫୁଟାଇ ଦାନ ଉତ୍ସବର ବିଶେଷତ୍ଵକୁ ଆହୁରି ସଫଳ କରିପାରିଛି ବାର୍ବେକ୍ୟୁ ନେସନ”, କହିଛନ୍ତି ଦାନ ଉତ୍ସବର ଭଲ୍ୟୁଣ୍ଟିୟର ତଥା ବକୁଲ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର।ଏହି କାର୍ଯ୍ୟକ୍ରମ ଅବସରରେ ବାର୍ବେକ୍ୟୁ ନେସନର ସିନିୟର ମାର୍କେଟିଂ ମ୍ୟାନେଜର ସୁହାସ ଓ୍ଵାଲୁକର କହିଛନ୍ତି, “ପ୍ରତିବର୍ଷ ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ଦାନ ଉତ୍ସବ ପାଳନ ହୋଇଥାଏ। ଏହି ଦାନ ଉତ୍ସବରେ ଆମେ କିଛି ନିଆରା କରିବାକୁ ଭାବିଥିଲୁ। ତେଣୁ ଆମର ପ୍ରତିଟି ଆଉଟଲେଟ୍‌ରେ ଆମେ କିଛି ଛୋଟ ଛୋଟ ପିଲା, ଗରିବ ଲୋକ ବା ଯେଉଁମାନେ ବଡ଼ ହୋଟେଲରେ ବସି ଖାଇବାକୁ କମ୍ ସୁଯୋଗ ପାଇଥାନ୍ତି ସେମାନଙ୍କୁ ମାଗଣାରେ ଗୋଟିଏ ସୁଆଦିଆ ଭୋଜନ ଦେବା ଆରମ୍ଭ କଲୁ। ଏବେ ଭୁବନେଶ୍ଵର ଗଜପତି ନଗରରେ ଥିବା ଆମ ରେସ୍ତୋରାଁରେ ଏହି କାର୍ଯ୍ୟକ୍ରମ କିଛି ବସ୍ତି ପିଲାଙ୍କୁ ନେଇ ସଫଳତାର କରିଛୁ। ବଡ଼କଥା ହେଉଛି ଆସନ୍ତା ନଭେମ୍ଵର ସୁଦ୍ଧା ଆମ ରେସ୍ତୋରାଁ ଚେନ୍‌ର ୨୦୦ଟି ଆଉଟଲେଟ୍‌ରେ ଆମେ ଏହି ଦାନ ଉତ୍ସବ ସଫଳତାର ସହ ଆୟୋଜନ କରିପାରିବୁ।

Tags: #DaanUtsav #BarbequeNation #Bhubaneswar #BastiConnect #Commissioneratepolice #BastiConnect

Comment