ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁପତ୍ର ତୋଳାଳିଙ୍କ ନିମନ୍ତେ ୪୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। କେନ୍ଦୁପତ୍ର ତୋଳାଳିଙ୍କୁ ୧,୦୦୦ ଟଙ୍କା ଏବଂ ବନ୍ଧାଳି ଓ ସିଜିନାଲ କର୍ମଚାରୀଙ୍କୁ ୧,୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।

ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି  ସହାୟତା ରାଶି ପ୍ରଦାନ କରିଛନ୍ତି। ଏହି ରାଶି ଡିବିଟି ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି। ସହାୟତା ରାଶି ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ଗରିବ ଲୋକଙ୍କ ସହ ସବୁବେଳେ ରହିଛନ୍ତି ଏବଂ ସେମାନଙ୍କ କଲ୍ୟାଣ ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି।

ଉପନିର୍ବାଚନ ଆଚରଣବିଧି ଉଠିବା ପରେ ବରଗଡ଼ି ଜିଲ୍ଲାର କେନ୍ଦୁପତ୍ର ତୋଳାଳି ଏବଂ ଅନ୍ୟ କର୍ମଚାରୀଙ୍କୁ ଏହି ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, କନ୍ଧମାଳ, ବୌଦ୍ଧ, କେନ୍ଦୁଝର,  ଦେବଗଡ଼ ଓ ବଲାଙ୍ଗୀର ଜିଲ୍ଲାର ୧୭ଟି ଡିଭିଜନର ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡକ୍ଟର ମୋନା ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି  ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ହିତାଧିକାରୀ ଶାନ୍ତନୁ କୁମାର ଭୋଇ, ଝାରସୁଗୁଡ଼ାର ପୁଷ୍ପଲତା ଭଇଁଶା ଓ ନୂଆପଡ଼ାର ଈଶ୍ଵର ଶବରଙ୍କ ସହ ସହାୟତା ବିଷୟରେ ଆଲୋଚନା କରିଥିଲେ। ଏହି ସହାୟତା ପାଇଁ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

Tags: #CMOdisha #NaveenPatnaik #SpecialPackage #KenduLeafWorker

Comment