ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କୁଲତା ସମାଜ ନିମନ୍ତେ ପୁରୀରେ ଏକ ଧର୍ମଶାଳା ହେବ। ଏଥିପାଇଁ ରାଜ୍ୟ ସରକାର ଜମି ଏବଂ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କୁଲତା ସମାଜ ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୋମବାର ଦିନ ଓଡ଼ିଶା କୁଲତା ସାମାଜର ଏକ ପ୍ରତିନିଧି ଦଳ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ।

କୁଲତା ସମାଜର କୂଳ ଦେବତା ପ୍ରଭୁ ନୃସିଂହନାଥଙ୍କ ପୀଠର ଉନ୍ନତି ନିମନ୍ତେ ୫-ଟି ଉପକ୍ରମରେ ମୁଖ୍ୟମନ୍ତ୍ରୀ ନେଇଥିବା  ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ସମଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଆଲୋଚନା ସମୟରେ ପୁରୀ ଧାମରେ ଏକ ଧର୍ମଶାଳା ନିର୍ମାଣ ନିମନ୍ତେ ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଏହି ପ୍ରତିନିଧି ଦଳ।

କୁଲତା ସମାଜ ବହୁଳ ଗ୍ରାମଗୁଡ଼ିକରେ ଜଗନ୍ନାଥ ମନ୍ଦିର ସ୍ଥାପନ, ପରିଚାଳନା ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଏହି ସମାଜ ଅଗ୍ରଣୀ ଭୂମିକା ରହିଆସିଛି। ପୁରୀ ନିକଟସ୍ଥ ରାମଚଣ୍ଡୀ ମନ୍ଦିର ମଧ୍ୟ କୁଲତା ସମାଜର ଏକ ପ୍ରସିଦ୍ଧ ଧର୍ମପୀଠ। ଏହି ସମାଜର ଲକ୍ଷ ଲକ୍ଷ ଭକ୍ତ ପ୍ରତିବର୍ଷ ପୁରୀଧାମକୁ ଯାଇଥାନ୍ତି। ତେଣୁ  ପୁରୀରେ କୁଲତା ସମାଜକୁ ଧର୍ମଶାଳା ନିମନ୍ତେ ଏକ ଏକର ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ପାଇଁ ସେମାନେ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ ଏହି ଅନୁରୋଧକୁ ଗ୍ରହଣ କରି ଧର୍ମାଶାଳା ନିମନ୍ତେ ଏକ ସପ୍ତାହ ମଧ୍ୟରେ ପୁରୀରେ ଉପଯୁକ୍ତ ଜମି ଚିହ୍ନଟ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହା ସହିତ ସରକାରଙ୍କ ତରଫରୁ ଧର୍ମଶାଳା ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏକ ବର୍ଷ ମଧ୍ୟରେ ଏହି ଧର୍ମଶାଳା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ପ୍ରତିନିଧି ଦଳରେ ବୌଦ୍ଧ, ସୋନପୁର, ସମ୍ବଲପୁର ଏବଂ ବ୍ରଜରାଜନଗର ଅଞ୍ଚଳର କୁଲତା ସମାଜର ସଦସ୍ୟମାନେ ସାମିଲ ଥିଲେ।

Tags: #CMOdisha #NaveenPatnaik #KultaSamaj #Dharmashala

Comment