ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀରେ ଆୟୋଜିତ ହୋଇଯାଇଛି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୨୩। ଭୁବନେଶ୍ୱର ଜନତା ମଇଦାନରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ହସ୍ତଶିଳ୍ପୀମାନେ ଆସି ଲଗାଇଛନ୍ତି ଅନେକ ହସ୍ତଶିଳ୍ପର ଆସର। ବିଭିନ୍ନ ପ୍ରକାରର ଶାଢ଼ୀଠାରୁ ଆରମ୍ଭ କରି ମାଟିରେ ତିଆରି ସାମଗ୍ରୀ ତଥା ଅନ୍ୟାନ୍ୟ ଜିନିଷ ଏଠାରେ ହୋଇଛି ପ୍ରଦର୍ଶିତ। ଚଳିତବର୍ଷ ମେଳାରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ଶଢ଼େଇରୁ ପ୍ରସ୍ତୁତ ବିଭିନ୍ନ ଜିନିଷ। ହସ୍ତଶିଳ୍ପୀ ଦେବୀପ୍ରସାଦ ଦାଶ ଅଦରକାରୀ ଶଢେଇରୁ ଗଢ଼ିଛନ୍ତି ଅନେକ ସୁନ୍ଦର ସୁନ୍ଦର ସାମଗ୍ରୀ।

ଶଢ଼େଇରୁ ଜିନିଷ ପ୍ରସ୍ତୁତ କରିବାର କଳା ଅନେକ ପୁରୁଣା। ଓଡ଼ିଶା ସମେତ ଭାରତର ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ଅନେକ ମାତ୍ରାରେ ଶଢ଼େଇ ମିଳିଥାଏ। ଏହି ଶଢ଼େଇକୁ ବ୍ୟବହାର କରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଏ। ତେବେ ଆମ ରାଜ୍ୟରେ ଏହି ହସ୍ତଶିଳ୍ପ ଲୋପ ପାଇ ଯାଉଥିବାବେଳ ଦେବୀପ୍ରସାଦ ଦାଶଙ୍କ ଭଳି ହସ୍ତଶିଳ୍ପୀ ଅନେକ ଉଦ୍ୟମକରି ଏହାକୁ ବଞ୍ଚାଇ ପାରିଛନ୍ତି।

ଶଢ଼େଇରୁ ବିଭିନ୍ନ ଘରକରଣା ଜିନିଷ, ଅଳଙ୍କାର, କପ ପ୍ଲେଟ, ସାଜସଜ୍ଜା ଜିନିଷ ଗଢ଼ି ତୋଷାଳି ମେଳାରେ ପ୍ରଦର୍ଶନ କରିଛନ୍ତି ଦେବୀପ୍ରସାଦ ଦାଶ। ମେଳା ବୁଲିବାକୁ ଆସୁଥିବା ଲୋକ ଏଗୁଡ଼ିକୁ ଅନେକ ପସନ୍ଦ ମଧ୍ୟ କରିଛନ୍ତି।

ଦେବୀପ୍ରସାଦ ଦାଶ ନିଜର ସଂସ୍ଥା ‘କ୍ରାଫ୍ଟବୁଲ୍ କ୍ରାଫ୍ଟ’ ମାଧ୍ୟମରେ ଶଢ଼େଇରୁ ଅନେକ କଳାକୃତି ତିଆରି କରନ୍ତି ଏବଂ ଅନେକଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଅନ୍ତି। ତାଙ୍କ ନିକଟରୁ ଅନେକ ଏସଏଚଜି ଗ୍ରୁପର ମହିଳା ଶଢ଼େଇରୁ ବିଭିନ୍ନ ଜିନିଷ ତିଆରି କରିବାର ତାଲିମ ନେଇଛନ୍ତି।

“ଶଢ଼େଇରୁ ବିଭିନ୍ନ ଜିନିଷ ତିଆରି କରିବାର କଳା ବହୁ ଆଗରୁ ରହିଅଛି। କେବକ ପଥର କିମ୍ବା କାଠରୁ ନୁହେଁ ଶଢ଼େଇରୁ ମଧ୍ୟ ଅନେକ ଜିନିଷ ତିଆରି କରାଯାଇପାରିବ, ଏହା ହିଁ ଦେଖେଇବାକୁ ମୁଁ  ଶଢ଼େଇରୁ ଜିନିଷ ତିଆରି କରିବା ଆରମ୍ଭ କରିଥିଲି। ଲୋକମାନେ ଯେଉଁ ଶଢ଼େଇ ଫୋପାଡ଼ି ଦେଉଛନ୍ତି, ମନ୍ଦିରରୁ ଏବଂ ଅନ୍ୟ ସ୍ଥାନରୁ ମୁଁ ଶଢ଼େଇ ସଂଗ୍ରହ କରୁଛି। ଅଦରକାରୀ ଶଢ଼େଇରୁ ଯେ ଏତେ ଭଲ ଜିନିଷ ତିଆରି ହୋଇପାରିବ ତାହା କରି ଦେଖାଇଛି”,କହିଛନ୍ତି ଦେବୀପ୍ରସାଦ ଦାଶ।

ନିଜର ଶଢ଼େଇ କଳାକୃତି ପାଇଁ ଦେବୀପ୍ରସାଦ ଅନେକ ସ୍ଥାନରେ ସମ୍ମାନିତ ହୋଇଛନ୍ତି। ଇଣ୍ଡିଆ ବୁକ ଅଫ୍ ରେକର୍ଡସ୍ ତଥା ଏସିଆ ବୁକ ଅଫ୍ ରେକର୍ଡସରେ ତାଙ୍କ ନାମ ରହିଛି।

ଦେବୀପ୍ରସାଦ ଦାଶ ଆହୁରି ମଧ୍ୟ କହିଛନ୍ତି,“ଶଢ଼େଇ ଅତି କଠିନ ବସ୍ତୁ ହୋଇଥିବାରୁ ଏଥିରେ କଳାକୃତି କରିବା ଅତି କଷ୍ଟକର। ଏଥିଲାଗି ଶଢ଼େଇରେ ହସ୍ତଶିଳ୍ପ କରିବାପାଇଁ ବେଶୀ ଲୋକ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେବେ ଶଢ଼େଇ ସାମଗ୍ରୀର ବଜାର ଭଲ ରହିଛି। ସରକାରଙ୍କ ସହଯୋଗ ମିଳିଲେ ଏହି ଶିଳ୍ପ ଆହୁରି ଉନ୍ନତି କରିବ।”

Tags: #ToshaliMela2023 #NationalFair #Handicrafts #CoconutShellCraft #Bhubaneswar #Odisha

Comment