ଓଡ଼ିଶାଲାଇଭ୍ ବ୍ୟୁରୋ

ସିକ୍କିମ ରାଜ୍ୟର ନାଥୁଲା ଘାଟିରେ ହିମସ୍ଖଳନ ଯୋଗୁଁ ୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ପ୍ରାକୃତିକ ବିପର୍ଯୟରେ ଏ ପର୍ଯ୍ୟନ୍ତ ୧୧ ଜଣ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି। ଭାରତୀୟ ସେନା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଅନ୍ୟପଟେ ହିମସ୍ଖଳନ ଯୋଗୁଁ ରାସ୍ତାରେ ଅନେକ ପର୍ଯ୍ୟଟକ ଫସି ରହିଥିବାର ଦେଖାଯାଇଛି।

ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକରୁ ନାଥୁଲାକୁ ସଂଯୋଗ କରୁଥିବା ଜବାହରଲାଲ ନେହେରୁ ସଡ଼କରେ ମଙ୍ଗଳବାର ଦିନ ୧୨ଟା ବେଳେ ଏକ ହିମସ୍ଖଳନ ହୋଇଥିଲା। ଏହି ଘଟଣା ଗ୍ୟାଙ୍ଗଟକରୁ ୧୫ କିଲୋମିଟର ଦୂରରେ ଘଟିଥିଲା। ଏହି ସମୟରେ ନାଥୁଲା ଯାଉଥିବା ପର୍ଯ୍ୟଟକଙ୍କ ଅନେକ ଗାଡ଼ି ବରଫ ତଳେ ରହିଯାଇଥିଲା। ପ୍ରାୟ ୫ମିଟରରୁ ଅଧିକ ଉଚ୍ଚ ବରଫ ପାହାଡ଼ରୁ ରାସ୍ତା ଉପରକୁ ଖସି ପଡ଼ିଥିଲା।

ଏହି ହିମସ୍ଖଳନରେ ମୃତ୍ୟୁବରଣ କରିଥିବା ୭ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ୪ ଜଣ ପୁରୁଷ, ୨ ଜଣ ମହିଳା ଓ ଜଣେ ଶିଶୁ ଅଛନ୍ତି। ଏହି ଘଟଣାରେ ଏବେବି ୭୦ରୁ ଅଧିକ ଲୋକ ନିଖୋଜ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଉଦ୍ଧାର କରାଯାଇଥିବା ଲୋକମାନଙ୍କୁ ନିକଟବର୍ତ୍ତୀ ହସ୍ପିଟାଲକୁ ନିଆଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା କରାଯାଉଛି।

ଏହି ଘଟଣା ହେବା ସମୟରେ ନାଥୁଲା ଅଞ୍ଚଳରେ ପ୍ରାୟ ୩୫୦ରୁ ଅଧିକ ପର୍ଯ୍ୟଟକ ଥିଲେ। ଏବେ ବରଫ ଯୋଗୁଁ ଯୋଗାଯୋଗ ବାଧାପ୍ରାପ୍ତ ହେବାଫଳରେ ସେମାନେ ନାଥୁଲାରେ ଫସି ରହିଛନ୍ତି।

ହିମାଳୟର ପୂର୍ବ ଭାଗରେ ଥିବା ସିକ୍କିମର ନାଥୁଲା ଅଞ୍ଚଳ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ। ଭାରତ-ଚୀନ ସୀମାରେ ଥିବା ଏହି ଅଞ୍ଚଳକୁ ପ୍ରତିବର୍ଷ ଅନେକ ପର୍ଯ୍ୟଟକ ଆସିଥାନ୍ତି।

Tags: #Sikkim #NathulaPass #Avalanche #Tourists

Comment