ଓଡ଼ିଶାଲାଇଭ୍ ବ୍ୟୁରୋ

ଡହ ଡହ ଖରାରେ ଜଳୁଛି ଓଡ଼ିଶା। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବିଜୁଳି କାଟ ପାଇଁ ନୟାନ୍ତ ହେଲେଣି ରାଜ୍ୟବାସୀ। ଆହୁରି ୫ ଦିନ ଯାଏଁ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୋମବାର ଦିନ ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଆଜି ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୪୬.୧ ଡିଗ୍ରୀ ରହିଛି। ଏହା ସହ ଭୁବନେଶ୍ଵରର ତାପମାତ୍ରର ୪୪.୩ ଡିଗ୍ରୀ ରେକର୍ଡ କରାଯାଇଛି।

ସୋମବାର ଦିନ ୨ଟା ୩୦ ପର୍ଯ୍ୟନ୍ତ ସମ୍ବଲପୁରର ତାପମାତ୍ରା ୪୫.୩ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ହୀରାକୁଦରେ ୪୪.୪ ଡିଗ୍ରୀ, ଭୁବନେଶ୍ଵରରେ ୪୩.୮ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୪ ଡିଗ୍ରୀ, କେନ୍ଦୁଝରରେ ୪୦ ଡିଗ୍ରୀ, ଚାନ୍ଦବାଲିରେ ୩୯ ଡିଗ୍ରୀ, ବାଲେଶ୍ଵରରେ ୩୭.୪ ଡିଗ୍ରୀ, ପୁରୀରେ ୩୬.୪ ଡିଗ୍ରୀ, ଗୋପାଳପୁରରେ ୩୪.୬ ଡିଗ୍ରୀ ଏବଂ ପାରାଦୀପରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଏହା ସହିତ ପାଣିପାଗ କେନ୍ଦ୍ର ପକ୍ଷରୁ ଆଦ୍ରତା ରେକର୍ଡ କରାଯାଇଥିଲା। ପାରାଦୀପର ଆଦ୍ରତା ୭୨ ପ୍ରତିଶତ ରେକର୍ଡ କରାଯାଇଥିବାବେଳେ ଗୋପାଳପୁରର ୬୭ ପ୍ରତିଶତ, ଚାନ୍ଦବାଲିର ୬୫ ପ୍ରତିଶତ, ପୁରୀର ୬୪ ପ୍ରତିଶତ, ବାଲେଶ୍ଵରର ୬୭ ପ୍ରତିଶତ, ଭୁବନେଶ୍ଵରର ୪୦ ପ୍ରତିଶତ, କେନ୍ଦୁଝରର ୩୨ ପ୍ରତିଶତ, ହୀରାକୁଦର ୨୫ ପ୍ରତିଶତ, ଝାରସୁଗୁଡ଼ାର ୨୫ ପ୍ରତିଶତ ଏବଂ ସମ୍ବଲପୁରର ଆଦ୍ରତା ୨୧ ପ୍ରତିଶତ ରେକର୍ଡ କରାଯାଇଛି।

ଅସହ୍ୟ ଖରାରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ଆହୁରି ୫ ଦିନ ତାପମାତ୍ରାରେ ବୃଦ୍ଧି ହେବା ନେଇ ପୂର୍ବାନୁମାନ କରାଯାଇଛି। ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରାର ସ୍ଵାଭାବିକ ତୁଳନାରେ ୪ରୁ ୬ ଡିଗ୍ରୀ ଅଧିକ ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।

ଆସନ୍ତା ୫ ଦିନ ପାଇଁ ଦିନର ତାପମାତ୍ରା ବୃଦ୍ଧି ହେବା ନେଇ ବିଭିନ୍ନ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୧୩ ତାରିଖ ତାପମାତ୍ରାରେ ବୃଦ୍ଧି ନେଇ ସୁନ୍ଦରଗଡ଼, ଝାରଗୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ ଓ ବଲାଙ୍ଗୀରକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହା ସହିତ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ଗଞ୍ଜାମକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଜୁନ ୧୪ ତାରିଖ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଢେଙ୍କାନାଳ, ଯାଜପୁର, ଅନୁଗୁଳ, କଟକ, ନୟାଗଡ଼, ଖୋର୍ଦ୍ଧା, କଳାହାଣ୍ଡି ଏବଂ ଗଞ୍ଜାମ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ଜୁନ ୧୫ ତାରିଖ ସୁନ୍ଦରଗୁଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ସମ୍ବଲପୁର, ଢେଙ୍କାନାଳ, ସୋନପୁର ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତା ୧୭ ତାରିଖ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ସମ୍ବଲପୁର, ଢେଙ୍କାନାଳ, ସୋନପୁର, ଅନୁଗୁଳ, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାକୁ ତାପମାତ୍ରାରେ ବୃଦ୍ଧି ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

Tags: #WeatherUpdate #Weather #SummerHeat #RiseSummerheat #Odisha

Comment