ବିଶ୍ଵଜିତ ସାହୁ

ଓଡ଼ିଆ ସିନେ ଦୁନିଆର ଲୋକପ୍ରିୟ ଅଭିନେତା ହର ରଥ। ଟେଲିଭିଜନ ହେଉ କି ସିନେ ପରଦା ତାଙ୍କ ନିଖୁଣ ଅଭିନୟ ସବୁବେଳେ ଦର୍ଶକଙ୍କୁ ବାନ୍ଧି ରଖିଛି। ତେବେ ହରଙ୍କୁ ଏ ଅଭିନୟର ଜ୍ୱର କେମିତି ଧରିଥିଲା, ଯେଉଁଥିରେ ଆଜି ଯାଏଁ ସେ ପୀଡ଼ିତ ଅଛନ୍ତି ସେନେଇ ଓଡ଼ିଶାଲାଇଭ୍‌ ସହ ବିଶେଷ ସାକ୍ଷାତକାରରେ ବିସ୍ତୃତ ଭାବେ କହିଛନ୍ତି ଅଭିନେତା ହର ରଥ।

ସ୍କୁଲ ନାଟକରୁ ଘାରିଥିଲା ଅଭିନୟ ନିଶା

ଖୋର୍ଦ୍ଧା ଜିଲ୍ଲାର ପରିଚ୍ଛଳ ଗାଁରେ ହରଙ୍କ ଜନ୍ମ। ହେଲେ ସେ ବଢ଼ିଛନ୍ତି ଗଞ୍ଜାମ ଜିଲ୍ଲାରେ। ଗଞ୍ଜାମର ଧରାକୋଟରେ କଟିଛି ହରଙ୍କ ପିଲାଦିନ। ସ୍କୁଲ ନାଟକରୁ ହରଙ୍କ ଅଭିନୟ ଜୀବନର ମୂଳଦୁଆ ପଡ଼ିଥିଲା। ସାଙ୍ଗମାନଙ୍କୁ ଏକଜୁଟ କରି ପ୍ରଥମେ ସ୍କୁଲ ଏବଂ ପରେ କଲେଜରେ ଡ୍ରାମା କରୁଥିଲେ ହର। ସେବେଠୁ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ଆସିଥିଲା। ଅଭିନୟ ପ୍ରତି ଏହି ନିଶା ତାଙ୍କୁ ପରବର୍ତ୍ତୀ ସମୟରେ ଭଲ କଳାକାରଟିଏ କରିପାରିଲା।ମତେ ଏଯାଏଁ ବ୍ରେକ୍ ମିଳିନି

ହର ରଥଙ୍କ ଅଭିନୟର ଅନ୍ଦାଜ ଟିକେ ନିଆରା, ଯେଉଁଥିଲାଗି ସେ ଦର୍ଶକଙ୍କ ହୃଦୟରେ ଘର କରିପାରିଛନ୍ତି। ହେଲେ ସାକ୍ଷାତକାର ବେଳେ ହର କହିଛନ୍ତି ଯେ, ତାଙ୍କୁ ଏଯାଏଁ ବି ବ୍ରେକ୍ ମିଳିନି। ଏହାର କାରଣ ହେଉଛି ହରଙ୍କ ଅଭିନୟ ଯାତ୍ରା ଥିଲା ବେଶ୍ ସଂଘର୍ଷମୟ। ସେ ସିଧାସଳଖ ଅଭିନୟ କ୍ଷେତ୍ରକୁ ଆସିପାରିନଥିଲେ। ପ୍ରଥମେ ସେ ମେକଅପ୍ ମ୍ୟାନ୍, ପ୍ରଡକସନ ମ୍ୟାନେଜର, କ୍ୟାମେରା ଅପେରେଟର, ଭିଡିଓ ଏଡିଟର ଆଦି ବିଭିନ୍ନ କାମ କରିଥିଲେ। ଏହାପରେ ୨୦୦୫ରେ ‘ଜୀବନ ମୃତ୍ୟୁ’ ଚଳଚ୍ଚିତ୍ରରେ ସେ ଜଣେ ସ‌ହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଏହାପରେ ୨୦୦୭ରେ ‘ମୁଁ ତତେ ଲଭ୍ କରୁଛି’ ଚଳଚ୍ଚିତ୍ରରେ ମଧ୍ୟ ସ‌ହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ।

ପରବର୍ତ୍ତୀ ସମୟରେ ‘ପ୍ରିୟା ମୋ’ ପ୍ରିୟା’ ଚଳଚ୍ଚିତ୍ରରେ ଗୋଟିଏ ଛୋଟ ଭୂମିକାରେ ଅଭିନୟ ପାଇଁ ହରଙ୍କୁ ସୁଯୋଗ ମିଳିଥିଲା। ଏହାପରେ ସେ ୨୦୦୮ ମସିହାରେ ‘ବନ୍ଦେ ଉତ୍କଳ ଜନନୀ’ରେ ଏକ ଭଲ ଭୂମିକାରେ ସୁଯୋଗ ପାଇଥିଲେ।

“ଅଭିନୟ ପାଇଁ ମୁଁ ଅଭିନୟ କ୍ଷେତ୍ରର ସବୁ ବିଭାଗରେ କାମ କରିଛି। କେତେବେଳଏ ମେକଅପ୍ ମ୍ୟାନ୍‌ ହେଇଛି ତ କେତେବେଳେ କ୍ୟାମେରା ଅପରେଟ କରିଛି। କାରଣ ମୁଁ ଅଭିନୟ ଦୁନିଆ ସହ ଯୋଡ଼ିହୋଇ ରହିବାକୁ ଚାହୁଁଥିଲି। ଫଳରେ କେବେ ନା କେବେ ତ ମତେ ସୁଯୋଗ ମିଳିବ। ଇଣ୍ଡଷ୍ଟ୍ରିରେ ମୋର କେହି ଗଡ୍‌ଫାଦର ବି ନାହାନ୍ତି। ଆଜିଯାଏଁ ଯେତିକି ସିନେମା କି ଧାରାବାହିକରେ ଅଭିନୟ କରିଛି ମୋ ପାଇଁ କେହି ରେକୋମେଣ୍ଡ କରିନାହାନ୍ତି। ତେଣୁ ଆଜିଯାଏଁ ମତେ ବ୍ରେକ୍ ମିଳିନି ବୋଲି ମୁଁ ଭାବେ”, କହିଛନ୍ତି ହର ରଥ।ସିଧା ବଲିଉଡ୍‌ରେ ପାଇଲି ସୁଯୋଗ

ହରଙ୍କ ଅଭିନୟ କ୍ୟାରିୟରରେ ଗୋଟିଏ ଟର୍ଣ୍ଣିଂ ପଏଣ୍ଟ ଥିଲା ବଲିଉଡ୍ ଫିଲ୍ମ ‘ଜ୍ଵିଗାଟୋ’। ୨୦୨୨ରେ ମୁକ୍ତିଲାଭ କରିଥିବା ଏହି ହିନ୍ଦୀ ସିନେମାରେ କମେଡି କିଙ୍ଗ କପିଲ ଶର୍ମାଙ୍କ ସାଙ୍ଗ ଭୂମିକାରେ ଅଭିନୟ କରିଛନ୍ତି ହର। ହେଲେ ଏତେବଡ଼ ସୁଯୋଗ ପାଇଁ ତାଙ୍କୁ ସେହିଭଳି ପରିଶ୍ରମ କରିବାକୁ ପଡ଼ିଥିଲା। ଏହି ସିନେମାରେ କାଷ୍ଟିଂ ପାଇଁ ହର ୫ ଥର ଅଡିସନ୍ ଦେଇଥିଲେ। ଅଡିସନ୍‌ର ସମସ୍ତ ପର୍ଯ୍ୟାୟରେ ସେ ନିର୍ଦ୍ଦେଶକଙ୍କ ମନ କିଣିପାରିଥିଲେ, ଯାହା ତାଙ୍କୁ ବଲିଉଡ୍‌ ସ୍କ୍ରିନ୍‌ରେ ପାଦ ଦେବାର ସୁଯୋଗ ଦେଇଥିଲା।

ସିନେମାଟି ଯେହେତୁ ହିନ୍ଦୀ ଭାଷାର ଥିଲା। ତେଣୁ ପ୍ରଥମେ ପ୍ରଥମେ ତାଙ୍କୁ ଡାଅଲଗ୍ କହିବାରେ ଅସୁବିଧା ହୋଇଥିଲା। ହେଲେ ନିର୍ଦ୍ଦେଶକ ଏବଂ ସାଥୀ କଳାକାରମାନେ ତାଙ୍କୁ ଏଥିରେ ଖୁବ୍ ସହଯୋଗ କରିଥିଲେ। ଏଥିସହ ସିନେମାଟି ସମ୍ପୂର୍ଣ୍ଣଭାବେ ଓଡ଼ିଶାରେ ସୁଟୁ ହୋଇଥିଲା। ତେଣୁ ନିଜ ମାଟିରେ ବଲିଉଡ୍ ଫିଲ୍ମରେ କାମ କରିବାର ଅନୁଭୂତି ବେଶ୍ ନିଆରା ଥିବା କହନ୍ତି ହର।

ଗ୍ୟାଙ୍ଗସ୍ ଅଫ୍ ପୁରୀରେ ହରଙ୍କ ଦମ୍‌ଦାର ଚରିତ୍ର

ଓଡ଼ିଆ ସିନେ ଜଗତରେ ନାୟକ, ଖଳନାୟକ, ପାର୍ଶ୍ଵ-ଅଭିନେତା, ହାସ୍ୟ ଅଭିନେତା ଭଳି ବିଭିନ୍ନ ଚରିତ୍ରରେ ହର ନିଜର ଅଭିନୟର ଯାଦୁ ଦେଖାଇଛନ୍ତି। ହେଲେ ତାଙ୍କ ଖଳନାୟକ ଚରିତ୍ରକୁ ଦର୍ଶକନମାନେ ଅଧିକ ପସନ୍ଦ କରନ୍ତି। ଅନେକ ସିନେମାରେ ସେ ଖଳ ଚରିତ୍ରରେ ଅଭିନୟ କରିଛନ୍ତି। ହେଲେ ଏ ଭିତରେ ତାଙ୍କ ଅଭିନୟ କ୍ୟାରିୟରକୁ ମାଇଲେଜ୍ ଦେଇଥିଲା ଓ୍ଵେବ୍ ସିରିଜ୍ ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ର ନିଲୁନା ଚରିତ୍ର। ପୁରୀର ଗ୍ୟାଙ୍ଗଓ୍ଵାର ଉପରେ ଆଧାରିତ ଏହି ସିରିଜ୍‌ରେ ହରଙ୍କ ନିଖୁଣ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ।‘ଅର୍ଦ୍ଧସତ୍ୟ’ର ନାୟକ

ହର ରଥଙ୍କ ଅଭିନୟ ଜୀବନର ଏକ ମାଇଲଷ୍ଟୋନ୍ ଥିଲା ସିନେମା ‘ଅର୍ଦ୍ଧସତ୍ୟ’। ଏହା ଏକ ଏକକ ଅଭିନୟଯୁକ୍ତ ସିନେମା ଥିଲା। ଅର୍ଥାତ୍ ଗୋଟିଏ ଚରିତ୍ରକୁ ନେଇ ସମ୍ପୂର୍ଣ୍ଣ ସିନେମାଟି ପ୍ରସ୍ତୁତ ହୋଇଥିଲା। ଏହାର ନାୟକ ଥିଲେ ହର। କୋଭିଡ୍ ସମୟରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ହରଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ।

ସେହିପରି ୨୦୧୮ରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ର ଯୋଗୀ। ଏହି ସିନେମାର ଶୀର୍ଷକ ଭୂମିକାରେ ଅଭିନୟ କରିଥିଲେ ହର। ଏହି ସିନେମାରେ ତାଙ୍କ ଅଭିନୟ ସହ ଲୁକ୍ ବି ଥିଲା ନିଆରା। ଯୋଗୀ ଭୂମିକାରେ ଅଭିନୟ କରିବା ପାଇଁ ତାଙ୍କୁ ତିନିମାସ ଧରି ଲଣ୍ଡା ହେବାକୁ ପଡ଼ିଥିଲା।ହର ରଥଙ୍କ ଅଭିନୀତ ଅନ୍ୟ କିଛି ସିନେମା ହେଉଛି, ସତ୍ୟମେବ ଜୟତେ, ମୋଷ୍ଟ ୱାଣ୍ଟେଡ, ମାଟିର ବନ୍ଧନ, ଏସିପି ରଣବୀର, ଆଖିରେ ଆଖିରେ, ଆମେତ ଟୋକା ଷଣ୍ଢ ମାର୍କା, ମୁଁ ତା’ର କିଏ, ୱାନ୍ ୱେ ଟ୍ରାଫିକ୍, କେହି ନୁହେଁ କାହାର, ହେଲୋ- ଇନ୍ ଲଭ୍, ମୀମାଂସା ଇତ୍ୟାଦି।

କେବଳ ସିନେମା ନୁହେଁ ଛୋଟ ପରଦାରେ ମଧ୍ୟ ହର ନିଜ ନିଖୁଣ ଅଭିନୟର ଛାପ ଛାଡ଼ିଛନ୍ତି। ଦୂରଦର୍ଶନରେ ପ୍ରସାରିତ ବିଭିନ୍ନ ଧାରାବାହିକରେ ସେ ଅଭିନୟ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଇଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଅପାରେ ହରଙ୍କ ଚରିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଏଥିରେ ଖଳନାୟକ ଭାବରେ ଅଭିନେତା ଜୟୀରାମ ସାମଲଙ୍କ ପୁଅ ଜିମି ଭୂମିକାରେ ସେ ଅଭିନୟ କରିଥିଲେ।

Tags: #HaraRath #Ollywood #OdiaCinema #ActorHaraRath #Zwigato #GansgofPuri #Entertainment

Comment