ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଶୁକ୍ରବାରଠାରୁ ‘ମୋ ଘର’ ଯୋଜନାରେ ଗୃହ ଋଣ ପାଇଁ ଆବେଦନ ଆରମ୍ଭ ହୋଇଛି। ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଯେଉଁ ହିତାଧିକାରୀମାନେ କୌଣସି ସରକାରୀ ଯୋଜନାରେ ଘର ପାଇନଥିବେ, ସେମାନେ ଏହି ଯୋଜନାରେ ଗୃହ ଋଣ ପାଇପାରିବେ। ଏନେଇ ସେମାନେ ରାଜ୍ୟ ସରକାରଙ୍କ ଦ୍ଵାରା ଜାରି ହୋଇଥିବା ୱେବସାଇଟରେ ଆବେଦନ କରିପାରିବେ।

‘ମୋ ଘର’ ଯୋଜନାରେ ହିତାଧିକାରୀମାନଙ୍କୁ ନୂଆ ଘର ନିର୍ମାଣ କିମ୍ବା ପୁରୁଣା ଘରକୁ ମରାମତି କରିବା ପାଇଁ ରିହାତିରେ ବ୍ୟାଙ୍କ ଋଣ ଦିଆଯିବ। ଏହି ଯୋଜନାରେ ସର୍ବାଧିକ ୩ ଲକ୍ଷ ଟଙ୍କା ଯାଏଁ ବ୍ୟାଙ୍କ ଋଣ ମିଳିପାରିବ। ଏହି ଗୃହ ଋଣ ଉପରେ ରାଜ୍ୟ ସରକାର ସବସିଡି ଦେବାକୁ ଘୋଷଣା କରିଛନ୍ତି। ହିତାଧିକାରୀମାନେ ନେଇଥିବା ଋଣକୁ ୧୦ ବର୍ଷ ମଧ୍ୟରେ ସୁଝି ପାରିବେ।

ଏହି ଯୋଜନା ଅନ୍ତର୍ଗତ ୧ ଲକ୍ଷ ଟଙ୍କା ଋଣ ନେଲେ ସବସିଡି ବାବଦକୁ ସାଧାରଣ ବର୍ଗର ହିତାଧିକାରୀଙ୍କୁ ୩୦ ହଜାର ଟଙ୍କା ଏବଂ ଅନୁସୂଚିତ ଜାତି, ଜନଜାତି ତଥା ଭିନ୍ନକ୍ଷମ ହିତାଧିକାରୀଙ୍କ ପରିବାରକୁ ୪୦ ହଜାର ଟଙ୍କା ମିଳିବ। ସେହିଭଳି ୧.୫ ଲକ୍ଷ ଟଙ୍କା ଋଣ ବାବଦକୁ ସାଧାରଣ ବର୍ଗ ପାଇଁ ୪୫ ହଜାର ଟଙ୍କା ଓ ଅନୁସୂଚିତ ଜାତି, ଜନଜାତି ବର୍ଗ ପାଇଁ ୫୫ ହଜାର ଟଙ୍କା ସବସିଡି ମିଳିବ।

ଅନ୍ୟପଟେ ୨ ଲକ୍ଷ ଟଙ୍କାରୁ ଅଧିକ ଋଣ ନେଲେ ସାଧାରଣ ବର୍ଗ ପାଇଁ ୬୦ ହଜାର ଟଙ୍କା ଓ ଅନୁସୂଚିତ ଜାତି, ଜନଜାତି ବର୍ଗ ପାଇଁ ୭୦ ହଜାର ଟଙ୍କା ସବସିଡି ଘୋଷଣା କରାଯାଇଛି। ଋଣ ପାଇଁ ହେଉଥିବା ପଞ୍ଜିକରଣ ଶୁଳ୍କ ଓ ଷ୍ଟାମ୍ପ ଡ୍ୟୁଟିକୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଛାଡ଼ କରାଯାଇଛି।

କେଉଁମାନେ କରିପାରିବେ ଆବେଦନ

  • ଏହି ଯୋଜନାର ହିତାଧିକାରୀ ଅନ୍ୟ କୌଣସି ସରକାରୀ ଯୋଜନାରେ ଘର ପାଇଁ ଆର୍ଥିକ ସହାୟତା ପାଇନଥିବା ଆବଶ୍ୟକ
  • ସେମାନଙ୍କ ପରିବାରର ମାସିକ ଆୟ ୨୫ ହଜାର ଟଙ୍କାରୁ କମ ହୋଇଥିବ
  • ପରିବାରର ସଦସ୍ୟଙ୍କ ପାଖରେ ବ୍ୟକ୍ତିଗତ ଚାରି ଚକିଆ ଯାନ ନଥିବ
  • ପରିବାରର କୌଣସି ସଦସ୍ୟ ସରକାରୀ ଚାକିରି କରିନଥିବା ଆବଶ୍ୟକ
  • ହିତାଧିକାରୀଙ୍କ ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ ଛାତ ଘରେ ବସବାସ କରୁଥିବେ
  • ସେମାନଙ୍କ ପାଖରେ ୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ୍ ଜମି ଥିବା ଆବଶ୍ୟକ

କେମିତି କରିବେ ଆବେଦନ

  • ରାଜ୍ୟ ସରକାରଙ୍କ ୱେବସାଇଟ rhodisha.gov.inକୁ ଯାଆନ୍ତୁ
  • ସେଠାରେ ‘ମୋ ଘର’ ଯୋଜନା ଲିଙ୍କକୁ କ୍ଲିକ୍ କରନ୍ତୁ
  • ଲିଙ୍କ ଭିତରକୁ ଯାଇ ନିଜର ନାମ ପଞ୍ଜିକରଣ କରନ୍ତୁ
  • ପଞ୍ଜିକରଣପରେ ସେଠାରେ ‘ଲଗ ଇନ’ କରନ୍ତୁ
  • ଏହାପରେ ନିଜ ଘର ଓ ଠିକଣା ବାବଦରେ ତଥ୍ୟ ଦିଅନ୍ତୁ
  • ନିଜର ବ୍ୟକ୍ତିଗତ ପ୍ରମାଣପତ୍ରଗୁଡ଼ିକ ଯଥା ଆୟ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଜମି ପଟ୍ଟା ଆଦି ଅପଲୋଡ କରନ୍ତୁ
  • ଶେଷରେ ଗୃହ ଋଣ ପାଇଁ ଘୋଷଣାନାମାକୁ ସ୍ଵୀକାର କରନ୍ତୁ

‘ମୋ ଘର’ ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ଓଡ଼ିଶା ପଞ୍ଚାୟତିରାଜ ବିଭାଗର ୱେବସାଇଟରେ ଉପଲବ୍ଧ। ଯୋଜନା ବାବଦରେ ଅଧିକ ତଥ୍ୟ ଲୋକମାନେ ଏହି ୱେବସାଇଟରୁ ପାଇପାରିବେ।

Tags: #MoGharaYojana #HousingScheme #HomeLoan #Odisha

 

Comment