ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଯାତନା ସହି ନପାରି ଜଣେ ମହିଳା ହୋମଗାର୍ଡ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ମାମଲାରେ ମଙ୍ଗଳବାର ଦିନ ଉତ୍ତରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ ବଦଳି କରାଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟକୁ ତାଙ୍କୁ ବଦଳି କରାଯାଇଛି।

ଡିଆଇଜିଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେବା ନେଇ ଅଭିଯୋଗ ଆସିବା ପରେ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ପତ୍ନୀ ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଏପରିକି ବାବୁଙ୍କ ପତ୍ନୀଙ୍କ ନିର୍ଯାତନା ସହି ନପାରି ଗତ ଅଗଷ୍ଟ ୪ ତାରିଖରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଏଥିରେ ସୈରିଦ୍ରୀ ଦୁଇଟି ଯାକ ଗୋଡ଼ ହରାଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଗତ ଅଗଷ୍ଟ ୧୩ ତାରିଖରେ ସୈରିକ ସାହୁ ଡିଜିଙ୍କୁ ଚିଠିଲେଖି ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ସେ ଚିଠିରେ ଉଲ୍ଲେଖ କରିଥିଲେ, ସେ୧୯ ବର୍ଷ ହେଲା ଗୃହରକ୍ଷୀ ଭାବେ କାମ କରିଆସୁଛନ୍ତି। ଗତ ୭ ମାସ ହେବ ଉତ୍ତରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା। ସେ ଡିଆଇଜିଙ୍କ ଘରର ସବୁ କାମ କରୁଥିଲେ। କିନ୍ତୁ କାମରେ ଟିକେ ଭୁଲ ହେଉଥିଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ଼ ମାରିବା ସହ ଚାକିରିରୁ ବାହାର କରିଦେବାକ ଧମକ ଦେଉଥିଲେ। ଚାକିରି ଚାଲିଯିବା ଭୟରେ ସେ ଏହାର ପ୍ରତିବାଦ କରିପାରୁ ନଥିଲେ।

ଅଗଷ୍ଟ  ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ଼ ମରିବା ସହ ଘରୁ ବାହାର କରିଦେଇଥିଲେ। ଏହା ସହ ଚାକିରି ଚାଲିଯିବାର ଭୟ ଦେଖାଇଥିଲେ। ଏଥିରେ ଅତିଷ୍ଟ ହୋଇ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ।

ରାଜ୍ୟ ମାନବାଧିକାର କର୍ମୀ ଜୟନ୍ତ ଦାସ ଏହି ମାମଲାକୁ ନେଇ ଜାତୀୟ ମାନବାଧିକାର କମିଶନରେ ଲିଖିତ ଅଭିଯୋଗ କରିଥିଲେ। କମିଶନ ଏହାକୁ ଗ୍ରହଣ କରିଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟ ମାନବାଧିକାର କମିଶନ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ଏହି ଘଟଣାର ତଦନ୍ତ କରି ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଓଡ଼ିଶା ପୋଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ମାନବାଧିକାର କମିଶନ।

Tags: #DIGBrijeshRay #WomenHomeguarHarrasmentCase #Odisha #SuicideAttempt

Comment