ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ଏଥିପାଇଁ ସେପ୍ଟେମ୍ବର ମାସରୁ ରାଜ୍ୟରେ ବର୍ଷାର ପରିମାଣ କମ ହେବ। ଅନ୍ୟପଟେ ସକ୍ରିୟ ମୌସୁମୀ ପ୍ରଭାବରେ ଶନିବାର ଓ ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ଓ ରବିବାର ଓଡ଼ିଶାର ୧୮ଟି ଜିଲ୍ଲାରେ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ  ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର ଓ ଅନୁଗୁଳ ସମେତ ଅନ୍ୟ କେତେକ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭବନା ରହିଛି।

ଓଡ଼ିଶାରେ ସେପ୍ଟେମ୍ବର ମାସରୁ ରାଜ୍ୟରେ ମୌସୁମୀ ବର୍ଷା କମିବାକୁ ଥିବାବେଳେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଦ୍ଵାରା ରାଜ୍ୟର ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷା ହେବ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୫.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଶୁକ୍ରବାର କୋରାପୁଟ ଜିଲ୍ଲାର କୋଟପାଡ଼ରେ ୬୨ ମିଲିମିଟର ସହ ରାଜ୍ୟର ସର୍ବାଧିକ ବର୍ଷା ରେକର୍ଡ ହୋଇଥିଲା।

 Tags: #Monsoon2023 #Rain #Lowpressure #MCBBSR #Odisha

Comment