ଓଡ଼ିଶାଲାଇଭ୍ ବ୍ୟୁରୋ

  • ନୂଆଦିଲ୍ଲୀ ଘୋଷଣାପତ୍ରକୁ ସବୁ ସଦସ୍ୟ ରାଷ୍ଟ୍ରଙ୍କ ସମର୍ଥନ
  • ବିଶ୍ଵରେ ସ୍ଥାୟୀ ଆର୍ଥିକ ବିକାଶ ଉପରେ ଗୁରୁତ୍ଵ
  • ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଆରମ୍ଭ କରିବା ନେଇ ଘୋଷଣା

ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଜି-୨୦ ସମ୍ମିଳନୀ ଜାରି ରହିଛି। ଅନେକ ରାଷ୍ଟ୍ରମୁଖ୍ୟ ଏଠାରେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗକୁ ନେଇ ଆଲୋଚନା କରୁଛନ୍ତି। ଶନିବାର ସମ୍ମିଳନୀର ପ୍ରଥମ ଦିନରେ ଜି-୨୦ର ନୂଆଦିଲ୍ଲୀ ଘୋଷଣାପତ୍ରକୁ ମଞ୍ଜୁରୀ ମିଳିଛି। ସବୁ ସଦସ୍ୟ ଦେଶ ଏହି ୩୭ ପୃଷ୍ଠାର ଘୋଷଣାପତ୍ରକୁ ସମ୍ମତି ପ୍ରଦାନ କରିଛନ୍ତି। ଏନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛନ୍ତି।

“ନୂଆଦିଲ୍ଲୀ ଜି-୨୦ ଘୋଷଣାପତ୍ରରେ ବିଶ୍ଵରେ ସ୍ଥାୟୀ ଆର୍ଥିକ ବିକାଶକୁ ଗୁରୁତ୍ୱ ଦିଆଯାଇଛି। ଏହାସହ ଏକ ଉତ୍ତମ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି, ଏକବିଂଶ ଶତାବ୍ଦୀ ପାଇଁ ବହୁପକ୍ଷୀୟ ଅନୁଷ୍ଠାନର ସହଯୋଗ ପାଇଁ ଏଥିରେ ଜୋର ଦିଆଯାଇଛି। ସେହିପରି ପୂର୍ବ ନିର୍ଦ୍ଧାରିତ ସଷ୍ଟେନେବୁଲ ଡେଭଲପମେଣ୍ଟ ଗୋଲକୁ ହାସଲ କରିବା, ସାଇବର ସୁରକ୍ଷା ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବିକାଶ ଉପରେ ଗୁରୁତ୍ଵାରୋପ କରାଯାଇଛି”, କହିଛନ୍ତି ଏସ ଜୟଶଙ୍କର।

ସେ ଆହୁରି ମଧ୍ୟ କହିଛନ୍ତି, “ଏଥର ଜି-୨୦ ଘୋଷଣାପତ୍ରରେ ବିଶ୍ଵ ପାଇଁ ୩ଟି ‘ଏଫ’: ଫୁଡ, ଫୁଏଲ ଓ ଫର୍ଟିଲାଇଜର ଉପରେ ସବୁ ସଦସ୍ୟ ରାଷ୍ଟ୍ରଙ୍କ ମିଳିତ ସହମତି ମିଳିଛି। ବିଶ୍ଵର ସବୁ ଦେଶ ପାଇଁ ଖାଦ୍ୟ, ତୈଳ ଓ କୃଷି ଭିତ୍ତିକ ସାର ଯୋଗାଣ ପାଇଁ ସମସ୍ତେ ମିଳିମିଶି କାମ କରିବେ।”

ଜି-୨୦ ସମ୍ମିଳନୀରେ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଆରମ୍ଭ କରିବା ନେଇ ଘୋଷଣା କରାଯାଇଛି। ପେଟ୍ରୋଲ ଓ ଡିଜେଲରେ ଇଥାନଲ ମିଶ୍ରଣକୁ ୨୦ ପ୍ରତିଶତ ଯାଏଁ ନେବାକୁ ଭାରତ ଏଠାରେ ପ୍ରସ୍ତାବ ଦେଇଛି। ଘୋଷଣାପତ୍ରକୁ ମଞ୍ଜୁରୀ ମିଳିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଥିଲେ ଏବଂ ସବୁ ରାଷ୍ଟ୍ରମୁଖ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ।

“ଜି-୨୦ ଶିଖର ସମ୍ମିଳନୀର ଘୋଷଣାପତ୍ରକୁ ନେଇ ସବୁ ସଦସ୍ୟ ଦେଶ ଏକମତ ହେବା ସମଗ୍ର ବିଶ୍ଵ ପାଇଁ ବଡ଼ କଥା। ଏହି ଘୋଷଣାପତ୍ରରେ ଥିବା ପ୍ରସଙ୍ଗଗୁଡ଼ିକ ବିଶ୍ଵ କଲ୍ୟାଣ ପାଇଁ ବହୁ ଉପଯୋଗୀ ସାବ୍ୟସ୍ତ ହେବ। ଘୋଷଣାପତ୍ରକୁ ପ୍ରସ୍ତୁତ କରିବା ପାଇଁ ଆମ ଟିମ କରିଥିବା କଠିନ ପରିଶ୍ରମ ସାକାର ହୋଇଛି”, କହିଛନ୍ତି ନରେନ୍ଦ୍ର ମୋଦୀ।

ନୂଆଦିଲ୍ଲୀ ଘୋଷଣାପତ୍ରରେ ୟୁକ୍ରେନରେ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ଵାନ ଦିଆଯାଇଛି। ଏହାବ୍ୟତୀତ ସଦସ୍ୟ ରାଷ୍ଟ୍ରମାନଙ୍କୁ ମଧ୍ୟ ଅନ୍ୟ ରାଷ୍ଟ୍ରର ସୀମାକୁ ବଳପୂର୍ବକ ଅକ୍ତିଆର କରିବା ଭଳି କାର୍ଯ୍ୟରୁ ଦୂରେଇ ରହିବାକୁ କୁହାଯାଇଛି। ତେବେ ୟୁକ୍ରେନ୍ ଆକ୍ରମଣ ପ୍ରସଙ୍ଗରେ ରୁଷ ବିରୋଧରେ କୌଣସି ସିଧାସଳଖ ମନ୍ତବ୍ୟ ଏଠାରେ ଦିଆଯାଇନାହିଁ।

Tags: #G-20Summit #NewDelhiDeclaration #PrimeMinisterModi #India

Comment