ଓଡ଼ିଶାଲାଇଭ୍ ବ୍ୟୁରୋ

ଜି-୨୦ ସମ୍ମିଳନୀର ଅନ୍ୟତମ ଆକର୍ଷଣ ପାଲଟିଛି କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରସିଦ୍ଧ ଚକ୍ର।

ଜି-୨୦ ସମ୍ମିଳନୀର ଶୋଭା ବଢ଼ାଉଛି ଓଡ଼ିଶାର କୋଣାର୍କ ଚକ୍ର। ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍‌’ରେ ଝଲସୁଛି ରାଜ୍ୟର ପ୍ରାଚୀନ ଐତିହ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରସିଦ୍ଧ ଚକ୍ରର ପ୍ରତିକୃତି ସମ୍ମୁଖରେ ବିଶ୍ଵନେତାଙ୍କୁ ସ୍ଵାଗତ କରିଥିଲେ। ଏହା ଜି-୨୦ ସମ୍ମିଳନୀର ଅନ୍ୟତମ ଆକର୍ଷଣ ସାଜିଛି।

ଶନିବାର ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଭାରତ ମଣ୍ଡପମ୍‌’ରେ ବିଶ୍ଵର ବିଶିଷ୍ଟ ନେତାମାନଙ୍କ ଆଗମନ ଆରମ୍ଭ ହୋଇଥିଲା। ଏଠାରେ ଆସୁଥିବା ଅତିଥିମାନଙ୍କୁ କୋଣାର୍କ ଚକ୍ର ପ୍ରତିକୃତି ସମ୍ମୁଖରେ ଠିଆ ହୋଇ ପ୍ରଧାନମନ୍ତ୍ରୀ ମୋଦୀ ସ୍ଵାଗତ କରିଥିଲେ। ସେମାନଙ୍କ ସହ କରମର୍ଦ୍ଦନ କରି ଫଟୋ ଉଠାଇଥିଲେ।

ଏହି ସ୍ଵାଗତ ଅବସରରେ ପ୍ରଧାନମନ୍ତ୍ରୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଅନ୍ୟ କିଛି ରାଷ୍ଟ୍ରମୁଖ୍ୟଙ୍କୁ କୋଣାର୍କ ଚକ୍ରର ବୈଶିଷ୍ଟ୍ୟ ସମ୍ପର୍କରେ ଅବଗତ କରିଥିଲେ। ଅତିଥିମାନେ ମଧ୍ୟ ଚକ୍ରର କଳାକୃତିକୁ ଦେଖି ବିସ୍ମିତ ହୋଇଥିଲେ।

ଜି-୨୦ ଭଳି ମେଗା ସମ୍ମିଳନୀରେ କୋଣାର୍କ ଚକ୍ରକୁ ସାମିଲ କରିଯିବାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁବ ପ୍ରଶଂସା କରିଛନ୍ତି। ଏହା ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ସେ ଟ୍ଵିଟ କରି କହିଛନ୍ତି।

“ଭାରତୀୟ ସଭ୍ୟତା, ସାଂସ୍କୃତି ଓ ଭାସ୍କର୍ଯ୍ୟର ଉତ୍କର୍ଷତାର ପ୍ରତୀକ ହେଉଛି କୋଣାର୍କ ଚକ୍ର। ଏହା ନିରବଚ୍ଛିନ୍ନତା ଓ ପ୍ରଗତିର ପ୍ରତିଫଳକ। ‘ଜି୨୦’ ସମ୍ମିଳନୀ ସ୍ଵାଗତ ସ୍ଥଳରେ ଚିର ବିସ୍ମୟ କୋଣାର୍କ ଚକ୍ର ରହିବା ସମଗ୍ର ଭାରତ ଏବଂ ଖାସ କରି ଓଡ଼ିଶାର ଜନସାଧାରଣଙ୍କ ପାଇଁ ଅତି ଗୌରବର ମୁହୂର୍ତ୍ତ”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଜି-୨୦ ସମ୍ମିଳନୀରେ ହୋଇଥିବା କ୍ରାଫ୍ଟସ୍ ବଜାରରେ ମଧ୍ୟ କୋଣାର୍କ ଚକ୍ରକୁ ଦେଖିବାକୁ ମିଳିଛି। ଏହାସହ ରାଜ୍ୟର ବିଭିନ୍ନ ପଟ୍ଟଚିତ୍ର କଳା, କାଠ ନିର୍ମିତ କଳାକୃତି ଏବଂ ଅନ୍ୟନ୍ୟ ହସ୍ତଶିଳ୍ପ ଏଠାରେ ଦେଖିବାକୁ ମିଳୁଛି।

Tags: #G-20Summit #KonarkWheel #SpecialAttraction #Heritage #Odisha

 

Comment