ଓଡ଼ିଶାଲାଇଭ୍ ବ୍ୟୁରୋ

  • ଲକ୍ଷ୍ମୀ ଯୋଜନାରେ ଓଡ଼ିଶାର ଗ୍ରାମାଞ୍ଚଳରୁ ରାଜଧାନୀକୁ ବସ୍ ସେବା
  • ଯୋଜନା ଅନ୍ତର୍ଗତ ସାରା ରାଜ୍ୟରେ ଗଡ଼ିବ ୧ ହଜାରରୁ ଅଧିକ ବସ୍
  • ତିନି ବର୍ଷରେ ଖର୍ଚ୍ଚ ହେବ ୩ ହଜାର ୧୭୮ କୋଟି ଟଙ୍କା

ଓଡ଼ିଶାରେ ଯାତ୍ରୀ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ‘ଲୋକେସନ ଆକ୍ସେସିବୁଲ୍ ମଲ୍ଟି ମୋଡାଲ ଇନିସିଏଟିଭ’ (ଲକ୍ଷ୍ମୀ) ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ ରାଜ୍ୟର ସବୁ ଗ୍ରାମପଞ୍ଚାୟତ, ବ୍ଲକ୍‌ ମୁଖ୍ୟାଳୟ ଏବଂ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ସହରରୁ ରାଜଧାନୀ ଭୁବନେଶ୍ଵରକୁ ବସ୍ ସେବା ଆରମ୍ଭ ହେବ। ଶୁକ୍ରବାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଯୋଜନାକୁ ମଞ୍ଜୁରୀ ମିଳିଛି।

ଲକ୍ଷ୍ମୀ ଯୋଜନାରେ ଆର୍ଥିକ ବର୍ଷ ୨୦୨୩-୨୪ରୁ ୨୦୨୫-୨୬ ଯାଏଁ ତିନି ବର୍ଷ ପାଇଁ ମୋଟ ୩ ହଜାର ୧୭୮ କୋଟି ଟଙ୍କା ଖର୍ଚ୍ଚ ହେବ। ପର୍ଯ୍ୟାୟକ୍ରମେ ଏହି ଯୋଜନାରେ ସାରା ରାଜ୍ୟରେ ୧ ହଜାରରୁ ଅଧିକ ବସ୍ ଚଳଚଳ କରିବ। ଏଗୁଡ଼ିକର ଅବଧି ୧୦ ବର୍ଷ ରହିବ ବୋଲି ଲକ୍ଷ୍ୟ ରଖାଯାଇଛି।

ଗ୍ରାମପଞ୍ଚାୟତ ସ୍ତରରୁ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ସୁଲଭ ତଥା ନିର୍ଭରଯୋଗ୍ୟ ସାର୍ବଜନୀନ ପରିବହନ ସେବା ଯୋଗାଇବା ଲକ୍ଷ୍ମୀ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଏହି ଯୋଜନାର ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯିବ।

ଏହି ଯୋଜନା ଅଧୀନରେ ‘ବ୍ଲକ ସଂଯୋଗୀକରଣ’ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମ ପଞ୍ଚାୟତଗୁଡ଼ିକରୁ  ବ୍ଲକ ମୁଖ୍ୟାଳୟକୁ ଏବଂ ‘ଜିଲ୍ଲା ସଂଯୋଗୀକରଣ’ କାର୍ଯ୍ୟକ୍ରରେ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟଳୟକୁ ବସ୍ ଚାଲିବ। ସେହିପରି ‘ଲକ୍ଷ୍ମୀ ଏକ୍ସପ୍ରେସ’ ନାମରେ ରାଜ୍ୟର ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ବସ୍ ସେବା ଆରମ୍ଭ ହେବାସହ ‘ଜଗନ୍ନାଥ ଏକ୍ସପ୍ରେସ’ ନାଁରେ ସବୁ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ଵର ଓ ପୁରୀକୁ ବସ୍ ଚାଲିବ।

ଅନ୍ୟପଟେ ଲକ୍ଷ୍ମୀ ଯୋଜନାରେ କୃଷିଜାତ ଦ୍ରବ୍ୟକୁ ନିକଟବର୍ତ୍ତୀ ବଜାରକୁ ପହଞ୍ଚାଇବାର ବ୍ୟବସ୍ଥା କରାଯିବ। ବିଭିନ୍ନ କୃଷିଜାତ ତଥା ଶୀଘ୍ର ନଷ୍ଟ ହୋଇଯାଉଥିବା ଜିନିଷକୁ ସହଜରେ ନେବା ଲାଗି ଏହି ଯୋଜନାରେ ଚାଷୀମାନଙ୍କ ସୁବିଧା ହେବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

Tags: #StateCabinetMeeting #PublicTransport #LACCMIScheme #BusServices #CTOOdisha

Comment