ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଏବେ ଅନେକ ରୋଗର କାରଣ ପାଲଟୁଛି। ଏଥିମଧ୍ୟରେ ‘ଷ୍ଟ୍ରୋକ’ ଏକ ବଡ଼ ସମସ୍ୟା ପାଲଟିଛି। ‘ଷ୍ଟ୍ରୋକ’ରୁ ନିଜକୁ ରକ୍ଷା କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ସହ ନିୟମିତ ଏକ୍ସରସାଇଜ ଏବଂ ଖାଦ୍ୟପେୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ବିଶେଷ କରି ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ନପାରିଲେ ଏହା ପରବର୍ତ୍ତୀ ସମୟରେ ‘ଷ୍ଟ୍ରୋକ’ର କାରଣ ପାଲଟି ଥାଏ। ଉଚ୍ଚ ରକ୍ତଚାପ ଯୋଗୁଁ ଉଭୟ ଇସଚିମିକ୍ ଏବଂ ହେମେରିକ ଷ୍ଟ୍ରୋକ୍ ହେବାର ସମ୍ଭବନା ରହିଛି। ତେଣୁ ନିୟମିତ ନିଜ ରକ୍ତଚାପ ପରୀକ୍ଷା କରିବା ସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସିତ ହେଲେ ‘ଷ୍ଟ୍ରୋକ’ ଭଳି ଏକ ମାରାତ୍ମକ ସମସ୍ୟାରୁ ମୁକ୍ତି ପାଇହେବ ବୋଲି କୁହନ୍ତି ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ମିତାଲି କର।

କେବଳ ଉଚ୍ଚ ରକ୍ତଚାପ ନୁହେଁ, ମଧୁମେହ, ମେଦବହୁଳତା, ପରିବର୍ତ୍ତିତ ଜୀବନଶୈଳୀ, ଜଙ୍କଫୁଡ, ଶାରୀରିକ ପରିଶ୍ରମର ଅଭାବ ମଧ୍ୟ ‘ଷ୍ଟ୍ରୋକ’ର ସମ୍ଭାବନାକୁ ବଢ଼ାଇଥାଏ ବୋଲି ଡାକ୍ତର କୁହନ୍ତି।

ତେବେ ବ୍ରେନ୍ ଷ୍ଟ୍ରୋକ୍‌କୁ କିପରି ରୋକି ହେବ? ସେ ସମ୍ପର୍କରେ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ମିତାଲି କରଙ୍କଠାରୁ ଜାଣିବା।

ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। ଏ ବିଷୟରେ ଅଧିକ ସଚେତନତା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ଵ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି।

ଚଳିତ ବର୍ଷ ‘ବିଶ୍ଵ ଷ୍ଟ୍ରୋକ ଦିବସ’ ଅବସରରେ ଓଡ଼ିଶାରେ ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯାହାର ନାଁ ରହିଛି ‘ଷ୍ଟ୍ରୋକ ମୁକ୍ତ ଜୀବନ’। ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଷ୍ଟ୍ରୋକ ସମ୍ପର୍କରେ ବିଶେଷ ସଚେତନତା ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖ ଯାଏଁ ଚାଲିବ। ୧୫ ଦିନ ବ୍ୟାପି ହେବାକୁ ଥିବା କାର୍ଯ୍ୟକ୍ରମରେ ଷ୍ଟ୍ରୋକ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯିବ। ଏଥିରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ଆଦି ବିଷୟ ଉପଲବ୍ଧ ରହିବ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵରସ୍ଥିତ ‘ଆଇସିଏମଆର-ଆରଏମଆରସି’, ‘ଇଣ୍ଡିଆନ୍ ପବ୍ଲିକ ହେଲ୍‌ଥ ଆସୋସିଏସନ୍’ ଏବଂ ‘ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ’ ନଲେଜ ପାର୍ଟନର ରହିଛନ୍ତି। ଏହାସହ ‘କେୟାର ହସ୍ପିଟାଲ’ କାର୍ଯ୍ୟକ୍ରମର ହେଲଥ କେୟାର ପାର୍ଟନର ରହିଛି।

Tags:  #prevention #stroke #brainstroke #worldstrokeday #odiahealthtips #Doctorsadvice #treatment

Comment