ଶ୍ୱେତ ସୁନ୍ଦର ସାମନ୍ତରା

ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ଅମରାବତୀ ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଯେଉଁ ଢାଞ୍ଚାରେ ଜମି ଅଧିଗ୍ରହଣ କରିବାରେ ସଫଳ ହେଲେ, ତାହା ପାଲଟିଛି ଦେଶର ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ।

ନୂଆ ପ୍ରକଳ୍ପ ପାଇଁ ବୁଝାମଣା କରିବା ସହଜ । କିନ୍ତୁ ପ୍ରକଳ୍ପ ସ୍ଥାପନ କରିବା ବେଶ କଷ୍ଟକର । ଏହା ଆମ ରାଜ୍ୟର ଅଙ୍ଗେନିଭା କଥା । ପ୍ରକଳ୍ପ ସ୍ଥାପନର ସବୁଠାରୁ ଜଟିଳ ଦିଗଟି ହେଲା ନିର୍ଦ୍ଧାରିତ ସ୍ଥାନରେ ଜମି ଅଧିଗ୍ରହଣ । ଜମି ଅଧିଗ୍ରହଣ ପାଇଁ ଆଇନଗତ ବ୍ୟବସ୍ଥା ରହିଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରିବା ଆଦୌ ସହଜ ନୁହେଁ । କାରଣ, ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା। ଥଇଥାନ ପାଇଁ ବିକଳ୍ପ ସ୍ଥାନ ନିରୂପଣ ଏବଂ କ୍ଷତିପୂରଣ ରାଶି ନିର୍ଦ୍ଧାରଣ ଏକ ଜଟିଳ ପ୍ରକ୍ରିୟା।

କେବଳ ଏତିକି ନୁହେଁ, ଯେଉଁ କାମ ପାଇଁ ସରକାରୀ କଳ ବା ପ୍ରଶାସନକୁ ନାକେଦମ ହେବାକୁ ପଡ଼େ ତା ହେଲା ଜମି ଛାଡ଼ିବା ପାଇଁ ଲୋକଙ୍କୁ ରାଜି କରାଇବା । ଭିଟାମାଟିର ମୋହ ଛାଡ଼ିବା ଏତେ ସହଜ ନୁହେଁ । ପୁରୁଷ ପୁରୁଷ ଧରି ବସବାସ କରିଆସୁଥିବା ଅଞ୍ଚଳ ଛାଡ଼ି ଚାଲିଯିବା ପାଇଁ ଅରାଜି ହେବା ସ୍ୱାଭାବିକ କଥା । ଏଭଳି ଭାବାବେଗ ଭିତ୍ତିରେ ଗଢ଼ି ଉଠେ ପ୍ରକଳ୍ପ ବିରୋଧୀ ଆନ୍ଦୋଳନ ।ପ୍ରକଳ୍ପ ପାଲଟିଯାଏ ପ୍ରସଙ୍ଗ । ଅର୍ଥନୀତିର ବ୍ୟାଖ୍ୟା କରେ ରାଜନୀତି।

ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ । ଆମ ରାଜ୍ୟ ପାଇଁ ଏହା କିଛି ନୂଆକଥା ନୁହେଁ । ଆଗରୁ ଏମିତି ଅନେକ ଥର ଜମି ଅଧିଗ୍ରହଣକୁ ବିରୋଧ କରାଯାଇଛି । ବାସଚ୍ୟୁତଙ୍କ ପାଇଁ ଉପଯୁକ୍ତ ଥଇଥାନ, କ୍ଷତିପୂରଣ ବ୍ୟବସ୍ଥା ଏବଂ ନିଯୁକ୍ତି ସୁଯୋଗ ଦାବି କରାଯାଇଛି । ଜଙ୍ଗଲ ଓ ପରିବେଶ ବଞ୍ଚାଇବା ପାଇଁ ଆନ୍ଦୋଳନ ବି ହୋଇଛି ।ବିରୋଧ ଯୋଗୁଁ ପ୍ରକଳ୍ପ କାମ ଅଧାରୁ ବନ୍ଦ ରହିବା କି ବୁଝାମଣାରୁ କୌଣସି ପକ୍ଷ ଓହରି ଯିବା ବି ନୂଆକଥା ନୁହେଁ । ମୋଟାମୋଟି ଭାବେ ଦେଖିବାକୁ ଗଲେ, ଏଭଳି ବିରୋଧାଭାସର ଆରମ୍ଭ ହୁଏ ଏକ ଜଟିଳ ଭୂମି ଅଧିଗ୍ରହଣ ପ୍ରକ୍ରିୟାରୁ । ଜମି ପ୍ରତିବଦଳରେ ମିଳୁଥିବା କ୍ଷତିପୂରଣ ଓ ସୁବିଧା ସୁଯୋଗକୁ ନେଇ ଜମି ମାଲିକ ଆଶ୍ୱସ୍ତ ହୋଇପାରନ୍ତିନି । କିନ୍ତୁ ଏହି ଭୂମି ଅଧିଗ୍ରହଣର ଏକ ବିକଳ୍ପ ବାଟ ଦେଖିବାକୁ ମିଳିଛି ଅମରାବତୀରେ।

ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ ଅମରାବତୀ ।  2014ରେ ସ୍ୱତନ୍ତ୍ର ତେଲଙ୍ଗାନା ରାଜ୍ୟ ଗଠନ ପରେ ଆନ୍ଧ୍ର ପ୍ରଦେଶ ପାଇଁ ନୂଆ ରାଜଧାନୀର ଆବଶ୍ୟକତା ଦେଖାଦେଲା । କାରଣ ହାଇଦ୍ରାବାଦ ରହିଗଲା ତେଲଙ୍ଗାନାରେ । ଅତି ବେଶିରେ ଦଶ ବର୍ଷ ପାଇଁ ହାଇଦ୍ରାବାଦ ଉଭୟ ରାଜ୍ୟର ରାଜଧାନୀ ହୋଇ ରହିବ ବୋଲି ସ୍ଥିର ହୋଇଥିଲା । ତେଣୁ, ଆନ୍ଧ୍ର ପ୍ରଦେଶ ସରକାର ବିଜୟୱାଡ଼ା ଓ ଗୁଣ୍ଟୁର ନିକଟ ଅମରାବତୀରେ ନୂଆ ରାଜଧାନୀ କରିବାକୁ ସ୍ଥିର କଲେ।

2015 ମସିହା ଅକ୍ଟୋବର 22ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମରାବତୀର ଭିତ୍ତିପ୍ରସ୍ତର ସ୍ଥାପନ କଲେ । ରାଜଧାନୀ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପାଇଁ ଆନ୍ଧ୍ର ସରକାର ଯେଉଁ ଯୋଜନା କଲେ ତାହା ଏକ ବିକଳ୍ପ ଅଧିଗ୍ରହଣର ବାଟ ଦେଖାଏ।

ଜମି ଅଧିଗ୍ରହଣ ନୁହେଁ, ଏହାକୁ କୁହାଯାଉଛି, ଅମରାବତୀ ଜମି ଏକତ୍ରୀକରଣ ଯୋଜନା । ଅମରାବତୀ ଲ୍ୟାଣ୍ଡ ପୁଲିଂ ସ୍କିମ୍‌ । ଏହି ଯୋଜନାରେ ଜମି ମାଲିକ ସ୍ୱେଚ୍ଛାରେ ସରକାରଙ୍କୁ ଜମି ଦେଇଛନ୍ତି । ପ୍ରତିବଦଳରେ ସେମାନଙ୍କୁ ବାର୍ଷିକ ଏକ ନିର୍ଦ୍ଧାରିତ ରାଶି ଦେବାକୁ ରାଜିନାମା ହୋଇଛି। ଜମିର କିସମ ଅନୁସାରେ ଏହି ରାଶି ଏକର ପିଛା ବାର୍ଷିକ ତିରିଶରୁ ପଚାଶ ହଜାର ଟଙ୍କା ସ୍ଥିର କରାଯାଇଛି । ପ୍ରତି ବର୍ଷ ଏହା ଦଶ ପ୍ରତିଶତ ହିସାବରେ ବୃଦ୍ଧି ହେବ ଏବଂ ଦଶ ବର୍ଷ ଯାଏ ଏହି ରାଶି ଜମି ମାଲିକଙ୍କୁ ଦିଆଯିବ । ଏହି ରାଶି ଉପରେ ଟିକସ ଲାଗୁ ହେବ ନାହିଁ । ଅମରାବତୀ ପାଇଁ ଜମି ଦେଇଥିବା ବ୍ୟକ୍ତିଙ୍କୁ ସଂପତ୍ତି ବିକ୍ରି ବାବଦ କର ଦେବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି।

ଆର୍ଥିକ କ୍ଷତିପୂରଣ ନୁହେଁ, ଏହି ଯୋଜନାରେ ବଡ଼କଥା ହେଉଛି ଜମି ବଦଳରେ ଜମି । ସଂଗୃହିତ ଜମିକୁ ଏକାଠି କରି ସରକାର ରାଜଧାନୀ ଗଠନରେ ଲଗାଇବେ । ଅର୍ଥାତ୍‌ ଜମିର ବିକାଶ ହେବ। ଏଥିରେ ରାସ୍ତାଘାଟ, ବିଦ୍ୟୁତ, ସ୍ୱେରେଜ୍‌ ବ୍ୟବସ୍ଥା ଭଳି ସୁବିଧା ରହିବ । ଅଧିଗୃହୀତ ଜମି ଅନୁପାତରେ ଏହି ବିକଶିତ ଜମିର କିଛି ଅଂଶ ସଂପୃକ୍ତ ଜମି ମାଲିକଙ୍କୁ ଫେରାଇ ଦିଆଯିବ।

ଏହି ଫେରି ପାଇବାକୁ ଥିବା ଜମିର ପରିମାଣ କେତେ ହେବ ତାହା ଜମି ମାଲିକ ଓ ସଂପୃକ୍ତ ସରକାରୀ ସଂସ୍ଥା ମଧ୍ୟରେ ହୋଇଥିବା ରାଜିନାମାରେ ଉଲ୍ଲେଖ ରହିବ । ଜମି ମାଲିକ ଫେରି ପାଇବାକୁ ଥିବା ଜମି ମୂଳ ଜମିର ପ୍ରାୟ 30 ପ୍ରତିଶତ ହେବ ବୋଲି କେତେକ ସଂସ୍ଥା ସ୍ଥିର କରିଛନ୍ତି।

ଅନ୍ୟ ଭାଷାରେ କହିବାକୁ ଗଲେ, ଜମି ବଦଳରେ ଟଙ୍କା ନୁହେଁ, ଜମି ହିଁ ଦିଆଯିବାର ବ୍ୟବସ୍ଥା ରହିଛି । ଉଦାହରଣ ସ୍ୱରୂପ, ଲ୍ୟାଣ୍ଡ ପୁଲିଂ ସ୍କିମ୍‌ରେଜଣେ ବ୍ୟକ୍ତି ଯଦି ଏକ ହଜାର ବର୍ଗମିଟର ଚାଷଜମି ପ୍ରଦାନ କରନ୍ତି, ତେବେ ତାଙ୍କୁ ପ୍ରାୟ ତିନି ଶହ ବର୍ଗମିଟର ବିକଶିତ ଜମି ଫେରାଇ ଦିଆଯିବ । ଆଉ ଏହି ଜମିରେ ସମସ୍ତ ଆଧୁନିକ ସୁବିଧା ସୁଯୋଗ ରହିଥିବ । ଏହି ଜମିରେ ତାଙ୍କୁ ଘର ଓ ଦୋକାନ ପାଇଁ ଘର ମଧ୍ୟ ଦିଆଯିବାର ବ୍ୟବସ୍ଥା ରହିଛି । କିନ୍ତୁ ଏହା ଜମି ମାଲିକ ଓ ରାଜଧାନୀ ଗଠନରେ ନିୟୋଜିତ ସଂସ୍ଥା ମଧ୍ୟରେ ହୋଇଥିବା ରାଜିନାମା ଉପରେ ନିର୍ଭର କରେ।

ଏହା ସହିତ ଜମି ପ୍ରଦାନକାରୀଙ୍କ ପରିବାର ସଦସ୍ୟଙ୍କୁ ଚାକିରି, ଋଣଛାଡ଼ ଭଳି ବ୍ୟବସ୍ଥା ମଧ୍ୟ ରହିଛି। ଏହି ଯୋଜନାରେ କ୍ରିଷ୍ଣା ନଦୀ ତଟରେ ଥିବା ପ୍ରାୟ 33 ହଜାର ଏକର ଜମି ଆନ୍ଧ୍ରପ୍ରଦେଶ ସରକାର ହାତକୁ ନେଇସାରିଲେଣି। ଏହା ଉପରେ ନୂଆ ରାଜଧାନୀର ନିର୍ମାଣ କାମ ଆଗେଇ ଚାଲିଛି।

ଏହି ଲ୍ୟାଣ୍ଡ ପୁଲିଂ ସ୍କିମ୍‌ରେ ଉଭୟ ସରକାର ଓ ଜମି ମାଲିକ ଫାଇଦାରେ ରହିବେ । ସାଧାରଣ ଭାବେ ଜମି ଅଧିଗ୍ରହଣ ପରେ ଦିଆଯାଉଥିବା କ୍ଷତିପୂରଣ ମିଳିବାକୁ ବର୍ଷ ବର୍ଷ ଲାଗୁଥିଲା । କ୍ଷଚିପୂରଣ ବାବଦରେ ମିଳିଥିବା ଟଙ୍କାର ସଠିକ୍‌ ବିନିଯୋଗ ନେଇ ସମସ୍ୟା ଉପୁଜୁଥିଲା । କିନ୍ତୁ ଏ କ୍ଷେତ୍ରରେ ଜମି ମାଲିକ ଦଶ ବର୍ଷ ଯାଏ ବର୍ଷକୁ ବର୍ଷ କିଛି କ୍ଷତିପୂରଣ ପାଇବେ । ଗ୍ରାମାଞ୍ଚଳର ଚାଷଜମି ବା ପଡ଼ିଆ ଜମି ବଦଳରେ ସହରାଞ୍ଚଳରେ କିଛି ଭଲ ଜମି ପାଇବେ । ଜମି ଅଧିଗ୍ରହଣର ଏହି ନୂତନ ପଦ୍ଧତିକୁ ଗୋଆ ଓ ମହାରାଷ୍ଟ୍ର ଭଳି କେତେକ ରାଜ୍ୟ ଆପଣେଇବାକୁ ସ୍ଥିର କରିଛନ୍ତି । ସହରାଞ୍ଚଳ ସଂପ୍ରସାରଣ ଏବଂ ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ଏହି ଯୋଜନା ବେଶ ଉପାଦେୟ ହେବ ବୋଲି ମନେ କରାଯାଉଛି।

ସମସ୍ତ ବିଶେଷତ୍ବ ସତ୍ତ୍ବେ ଏହି ଲ୍ୟାଣ୍ଡ ପୁଲିଂ ସ୍କିମ୍ ବି ବିବାଦ ଓ ବିରୋଧରୁମୁକ୍ତ ନୁହେଁ । କ୍ଷତିପୂରଣ ରାଶିକୁ ନେଇ କେତେକ କ୍ଷେତ୍ରରେ ଅସନ୍ତୋଷ ରହିଛି । କେତେକ ସ୍ଥାନରେ ଲୋକେ ଏହାକୁ ବିରୋଧ କରି ରାସ୍ତାରୋକ କରିଛନ୍ତି । ଆଇନତଃ ଏହି ଯୋଜନା ଠିକ୍‌ ନୁହେଁ ବୋଲି ମତ ପ୍ରକାଶ ପାଇଛି । ଜମି ଅଧିଗ୍ରହଣ ଆଇନ ଅନୁସାରେ କୌଣସି ବ୍ୟକ୍ତିଙ୍କ ପଟ୍ଟା ଜମି ବଦଳରେ ତାଙ୍କୁ କ୍ଷତିପୂରଣ ଦିଆଯିବା କଥା । ଏ କ୍ଷେତ୍ରରେ ତାହାର ଉଲ୍ଲଂଘନ ହେଉଛି ବୋଲି ଅଭିଯୋଗ ଉଠିଛି । ତଥାପି ସ୍ୱୀକାର କରିବାକୁ ହେବ ଯେ ଅମରାବତୀ ପାଇଁ ଆନ୍ଧ୍ର ସରକାରଙ୍କ ଏହି ଯୋଜନା ଭୂମି ଅଧିଗ୍ରହଣ ବ୍ୟବସ୍ଥାକୁ ଏକ ନୂଆ ଦିଗ ଦେଇଛି।

ହୁଏତ ଯେ କୌଣସି ପ୍ରକଳ୍ପ ସ୍ଥାପନ ପାଇଁ ଏହି ଯୋଜନାକୁ ସାମଗ୍ରିକ ଭାବେ ଲାଗୁ କରାଯାଇ ନ ପାରେ । କୌଣସି ଅଞ୍ଚଳର ଭୌଗୋଳିକ ସ୍ଥିତି ସହ ଆର୍ଥିକ ଓ ସାମାଜିକ ଦିଗକୁ ବିଚାରକୁ ନେଇ ଏଥିରେ ପରିବର୍ତ୍ତନ ଆବଶ୍ୟକ ହୋଇପାରେ । କିନ୍ତୁ ଅମରାବତୀର ଅନୂଭବ ଭିତ୍ତିରେ ଏତିକି କୁହାଯାଇପାରେ ଯେ ସ୍ମାର୍ଚ ସିଟି ଗଠନ କ୍ଷେତ୍ରରେ ଜମି ଅଧିଗ୍ରହଣର ଏହି ଭିନ୍ନ ବ୍ୟବସ୍ଥା ବେଶ ଫଳପ୍ରଦ ହେବାର ଆଶା ରହିଛି।

ଆମ ରାଜ୍ୟରେ ଏହାର ଉପାଦେୟତା କେତେ ତାହା ପରଖି ଦେଖିବାର ବେଳ ଆସିଛି । ସରକାର ଚାହିଁଲେ ହେଲା।

(ଶ୍ୱେତ ସୁନ୍ଦର ଜଣେ ବରିଷ୍ଠ ସାମ୍ଵାଦିକ ଓ ଏକ ଜାତୀୟ ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲ୍‌ର ପୂର୍ବତନ ବାର୍ତ୍ତା ସମ୍ପାଦକ)

1 COMMENT

Comment