ନୀଳାମ୍ବର ରଥ

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ରାଜ୍ୟରେ ଦକ୍ଷତା ବା ସ୍କିଲ୍‌କୁ ଏକ ସମ୍ମାନଜନକ ବିଷୟ ଭାବରେ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରିଆସୁଛନ୍ତି। ଭବାନୀ ଶଙ୍କର ଏକ ଉଦାହରଣ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏ ସପ୍ତାହରେ ଉପସ୍ଥାପନ କରିଛନ୍ତି ମହୁଚାଷୀ ଓ ପ୍ରଶିକ୍ଷକ ଭବାନୀ ଶଙ୍କର ପାତ୍ରଙ୍କ ସଫଳତାର କାହାଣୀ। ୩୦ ବର୍ଷ ବୟସ୍କ ଯୁବକ ଭବାନୀ କେବଳ ନିଜ ପାଇଁ ରୋଜଗାର ଯୋଗାଡ଼ କରିପାରିନାହାନ୍ତି ବରଂ ଶତାଧିକ ପରିବାରକୁ ତାଜା ମହୁ ସୃଷ୍ଟି କରିବାରେ ପ୍ରେରଣା ହୋ‍ଇଛନ୍ତି। ବାଡ଼ିବଗିଚାରେ ରଖାଯାଇଥିବା ମହୁବାକ୍ସରୁ ମହୁଫେଣା ସଂଗ୍ରହ କରିବା ଓ ତା’ ଦେହରୁ ମହୁ ଅମଳ କରିବାର କଳା ଓ କୌଶଳ ସେ ପ୍ରଦର୍ଶନ କରିଥିଲେ ବାଗ୍‌ଚୀଙ୍କ ସାମ୍ନାରେ। ବିଶେଷକରି ମହୁମାଛିଙ୍କୁ ମଣିଷର ଡର ଥିବାବେଳେ ସେମାନେ ଯେ ଆମର ବନ୍ଧୁ, ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଭବାନୀ ଶଙ୍କର।

ଭବାନୀ ଶଙ୍କରଙ୍କର ଏହି ଲାଇଭ୍‌ ଡେମୋ ଭିଡିଓ ଓଡ଼ିଶାଲାଇଭ୍‍ର ୟୁଟ୍ୟୁବ୍‍ ଚ୍ୟାନେଲ୍‌ରେ ସ୍ଥାନ ପାଇଛି। ସୁବ୍ରତ ବାଗ୍‌ଚୀଙ୍କ ସୌଜନ୍ୟରୁ ମିଳିଥିବା ଭିଡିଓକୁ ଯତ୍ନର ସହ ସମ୍ପାଦନା କରି ଓଡ଼ିଶାଲାଇଭ୍‍ ଟିମ୍‍ ଏହାକୁ ଉପସ୍ଥାପନ କରିଛନ୍ତି। ଏହି ଭିଡିଓରେ ଭବାନୀ ଶଙ୍କର ମହୁ ଚାଷର ବିଭିନ୍ନ ଦିଗ ସମ୍ପର୍କରେ ପରାମର୍ଶ ଦେବା ସହିତ ବିଶେଷକରି ମହୁମାଛିମାନଙ୍କ ସହିତ କିଭଳି ମିଠା ସମ୍ପର୍କ ସ୍ଥାପନ କରିହେବ, ସେ ବିଷୟରେ ସୁବ୍ରତ ବାଗ୍‌ଚୀଙ୍କୁ ବର୍ଣ୍ଣନା କରିଛନ୍ତି। ମହୁମାଛିଙ୍କୁ ଦେଖୁ ଦେଖୁ ଆମେ ଡରରେ ଲୁଚିବା ଆରମ୍ଭ କରୁଥିବା ବେଳେ ଭବାନୀ ଶଙ୍କର ମହୁଫେଣାରୁ ଶହ ଶହ ମହୁମାଛିଙ୍କୁ ହାତରେ ଆଣି ସୁବ୍ରତ ଓ ତାଙ୍କ ବନ୍ଧୁଙ୍କ ଆଞ୍ଜୁଳାରେ ଢାଳିଦେବାର ଦୃଶ୍ୟ ବେଶ୍‌ ଚମତ୍କାର।

ସୁବ୍ରତ ବାଗ୍‌ଚୀ ତାଙ୍କ ଲେଖା ମାଧ୍ୟମରେ ଭବାନୀଙ୍କ ଦକ୍ଷତା ଓ ଉଦ୍ୟୋଗୀ ମନୋଭାବର ପ୍ରଶଂସା କରିଛନ୍ତି। “ଭବାନୀ ମାଟ୍ରିକ୍‍ ଉତ୍ତୀର୍ଣ୍ଣ ହୋ‌ଇପାରିନାହାନ୍ତି କିନ୍ତୁ ନିଜ କ୍ଷେତ୍ରରେ ତାଙ୍କ ଦକ୍ଷତା, ତାଙ୍କର ଜୀବନଦର୍ଶନ ତାଙ୍କୁ ବହୁ ଉଚ୍ଚ ଡିଗ୍ରୀଧାରୀଙ୍କଠାରୁ ମଧ୍ୟ ଆଗରେ ରଖିଛି ବୋଲି ମୋର ବିଶ୍ୱାସ”, ଏକଥା ତାଙ୍କ ଲେଖାର ସାରମର୍ମ।

ଭବାନୀ ଶଙ୍କର ବର୍ଷକୁ ପ୍ରାୟ ୧୨୦ ପଲ ମହୁମାଛି ବିଭିନ୍ନ ଉତ୍ସାହୀ ବ୍ୟକ୍ତି ଓ ମହୁ ଚାଷୀଙ୍କୁ ଯୋଗାଇ ଆସୁଛନ୍ତି। ଏହାଫଳରେ ସେ କେବଳ ନିଜ ଜୀବନଜୀବିକାକୁ ଏକ ଦିଗ ଦେଇଛନ୍ତି ତା’ ନୁହେଁ, ଆହୁରି ଶତାଧିକ ମହୁଚାଷୀ ସୃଷ୍ଟି କରିଛନ୍ତି।

ଭବାନୀ ଶଙ୍କରଙ୍କ ଏହି ମହୁ-କଥା ଭିତରେ ରହିଛି ଏକ ବଡ ଶିକ୍ଷା। ମହୁମାଛିଙ୍କଠାରୁ ମଣିଷ ପାଇଁ ଶିକ୍ଷା। ସେ କଥାକୁ ସୁବ୍ରତ ବାଗ୍‌ଚୀ ତାଙ୍କ ଲେଖାରେ ଉପସ୍ଥାପନ କରି କହିଛନ୍ତି ଯେ, “ଭବାନୀ କହନ୍ତି ଯେ ମହୁଚାଷ କରିବା ଆଗରୁ ଆମକୁ ମହୁମାଛିଙ୍କଠାରୁ କିଛି ଶିକ୍ଷା ନେବାକୁ ହେବ। ମହୁମାଛିମାନେ ଆମକୁ ଧୈର୍ଯ୍ୟ, ସହନଶୀଳତା ଶିଖାନ୍ତି। ସେମାନେ ଭୋରରୁ କାମକୁ ଚାଲିଯାନ୍ତି ଏବଂ ପରସ୍ପରକୁ ସାହାଯ୍ୟ କରନ୍ତି। ଫୁଲରୁ ମହୁ ଆଣିବା ବେଳେ ପରାଗ ବିଞ୍ଚି କୋଟି କୋଟି ପ୍ରାଣୀଙ୍କ ଆହାର ତିଆରି କରାନ୍ତି।”

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ରାଜ୍ୟରେ ଦକ୍ଷତା ବା ସ୍କିଲ୍‌କୁ ଏକ ସମ୍ମାନଜନକ ବିଷୟ ଭାବରେ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରିଆସୁଛନ୍ତି। ଦୈନିକ ‘ସମ୍ବାଦ’ର ସମ୍ପାଦକୀୟ ପୃଷ୍ଠାରେ ପ୍ରତି ଶୁକ୍ରବାର ଦିନ ‘ବିଶ୍ୱବିଜୟୀ’ ସ୍ତମ୍ଭରେ ସାଧାରଣ ଯୁବକଯୁବତୀଙ୍କ ଅସାଧାରଣ ଓ ପ୍ରେରଣାଦାୟୀ କାହାଣୀ ଉପସ୍ଥାପନ କରୁଛନ୍ତି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ ୱେବ୍‍ ଚ୍ୟାନେଲ୍‍ର ପ୍ରତିଷ୍ଠାତା ସମ୍ପାଦକ)