ଡକ୍ଟର ହରପ୍ରସନ୍ନ ଦାସ

     (ତୃତୀୟ ଭାଗ)

ଚାଲନ୍ତୁ ଆମେ ନିଜକୁ ପାଞ୍ଚୋଟି ପ୍ରଶ୍ନ ପଚାରିବା, ଯାହା ଆମ ବ୍ୟକ୍ତିତ୍ୱର ସଠିକ୍ ପରିଚୟ ଦେଇପାରିବ ନିଜକୁ ନିଜେ ପ୍ରଶ୍ନ ପଚାରିବା ଓ ବିବେକସମ୍ମତ ଉତ୍ତର ଖୋଜିବା। ଏହା ଏକ ମନସ୍ତାତ୍ତ୍ୱିକ ପ୍ରଣାଳୀ ହେଲେ ବି ଅତି ଆନନ୍ଦଦାୟକ।

ମୁଁ କିଏ?

ନିଜକୁ ନିଜେ ପଚାରିବା- ‘ମୁଁ କିଏ’। ନିହାତି ସହଜ ଉତ୍ତରଟି ମନ ଭିତରୁ ଆସିବ- ମୁଁ ମଣିଷ। ମୁଁ କ’ଣ ସତରେ ଏକ ମଣିଷ। ଦୁଇ ହାତ, ଦୁଇ ଗୋଡ଼, ଗୋଟିଏ ମୁଣ୍ଡ ଓ ଦେହ ନେଇ ଜନ୍ମହେଲେ ଯେ ଆମେ ମଣିଷ ତାହା ନୁହେଁ। ଆମର ଉଚ୍ଚାରଣ ଓ ଆଚରଣ ହିଁ ପ୍ରମାଣ କରିବ ଯେ ଆମେ ମଣିଷ ଅବା ପଶୁଠାରୁ ବି ହୀନ। ମୁଁ କେଉଁ ପରିବାରରେ ଜନ୍ମ ହେଇଛି ଅବା କାହାର ପୁଅ କି ଝିଅ, ତାହା ମୋର ପରିଚୟ ବି ନୁହେଁ। ବାପା ମା’ଙ୍କ ଦ୍ୱାରା ପ୍ରଦତ୍ତ ମୋର ନାଁ’ଟି ବି ମୋର ପରିଚୟ ନୁହେଁ। ଆମର ପ୍ରକୃତ ପରିଚୟ ହେଉଛି ଆମର କର୍ମ ଅର୍ଥାତ୍ ଆମର ଆଚରଣ। ଜାତି, ଧର୍ମ ନିର୍ବିଶେଷରେ ଆମର କର୍ମ ହିଁ ଆମର ପରିଚୟ।  ଏଣୁ ‘ମୁଁ କିଏ’ ପ୍ରଶ୍ନର ସଠିକ୍ ଉତ୍ତର କେବଳ ଆମେ ନିଜେ ହିଁ ଜାଣିଛୁ।

ମୋର ଭୂମିକା?

ଆମେ ସଂସାରରେ ଜନ୍ମ ହେଲା ମାତ୍ରକେ ଆମର ସମ୍ପର୍କ ଗଢ଼ି ଉଠେ ବିଭିନ୍ନ ଭୂମିକାରେ। ବୟସାନୁକ୍ରମେ ପୁଅଟିଏ କାହାର ଭାଇ, ଭଣଜା, ମାମୁ, ପୁତୁରା, ଦାଦା, ନାତି, ବାପା, ଶ୍ୱଶୁର, ଅଜା ଇତ୍ୟାଦି ହୋଇଥାଏ। ସେହିପରି ଝିଅଟିଏ ମଧ୍ୟ ବିଭିନ୍ନ ଭୂମିକାରେ ଅଭିନୟ କରିଥାଏ। ସେଥିପାଇଁ କୁହାଯାଏ ଜୀବନଟା ଏକ ନାଟକ। ଆଉ ବିଭିନ୍ନ ଭୂମିକାରେ ଆମର ଆଚରଣ ନିଶ୍ଚିତ ରୂପେ ଅଲଗା। ଏଣୁ ଆମେ ଆମର ନିଜର ଭୂମିକାକୁ ଠିକ୍ ରୂପେ ଚିହ୍ନିବା ଦରକାର।

ମୋର ଲକ୍ଷ୍ୟ?

ପ୍ରତ୍ୟେକ ମଣିଷର ଜୀବନରେ କିଛି ନା କିଛି ଲକ୍ଷ୍ୟ ଥାଏ ପାଠ ପଢ଼ିଲା ବେଳେ କ’ଣ ପଢ଼ିବି ଆଉ ପଢ଼ିସାରି ଚାକିରି ବା ବ୍ୟବସାୟ କରିବି ଦୁଇଟି ଭିନ୍ନ ଲକ୍ଷ୍ୟ ଏହିପରି ଅନେକ ଲକ୍ଷ୍ୟକୁ ନେଇ ଆମର ଜୀବନ ବିଭିନ୍ନ ସମୟରେ ଆମର ବିଭିନ୍ନ ପ୍ରକାର ଲକ୍ଷ୍ୟ ରହିଛି। ଯାହା ଆମ ଜୀବନର ଗତିପଥ ସ୍ଥିର କରିଥାଏ। ଏଣୁ ପ୍ରତ୍ୟେକ ସମୟରେ ଆମେ ଆମ ଲକ୍ଷ୍ୟକୁ ଠିକ୍ ରୂପେ ଜାଣିବା ଦରକାର।

ମୋର କର୍ମ?

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା- ମୁଁ କ’ଣ କରୁଛି, ଅର୍ଥାତ୍ ମୋର କର୍ମ। କର୍ମ ଅନୁଯାୟୀ ଫଳ। ମନୋବୃତ୍ତି ଅନୁଯାୟୀ କର୍ମ। ଲକ୍ଷ୍ୟ ଗୋଟିଏ ପଟେ ଆଉ କର୍ମ ଯଦି ଆଉ ଗୋଟିଏ ପଟେ ତେବେ ଆମେ ବିକାଶ ପରିବର୍ତ୍ତେ  ବିନାଶର ରାସ୍ତାରେ ଆଗେଇ ଯିବା। ଏଣୁ ସବୁ ସମୟରେ ଆମକୁ ସଚେତନ ରହିବାକୁ ପଡ଼ିବ ଯେ ମୁଁ କେଉଁ କାମ କରୁଛି ସଠିକ୍ ପଥରେ ଯାଉଛି ତ? ଏହି ରାସ୍ତା କେତେ ନିରାପଦ, ମୋର କର୍ମ କାହାର କ୍ଷତି କରୁନି ତ ଇତ୍ୟାଦି। ଏହିପରି ଅନେକ ପ୍ରଶ୍ନ ଆମ ଭାବନାକୁ ଶୁଦ୍ଧ କରିବା ସହିତ ସୁକର୍ମ କରିବା ପାଇଁ ରାସ୍ତା ଦେଖାଇବ।

ଅନ୍ୟମାନେ ମୋ’ଠାରୁ କ’ଣ ଚାହାନ୍ତି?

ସାଧାରଣତଃ ଆମେ ଅନ୍ୟମାନଙ୍କ ପାଖରୁ ବହୁତ କିଛି ପାଇବାକୁ ଆଶା କରିଥାଉ। ତାହା ନପାଇଲେ ମନଦୁଃଖ ହୁଏ, ଏପରିକି ଅନେକ ସମୟରେ ସମ୍ପର୍କ କଟିଯାଏ। ତାହାହିଁ ସୃଷ୍ଟି କରିଥାଏ ହତାଶା, ମନସ୍ତାପ ଏବଂ ମାନସିକ ଅଶାନ୍ତି। ଆସନ୍ତୁ ଟିକେ ବିପରୀତ ଦିଗରୁ ଭାବିବା ଯେ ମୋର ପରିବାର, ସାଙ୍ଗସାଥି, ବନ୍ଧୁ ବାନ୍ଧବ ଇତ୍ୟାଦି ମୋଠାରୁ କ’ଣ ଆଶା କରୁଛନ୍ତି। ବଦଳରେ ମୁଁ ସେମାନଙ୍କୁ କ’ଣ ଦେଇପାରୁଛି ଯଦି ସେମାନଙ୍କର ଆଶାନୁଯାୟୀ ମୁଁ ଦେଇପାରୁନି, ଅନ୍ୟମାନଙ୍କଠାରୁ ମୋର ଆଶାନୁରୂପକ ପାଇପାରୁନି ବୋଲି ମନଦୁଃଖ କରିବା ଅନୁଚିତ୍। ଜୀବନଟା ସରସ, ସୁନ୍ଦର ଓ ସଫଳ ହୋଇପାରିବ ଯଦି ଆମେ ଅନ୍ୟମାନଙ୍କର ଆଶା ଉପରେ ଧ୍ୟାନ ଦେବା।

ଏହି ଉପର ଲିଖିତ ପାଞ୍ଚୋଟି ପ୍ରଶ୍ନର ବିବେକ ସମ୍ମତ ସକରାତ୍ମକ ଉତ୍ତର ନିଜେ ନିଜକୁ ଦେଇପାରିଲେ ନିଶ୍ଚିତ ଭାବେ ନିଜକୁ ଠିକ୍ ରୂପେ ଚିହ୍ନିପାରିବା। ତାହାହିଁ ଆମ ଦକ୍ଷତାର ବିକାଶ କରିବା ସହିତ ଜୀବନକୁ ସଫଳ କରାଇବ।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ। ସେ ‘ମାନବ ଅଧ୍ୟୟନ କେନ୍ଦ୍ର’ର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏହି ଲେଖାଟି ‘ଦକ୍ଷତାର ବିକାଶ’ ସିରିଜ୍‍ ଅଧୀନରେ ପ୍ରକାଶିତ।)

Tags: Counselling, Dakhyatara Bikash, Dr. Haraprasanna Das, Life Coach & Counselor, Positive Attitude, Self Motivation

 

Comment