ଭାସ୍କର ପରିଚ୍ଛା

ସ୍ୱଚ୍ଛ ଭାରତ ମିଶନକୁ ତିନି ବର୍ଷ ହେଲା। ୨୦୧୪ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମ ଘୋଷଣା କରିଥିଲେ ଓ ଗାନ୍ଧୀଜୟନ୍ତୀ ଦିନ ଆନୁଷ୍ଠାନିକ ଭାବେ ଏହା ଆରମ୍ଭ ହୋଇଥିଲା। ମୋଦିଙ୍କ ମନପସନ୍ଦ କୁହାଯାଉଥିବା ଏହି ମିଶନ ସେତେବେଳେ ଏକ ପ୍ରକାରର ଚହଳ ସୃଷ୍ଟି କରିଥିଲା ଓ ସମସ୍ତେ ମୋଦିଙ୍କ ତାଳ ଦେଇ ଏଥିରେ ଯୋଗ ଦେଇଥିଲେ।

ଏକ ହାଇ ପ୍ରୋଫାଇଲ୍ କାର୍ଯ୍ୟକ୍ରମ ହେବା ବ୍ୟତୀତ ଏଥିପାଇଁ ରାଜନୈତିକ ସମର୍ଥନ ଓ ଆର୍ଥିକ ସହାୟତା ଯୋଗାଇଦେବାକୁ ସମସ୍ତେ ଆଗେଇ ଆସିଥିଲେ। ମନେ ହେଉଥିଲା ଗାନ୍ଧୀଙ୍କ ସ୍ୱପ୍ନ ତୁରନ୍ତ ସାକାର ହେବାକୁ ଯାଉଛି!

ତିନି ବର୍ଷ ପରେ ବର୍ତ୍ତମାନ ଏହି ମିଶନର ଗତି କୁଆଡ଼େ?

ଯାହା ଖବର ଆସୁଛି, ଏହି ଅଭିଯାନ ଅନ୍ତର୍ଗତ ପାଇଖାନା ନିର୍ମାଣ ପାଇଁ ପ୍ରଚୁର ସବ୍‌ସିଡି ମିଳୁଥିବାରୁ ଦେଶର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଘରେ ଲକ୍ଷ ଲକ୍ଷ ପାଇଖାନା ନିର୍ମାଣ ତିଆରି ସମ୍ଭବ ହୋଇପାରିଛି।

ନିକଟରେ ହୋଇଥିବା ଏକ ସରକାରୀ ପ୍ରାୟୋଜିତ ସର୍ଭେ ଅନୁଯାୟୀ ସ୍ୱଚ୍ଛ ଭାରତ ବର୍ତ୍ତମାନ ଦେଶର ୬୨ ଭାଗ ଲୋକଙ୍କ ପାଖରେ ପହଞ୍ଚିଛି। ଏହା ନିଶ୍ଚିତ ଭାବରେ ଖୁସିର ଖବର। ଯେଉଁ ସ୍ଥାନରେ ଓ ଯାହା ଘରେ ଶୌଚାଳୟ ତିଆରି ହୋଇଛି, ସେମାନଙ୍କ ମଧ୍ୟରୁ 92 ପ୍ରତିଶତ ଲୋକ ଏହାକୁ ସଫଳ ଭାବରେ ବ୍ୟବହାର କରିବାର  ସୁନ୍ଦର ଦୃଷ୍ଟାନ୍ତ  ମଧ୍ୟ ସୃଷ୍ଟି  ହୋଇିଛି।

ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେବା ପରେ ଆହୁରି ଅନେକ ଭଲ କଥା ହୋଇଛି। ଏହାର ସବୁଠାରୁ ଅଧିକ ଫାଇଦା ଉଠାଇଛନ୍ତି ମହିଳା ,ଯେଉଁମାନେ କି ଅଗତ୍ୟା ଆଗରୁ ବାହାରକୁ ଝାଡା ଫେରିବା ପାଇଁ ଯାଉଥିଲେ। ଏଥିରେ ମାନସିକ ସ୍ତରରେ ସେମାନଙ୍କ ଯେଉଁ ଚାପ ପଡୁଥିଲା ତାହା ଆଉ ନାହିଁ। ତା’ଛଡ଼ା ସାଧାରଣ ଲୋକଙ୍କ ପରିମଳ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଛି। ସ୍ୱାସ୍ଥ୍ୟଗତ ଭାବେ ମଧ୍ୟ ଏହାର ଉପକାର ମିଳୁଛି। ତେବେ ବାସ୍ତବରେ ଏହି ମିଶନ କେତେ ସଫଳ ତାହା ଆକଳନ କରିବାର ସମୟ ଆସିଛି। ଆଉ ଏହି ଆକଳନର କେନ୍ଦ୍ରବିନ୍ଦୁ ହେଉଛି: ଦିନ ଗଡ଼ିଯିବା ପରେ କାର୍ଯ୍ୟକ୍ରମର ସ୍ଥିତି କ’ଣ ବା ଯାହାକୁ କୁହାଯାଏ ସଷ୍ଟେନେବିଲିଟି? ଉଦାହରଣସ୍ୱରୂପ ,ଆନ୍ଧ୍ର ପ୍ରଦେଶରୁ ଯେଉଁ ଡାଟା ଆସିଛି, ସେଥିରୁ ଜଣାପଡ଼େ ଯେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଯେଉଁ ପାଇଖାନା ତିଆରି ହୋଇଥିଲା ସେଗୁଡ଼ିକ ଆଉ ବ୍ୟବହାରଯୋଗ୍ୟ ହେଉନାହିଁ। ଏହାର ମୁଖ୍ୟ କାରଣ ପାଇଖାନା ବ୍ୟବହାର ପାଇଁ ପାଣିର ଅଭାବ।

ସ୍ୱଚ୍ଛ ମିଶନ ଅଧୀନରେ ଏବେ ଯେତେ ପାଇଖାନା ନିର୍ମାଣ କରାଯାଇଛି ସେଗୁଡିକର ଅବସ୍ଥା ବି ଯେ ସେୟା ନ ହେବ ସେ କଥା କିଏ କହିବ? ପାଣି ନଥିଲେ ପାଇଖାନାର କୌଣସି ଅର୍ଥ ନାହିଁ ଏ କଥା କାହାକୁ ବୁଝାଇ କହିବା ଅନାବଶ୍ୟକ। ଯେଉଁଠି ପିଇବା ପାଇଁ ପାଣି ମିଳୁନାହିଁ ,ସେଠି ଶୌଚାଳୟ କଥା କିଏ ଚିନ୍ତା କରିବ?

ସ୍ୱଚ୍ଛ ଭାରତ ମିଶନର ଆଉ ଏକ ଦୁର୍ବଳତା ହେଉଛି  ଦେଶରେ ଦଳିତମାନେ ଏହାର ବିଶେଷ ଲାଭ ଉଠାଇ ପାରିନାହାନ୍ତି। ହିସାବ ଅନୁଯାୟୀ ଏବେ ଦେଶର ଗ୍ରାମାଞ୍ଚଳରେ ୬ କୋଟି ଘର ଦରକାର। ଏଣୁ ଏହା ନହେବା ପର୍ଯ୍ୟନ୍ତ ସାର୍ବଜନୀନ ଶୌଚାଳୟ କାର୍ଯ୍ୟକ୍ରମ ସଫଳ ହେବା କଷ୍ଟ। ଯେଉଁଠି ଘର ନାହିଁ ପାଇଖାନା କୁଆଡୁ ଆସିବ?

କେନ୍ଦ୍ରର ଆକଳନ ଅନୁସାରେ ୫ଟି ରାଜ୍ୟ ସ୍ୱଚ୍ଛ ମିଶନରେ ଫେଲ ମାରିଛନ୍ତି। ସେହି ରାଜ୍ୟଗୁଡ଼ିକ ହେଲା ବିହାର, ଜମ୍ମୁ କାଶ୍ମୀର, ଉତ୍ତରପ୍ରଦେଶ, ତେଲେଙ୍ଗାନା ଏବଂ ନିଶ୍ଚିତରେ ଓଡ଼ିଶା। ସ୍ୱଚ୍ଛ ଭାରତ ମିଶନ ପାଇଁ ଯେହେତୁ କେନ୍ଦ୍ର ସରକାର ପ୍ରଚୁର ପରିମାଣରେ ଅର୍ଥ ଖର୍ଚ୍ଚ କରୁଛନ୍ତି ଏହା ବିଫଳ ହେବା ପଛରେ ରାଜ୍ୟ ସରକାରମାନେ ଦାୟୀ ଓ ଏବେ ସେମାନେ ଆଉ କୌଣସି ଯୁକ୍ତି ଦର୍ଶାଇପାରିବେ ନାହିଁ। ଯଦି ଏଥିରେ ଓଡ଼ିଶା ସରକାର ବି ବିଫଳ ହୋଇଛନ୍ତି ସେଥିପାଇଁ ଏଠାକାର ସରକାରୀ କଳ ଦାୟୀ।

ସ୍ୱଚ୍ଛ ଭାରତ ମିଶନ କ୍ଷେତ୍ରରେ ସହରାଞ୍ଚଳରେ ମଧ୍ୟ ଅନେକ ସମସ୍ୟା ରହିଛି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବ୍ୟବସ୍ଥା ନଥିବା କାରଣରୁ ଏହା ବିଶେଷ ଆଗେଇ ପାରୁ ନାହିଁ। ଉଦାହରଣସ୍ଵରୂପ ଭୁବନେଶ୍ୱରରେ ୱେଷ୍ଟ ମ୍ୟାନେଜମେଣ୍ଟ ପାଇଁ ଆଇନଗତ ପ୍ରତିବନ୍ଧକ ଓ ଜନବିରୋଧ କାରଣରୁ ସିୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ କାମ ଶେଷ ହୋଇପାରୁନାହିଁ।

ସ୍ୱଚ୍ଛ ଭାରତ ମିଶନର ଆଉ ଏକ ସମସ୍ୟା ହେଉଛି ସହରରୁ ଯେତିକି ବର୍ଜ୍ୟବସ୍ତୁ ବାହାରୁଛି ତାହା ନଦୀ, ନାଳ କିମ୍ବା ସମୁଦ୍ରକୁ ଯାଉଛି। ବଡ଼ ବଡ଼ ସହରରେ ବର୍ଜ୍ୟବସ୍ତୁକୁ ପୃଥକିକରଣ ବ୍ୟବସ୍ଥା କେବଳ କାଗଜପତ୍ରରେ ରହିଛି। ତେବେ ସବୁଠାରୁ ବଡ଼ ସମସ୍ୟା ହେଉଛି ଭାରତର ଲୋକେ ନିଜ ସୃଷ୍ଟ ବର୍ଜ୍ୟବସ୍ତୁର ଦାୟିତ୍ୱ ନିଜେ ଗ୍ରହଣ କରିବାକୁ ନାରାଜ। ସେମାନେ ଭାବନ୍ତି ଏହା ଅନ୍ୟ କାହାର କାମ।

ଜାତିର ପିତା ମହାତ୍ମାଗାନ୍ଧୀ ଏହି ଧାରଣାକୁ ସାମାଜିକ ଶ୍ରେଣୀ ବିଭାଗର ଫଳ ବୋଲି କହୁଥିଲେ ଓ ଏହି ବୈଷମ୍ୟ ବିରୁଦ୍ଧରେ ନିଜେ ଲଢେଇ କରୁଥିଲେ।

ଏକ ସ୍ୱଚ୍ଛ ଓ ସୁନ୍ଦର ଦେଶ ଗଢିବାକୁ ହେଲେ ମନୋବୃତ୍ତିରେ ପରିବର୍ତ୍ତନ ଆସିବା ଦରକାର। ସ୍ୱଚ୍ଛ ଭାରତ ଅଭିଯାନ ଏଭଳି ଏକ କାର୍ଯ୍ୟକ୍ରମ ଯାହାର ସଫଳ ରୂପାୟନ ଦେଶର ପରିଚୟକୁ ବି ବଦଳାଇ ଦେଇପାରିବ।

ସ୍ୱଚ୍ଛ ଭାରତ ଏକ ସ୍ଲୋଗାନରେ ସୀମିତ ହୋଇ  ରହିବା ଉଚିତ ନୁହେଁ। ଏହାକୁ ସଫଳ ଭାବରେ କାର୍ଯ୍ୟକାରୀ କରିବାକୁ ହେଲେ ଆମକୁ ସେଲ୍‌ଫିରୁ ନିହାତି ଉପରକୁ ଉଠିବାକୁ ହେବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶା ଲାଇଭର ପରାମର୍ଶଦାତା ସମ୍ପାଦକ)

Tags: Swachh Bharat Abhiyaan, Swachh Bharat Mission, Mahatma Gandhi, Narendra Modi, Prime Minister, Toilet, Clean India, Bhaskar Parichha

Comment